ହେଡଲାଇନସ୍:

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ହାଇକୋର୍ଟ ଜ୍ୟୋତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର : ତତ୍କାଳୀନ ପାଟଣା ଷ୍ଟେଟ୍‌ରେ ଥିବା ହାଇକୋର୍ଟର ପ୍ରତିଷ୍ଠା ଦିବସ ଅବସରରେ ଏବଂ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ଗୁରୁବାର ହାଇକୋର୍ଟ ଜ୍ୟୋତି ଯାତ୍ରା ସହର ପରିକ୍ରମା କରିଛି। ବଲାଙ୍ଗୀର ନାଗରିକ କମିଟି ପକ୍ଷରୁ ଅନୁଷ୍ଠିତ ଏହି ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମରେ ସହରର ବହୁ ସଙ୍ଗଠନ, ବୁଦ୍ଧିଜୀବୀ, ଓକିଲ ଓ ଜନସାଧାରଣ ସାମିଲ ହୋଇଛନ୍ତି। ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଜ୍ୟୋତି ଯାତ୍ରା ଆରମ୍ଭ ହୋଇଥିଲା। ସାମାଜିକ କର୍ମୀ ଲଳିତ କୁମାର ନାୟକ ଜ୍ୟୋତି ଗ୍ରହଣ କରିବା ପରେ ସହର ପରିକ୍ରମା ଆରମ୍ଭ ହୋଇଥିଲା। ନାଗରିକ କମିଟି ସଭାପତି ଭବାନୀଶଙ୍କର ଶତପଥି ଓ ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ କେଡିଆଙ୍କ ନେତୃତ୍ୱରେ ସାମାଜିକ କର୍ମୀ ବିକ୍ରମାନନ୍ଦ ବହିଦାର, ଜିଲା ଓକିଲ ସଂଘ ସମ୍ପାଦକ ଅମନ୍‌ ନାଗ, ଆଡଭୋକେଟ୍‌ ଜୟରାମ ମିଶ୍ର, ପ୍ରମୋଦ ତ୍ରିପାଠୀ, ସରୋଜ ଗୁପ୍ତା, ଅସିତ ମିଶ୍ର, ଅଶୋକ ରାଉତ୍‌, ସତ୍ୟ ନାଏକ, ସୁବାସ ନନ୍ଦ, ପଙ୍କଜିନୀ ପଣ୍ଡା, ନିରୁପମା ଉଦ୍‌ଗାତା, ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା, ଶଙ୍କର ହୋତା, ରାଜେନ୍ଦ୍ର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅଭିମନ୍ୟୁ ମିଶ୍ର, ସତ୍ୟବନ୍ତ ବେଦବାକ୍‌, ଆକ୍ସନ କମିଟିର ଗୋପାଲଜୀ ପାଣିଗ୍ରାହୀ, ଗିରିଶ ସିଂଦେଓ, ବିନୋଦ କାଲସାଏ, ଦୁର୍ଗା ହୋତା, ଧର୍ମବ୍ରତ ରଥ ଓ  ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ହାଇକୋର୍ଟ ଜ୍ୟୋତିକୁ ନେଇ ମହାଦେବ ମନ୍ଦିର ଛକ, ଦୁର୍ଗା ମନ୍ଦିର, ପାଟଣା ହୋଟେଲ ଛକ ଦେଇ ସମଲେଶ୍ୱରୀ ମନ୍ଦିର ଛକ ଯାଏଁ ପରିକ୍ରମା କରାଯାଇଥିଲା। ନାଗରିକ କମିଟି ସଭାପତି ଶତପଥି ସୂଚନା ଦେଇଛନ୍ତି ଯେ, ପୂର୍ବତନ ପାଟଣା ଷ୍ଟେଟ୍‌ରେ ଥିବା ହାଇକୋର୍ଟର ଗୁରୁବାର ହେଉଛି ୭୮ତମ ସ୍ଥାପନା ଦିବସ। ଏହି ଉପଲକ୍ଷେ ଏହି ଜ୍ୟୋତିଯାତ୍ରା ପରିକ୍ରମା କରାଯାଉଛି। ଓଡ଼ିଶାରେ ମିଶ୍ରଣ ପୂର୍ବରୁ ୧୯୪୦ ମସିହାରୁ ବଲାଙ୍ଗୀରରେ ଏକ ହାଇକୋର୍ଟ ରହିଥିଲା। ସେହି ହାଇକୋର୍ଟ ଅଧିନରେ ଓଡ଼ିଶା ଓ ଛତିଶଗଡର ବହୁ ରାଜ୍ୟ ରହିଥିଲେ ବୋଲି ସୂଚନା ଦେଇଥିଲେ। ବଲାଙ୍ଗୀରରେ ହାଇକୋର୍ଟ ନେଇ ଏଭଳି ଐତିହାସିକ ପୃଷ୍ଠଭୂମି ଥିବା ଏବଂ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦିଗରେ ବଲାଙ୍ଗୀରରେ ସମସ୍ତ ଭିତ୍ତିଭୂମି ଥିବାରୁ ତୁରନ୍ତ ରାଜ୍ୟ ସରକାର ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରନ୍ତୁ ବୋଲି ସେ କହିଥିଲେ। ଆନ୍ଦୋଳନର ନେତୃତ୍ୱ ନେଉଥିବା ସମାଜସେବୀ ଲଳିତ କୁମାର ନାୟକ ବଲାଙ୍ଗୀରରେ ପୂର୍ବରୁ ହାଇକୋର୍ଟ ଥିଲା ଓ ରାଜ୍ୟ ସରକାର ତୁରନ୍ତ ଏଠାରେ ହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ କରନ୍ତୁ ବୋଲି କହିଥିଲେ। ଏହି ଦାବିପୂରଣ ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

