ହେଡଲାଇନସ୍:

ଦଳୀୟ ଅସନ୍ତୋଷ ରୋକିବାପାଇଁ ନବୀନ ବାବୁଙ୍କ ପଲିଟିକାଲ ମାଷ୍ଟର ଷ୍ଟ୍ରୋକ, ଥୋପ ଗିଳି ରହିବେ ଅନେକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଧାନ ପରିଷଦ ସଂକଳ୍ପ ପାରିତ: ହେବା ଥୟ, ଦିଲ୍ଲୀରୁ ବି ମିଳିଯିବ ସବୁଜ ସଂକେତ 

ମୋଟ ୧୦୪ ଭୋଟରେ ପାରିତ ହେଲା ସଂକଳ୍ପ, - ସଂକଳ୍ପକୁ ବିରୋଧ କରି କଂଗ୍ରେସ , ବିଜେପି ଦଳର କକ୍ଷତ୍ୟାଗ 

ଭୁବନେଶ୍ୱର - ବିଧାନ ପରିଷଦ ଗଠନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା ସଂକଳ୍ପ ବିଧାନସଭାରେ ପାରିତ ହୋଇଛି ।  ମୋଟ ୧୦୪ଟି ଭୋଟରେ ଏହି ସଂକଳ୍ପ ପାରିତ ହୋଇଛି । ଏଥିପାଇଁ ହୋଇଥିବା ଭୋଟରେ ଶାସକ ଦଳର ୧୦୩ ଜଣ ସଂକଳ୍ପ ସପକ୍ଷରେ ଭୋଟ ଦେଇଥିବା ବେଳେ ସ୍ୱାଧୀନ ସଦସ୍ୟ ସନାତନ ମହାକୁଡ ମଧ୍ୟ ସଂକଳ୍ପ ସପକ୍ଷରେ ଭୋଟ ଦେଇଥିଲେ । ସଂଧ୍ୟା ୭ ଟା୩୩ର ଭୋଟ ଗ୍ରହଣ ଆରମ୍ଭ ହୋଇ ୭ଟା ୫୦ରେ ଶେଷ ହୋଇଥିଲା । ୭ ଟା ୫୪ ରେ ବାଚସ୍ପତି ନିଷ୍ପତି ସମ୍ପର୍କରେ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ଭୋଟ ଦେଇଥିଲେ । ପରେ ଜଣକ ପରେ ଜଣେ ସଦସ୍ୟ ଭୋଟ ଦେଇଥିଲେ ।  ଶାସକ ଦଳର ସମୁଦାୟ ସଭ୍ୟଙ୍କ ମଧ୍ୟରୁ ୧୩ ଜଣ ଅନୁପସ୍ଥିତ ଥିଲେ । ଭୋଟିଂ ପୂର୍ବରୁ  ବିରୋଧୀ କଂଗ୍ରେସ ଏବଂ ବିଜେପି ସଭ୍ୟମାନେ ସଂକଳ୍ପକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ ।  

ଏଇ ବିଧାନ ପରିଷଦ...ଦଳୀୟ ଅସନ୍ତୋଷ ରୋକିବାପାଇଁ ନବୀନ ବାବୁଙ୍କ ପଲିଟିକାଲ ମାଷ୍ଟର ଷ୍ଟ୍ରୋକ | ବିରୋଧୀ ଯେତେ ଗୁରାଳୀ ଛାଡ଼ନ୍ତୁ ବା ବିରୋଧ କରନ୍ତୁ ସଂକଲ୍ପ ବିଧାନସଭାରେ ପାରିତ ହୋଇଛି ...ଆଉ ଦିଲ୍ଲୀରେ ସଂସଦ ତ ରାଷ୍ଟ୍ରପତି ବି ଅନୁମୋଦନ ଦେବା ଥୟ | ନବୀନ ବାବୁ ଯାଇ ଦିଲ୍ଲୀରୁ ଦୁଇ ରାଉଣ୍ଡ ବୁଲି ଆସିଲେ ସେ କାମ ବି ଓକେ ହୋଇଯିବ | ଆଉ ସବୁଠାରୁ ବଡ ମଜାକଥା ହେଲା ଏଠି ସଦସ୍ୟ ହେବାକୁ ଲବି ଆରମ୍ଭ ହୋଇଯିବ ସେଇ ନେତା, ଶିକ୍ଷକ ନେତା, ତଥାକଥିତ ବୁଦ୍ଧିଜୀବୀ ଆଉ ୨୦ଜବ ୨୫ ପ୍ରବଳ ଦଳୀୟ ଅସନ୍ତୋଷ ଥିବା ନିର୍ବାଚନମଣ୍ଡଳୀର ନେତା ମାନଙ୍କର | ଆରେ ଭାଇ ବିଧାୟକ ନହେଲେ ନାହିଁ, ବିଧାୟକ ନହେବାର ନାବାଳକ ତା କଟିଯିବ !  ବିଧାୟକ ହେବାର ଆଶାରେ ଥିବା କିଛି ଅସନ୍ତୁଷ୍ଟ ନେତା ଏଇ ଥୋପ ଗିଳିରହିବେଓ ଦଳୀୟ କନ୍ଦଳ ବା ଗୋଷ୍ଠୀ ବିବାଦ କିଛି ପରିମାଣରେ ପ୍ରଶମିତ ହୋଇଯିବ | ଯିଏ ଯାହା କୁହନ୍ତୁ ପଛେ ନବୀନ ବାବୁଙ୍କ ଏଇଟା ଏମିତି ଗୋଟେ ଷ୍ଟ୍ରୋକ ଯାହାରକି ପ୍ରଭାବ ବହୁମୁଖୀ | ସବୁଠାରୁ ବଡ଼କଥା ହେଲା ଅତି କମରେ ୨୮ରୁ ୩୦ଟି ନିର୍ବାଚନ ମଣ୍ଡଳୀରେ  ଦୁଇ ଅବା ତତୋଧିକ ଆଶାୟୀଙ୍କ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଏଇ ଗୋଟିଏ ଷ୍ଟ୍ରୋକରେ ପ୍ରଶମିତ କରିଦେବେ | 

ଗୁରୁବାର ଅପରାହ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଏସମ୍ବନ୍ଧୀୟ ସଂକଳ୍ପକୁ ବିଧାନସଭାରେ ଆଗତ କରି ବିଧାନ ପରିଷଦ ଗଠନ ପାଇଁ ଦୃଢ ଯୁକ୍ତି ଉପସ୍ଥାପନ କରିଛନ୍ତି । ସଂକଳ୍ପଟିକୁ ଆଲୋଚନା ପୂର୍ବକ ଐକମତରେ ପାରିତ କରିବାକୁ ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଆମ ରାଜ୍ୟରେ ଥିବା ଆଇନ ପ୍ରଣୟନ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହିତ ସୁଶାସନ ଓ ଜନ ସାଧାରଣଙ୍କ କଲ୍ୟାଣ ନିମନ୍ତେ ଏକ ଉତମ ଓ ବ୍ୟାପକ ବିଧି ବ୍ୟବସ୍ଥା ପ୍ରତିଷ୍ଠା  ଦିଗରେ ଓଡିଶାରେ ବିଧାନ ପରିଷଦ ଗଠନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଧାନ ପରିଷଦ ଗଠନ ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୬୯(୧)ର ବ୍ୟବସ୍ଥା ଅନୁଯାୟୀ ବିଧାନସଭା ଦ୍ୱାରା ଏସମ୍ବନ୍ଧୀୟ ସଂକଳ୍ପ ସର୍ବ ପ୍ରଥମେ ପାରିତ ହେବା ଆବଶ୍ୟକ । 