 ପ୍ରକାଶ ଯେ, ୧୯୪୦ ମସିହା ସେପ୍ଟେମ୍ବର ୬ ତାରିଖ ତତ୍କାଳୀନ ପାଟଣା ରାଜ୍ୟରେ ଏକ ହାଇକୋର୍ଟ ସ୍ଥାପନ ହୋଇଥିଲା। ଏହା ୧୯୪୫ ମସିହାରେ ୩୯ଟି ରାଜ୍ୟ ସମୁଦାୟ ଦ୍ୱାରା ଏକ ସର୍ବସାଧାରଣ ବା କମନ ହାଇକୋର୍ଟ ଭାବେ ପ୍ରତିଷ୍ଠା ଲାଭ କରିଥିଲା। ଯାହାକି ଓଡ଼ିଶା ଓ ଛତିଶଗଡ ରାଜ୍ୟର ହାଇକୋର୍ଟ ଭାବରେ ବ୍ରିଟିଶ ସରକାର ଦ୍ୱାରା ମାନ୍ୟତା ପାଇଥିଲା। ତତ୍କାଳୀନ ପାଟଣା ରାଜ୍ୟ ଓଡ଼ିଶା ସହ ମିଶ୍ରଣ ପରେ ଏବଂ ୧୯୪୮ ମସିହାରେ ଓଡ଼ିଶା ହାଇକୋର୍ଟ ସ୍ଥାପନ ପରେ ପାଟଣା ହାଇକୋର୍ଟ ଏଥିରେ ବିଲୀନ ହୋଇଥିଲା ବୋଲି ଶତପଥି ସୂଚନା ଦେଇଛନ୍ତି। ଏପରି ଏକ ଐତିହାସିକ ପୃଷ୍ଠଭୂମି ଥିବାରୁ ବଲାଙ୍ଗୀର ଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ଯଥାର୍ଥ ବୋଲି ବଲାଙ୍ଗୀର ନାଗରିକ କମିଟି ସହ ଜିଲା ଓକିଲ ସଂଘ, ଆକ୍‌ସନ କମିଟି ଓ ଅନ୍ୟ ସଙ୍ଗଠନର କର୍ମକର୍ତ୍ତାମାନେ ଦାବି କରିଛନ୍ତି।

0
0
0
s2sdefault