ମନ୍ତ୍ରୀ ଶ୍ରୀ ଆରୁଖ ସଂକଳ୍ପର ଉଦ୍ଦେଶ୍ୟ  ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଭାରତର ଅନ୍ୟ କେତେକ ରାଜ୍ୟ ଭଳି ଓଡିଶାରେ ଏକକ ବିଧାନମଣ୍ଡଳ ବ୍ୟବସ୍ଥା ପ୍ରଚଳିତ ଅଛି । ଏହି ବ୍ୟବସ୍ଥା ଆମ ରାଜ୍ୟରେ ବିଗତ ୮ ଦଶନ୍ଧି ଧରି ରାଜ୍ୟ ସ୍ୱାର୍ଥ ପାଇଁ ଆବଶ୍ୟକ ପଡୁଥିବା ଆଇନ ପ୍ରଣୟନ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଆସୁଛି । ବର୍ତମାନ ଓଡିଶାରକେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଗୁଡିକର ଆଲୋଚନା , ସୁଶାସନ ଓ ଜନକଲ୍ୟାଣ ପାଇଁ ବିଧାନ ପରିଷଦ ଗଠନର ଆବଶ୍ୟକତା ରହିଛି । ଏହାଦ୍ୱାରା ରାଜ୍ୟ ସମ୍ବଳିତ ଅନେକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇପାରିବ ଏବଂ ଏହା ରାଜ୍ୟପାଇଁ ଫଳପ୍ରଦ ହେବ । ଏହାଦ୍ୱାରା ବିଧାନସଭାରେ ପାରିତ ବିଲ୍ ଗୁଡିକୁ ଅଧିକ ତର୍ଜମା କରାଯାଇପାରିବ ଓ ଯାଂଚ ମଧ୍ୟ ହୋଇପାରିବ । ଆଇନ ପ୍ରଣୟନ ବ୍ୟବସ୍ଥା ସମୃଦ୍ଧ ହେବା ସହିତ ଶାସନ ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହୋଇପାରିବ । ବିଧେୟକ ଗୁଡିକରେ ତ୍ରୁଟି ବିଚ୍ୟୁତିର ମଧ୍ୟ ସଂଶୋଧନ ହୋଇପାରିବ ବୋଲି ସେ କହିଥିଲେ ।

ବର୍ତମାନ ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା, ବିହାର , ଜମ୍ମୁ ଓ କାଶ୍ମୀର ,କର୍ଣ୍ଣାଟକ, ମହାରଷ୍ଟ୍ର ଓ ଉତରପ୍ରଦେଶରେ ବିଧାନ ପରିଷଦ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଡ. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟି ମହାରାଷ୍ଟ୍ର, କର୍ଣ୍ଣାଟକ,ବିହାର ଓ ତେଲେଙ୍ଗାନା ଯାଇ ସେଠାକାର ବିଧାନ ପରିଷଦର କାର୍ଯ୍ୟକାରୀତା ଅନୁଧ୍ୟାନ କରିଥିଲେ । ଏସମ୍ପର୍କରେ ଏକ ତଥ୍ୟ ଭିତିକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରସ୍ତାବ ଗତ ଅଗଷ୍ଟ ୨୪ ତାରିଖରେ ଅନୁଷ୍ଠିତ  ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି । 

ସମ୍ବିଧନ ଅନୁଯାୟୀ ବିଧାନ ପରିଷଦର ମୋଟ ସଭ୍ୟ ସଂଖ୍ୟା ସର୍ବନିମ୍ନ ୪୦ ଏବଂ ସର୍ବାଧିକ ସମ୍ପୃକ୍ତ ରାଜ୍ୟ ବିଧାନସଭାର ସମୁଦାୟ ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶରେ ସୀମିତ ରହିବା ଆବଶ୍ୟକ । ତେଣୁ ଓଡିଶାରେ ବିଧାନ ପରିଷଦ ଗଠନ ହେଲେ ଏହାର ସଭ୍ୟ ସଂଖ୍ୟା ମୋଟ ୪୯ ହେବ । ମୋଟ ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ଅର୍ଥତ ୧୬ ଜଣ ବିଧାନସଭା ସଭ୍ୟମାନଙ୍କ ଦ୍ବାରା ନିର୍ବାଚିତ ହେବେ । ଆଉ ୧୬ ଜଣ ସଦସ୍ୟ ଜିଲ୍ଲାପରିଷଦ, ପଂଚାୟତ ସମିତି ଓ ସହରାଂଚଳର ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ଦ୍ୱାରା ନିର୍ବାଚିତ ହେବେ । ୪ ଜଣ ସଦସ୍ୟ ରାଜ୍ୟରେ ୩ ବର୍ଷରୁ ଉର୍ଧ୍ଵ ଅଭିଜ୍ଞତା ଥିବା ସ୍ନାତକମାନଙ୍କୁ ନେଇ ଏକ ଇଲେକ୍ଟେ୍ରାଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ । ୪ ଜଣ ସଦସ୍ୟ ମାଧ୍ୟମିକ ବା ତଦୁର୍ଦ୍ଧ ବିଦ୍ୟାଳୟରେ ୩ ବର୍ଷରୁ ଉର୍ଧ୍ଵ ଅଭିଜ୍ଞତା ଥିବା ଶିକ୍ଷକମାନଙ୍କୁ ନେଇ ଗଠିତ ଏକ ଇଲେକ୍ଟେ୍ରାଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ  । ଅବଶିଷ୍ଟ ୯ଜଣ ସଭ୍ୟ ସାହିତ୍ୟ, ବିଜ୍ଞାନ, କଳା ସମବାୟ ଓ ସାମାଜିକ କ୍ଷେତ୍ରରେ ପାରଦର୍ଶିତା ଲାଗ କରିଥିବା ଏବଂ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ରାଜ୍ୟପାଳଙ୍କ ଦ୍ୱାରା ମନୋତୀତ ହେବେ । 

ବିଧାନ ପରିଷଦ ଏକ ସ୍ଥାୟୀ ଗୃହ ହିସାବରେ କାର୍ଯ୍ୟକରିବ ଯାହାର ଏକ ତୃତୀୟାଂଶ ସଭ୍ୟ ପ୍ରତି ୨ ବର୍ଷରେ ଅବସର ନେବେ । ବର୍ତମାନ ପାଇଁ ଭୁବନେଶ୍ୱର ସ୍ଥିତ ସର୍ଦ୍ଧାର ପଟେଲ ହଲ୍ (ପୁରୁଣା ବିଧାନ ସୌଧ)ରେ ବିଧାନ ପରିଷଦ କାର୍ଯ୍ୟକ୍ଷମ ହୋଇପାରିବ ।  ଏହି ଗୃହ ଦ୍ୱାରା ସଂକଳ୍ପ ପାରିତ ହେବା ପରେ ଓଡିଶା ବିଧାନ ପରିଷଦ ଗଠନ ସମ୍ପର୍କିତ ଆଇନ ସଂସଦର ଉଭୟ ଗୃହରେ ସଂଖ୍ୟାଧିକ ଭୋଟରେ ପାରିତ ହେବା ଆବଶ୍ୟକ ଓ ଉକ୍ତ ଆଇନ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିବା ଆବଶ୍ୟକ । ବିଧାନ ପରିଷଦ ଗଠନ ହେଲେ ବାର୍ଷିକ ପ୍ରାୟ ୩୫ କୋଟି ଟଙ୍କାର ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ବୋଲି ସେ କହିଛନ୍ତି । 

ପରିଷଦ ସଂକଳ୍ପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା ।ଆଲୋଚନା କାଳରେ ଶାସକ ଦଳ ସଭ୍ୟମାନେ ପରିଷଦ ଗଠନ ସପକ୍ଷରେ କହିଥିବ ବେଳେ ବିରୋଧୀ ଦଳ ସଦସ୍ୟମନେ ଏହାକୁ ବିରୋଧ କରିଥିଲେ  ।  ଶାସକ ଦଳ ପକ୍ଷରୁ ବେଦ ପ୍ରକାଶ ଅଗ୍ରୱାଲ ସଂକଳ୍ପକୁ ସମର୍ଥନ କରି କହିଲେ ଯେ ଓଡିଶାରେ ବିଧାନ ପରିଷଦର ଆବଶ୍ୟକତା ରହିଛି । ଏହା ବହୁ ଆଗରୁ ଆସିବାର ଥିଲା । ନିର୍ବାଚନରେ ଲଢିବାକୁ ଚାହୁଁନଥିବା ବିଜ୍ଞ ଓ ଅଭିଜ୍ଞ ବ୍ୟକ୍ତିଙ୍କ ମତାମତ ଏବଂ ଅନୁଭୂତିକୁ ରାଜ୍ୟର ବିକାଶରେ ଲଗାଇବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ ଯେ ଯେଉଁ ରଜ୍ୟରେ ରାଜରାସ୍ତାରେ ଚାଷୀ , ମୂଲିଆଓ ଶିକ୍ଷକ ଧାରଣା ଦେଉଛନ୍ତି ଏବଂ ଚାଷୀ ଆତ୍ମହତ୍ୟା କରୁଛନ୍ତି ସେଭଳି ପରିସ୍ଥିତିରେ ବିଧାନ ପରିଷଦ ଗଠନ କରିବା କେତେଦୂର ଯଥାର୍ଥ? ରାଜ୍ୟରେ ଡାକ୍ତର , ଶିକ୍ଷକ ଅଭାବ ରହିଥିବା ବେଲେ ସଂକଳ୍ପ ଅଣାଯିବା ଦୁର୍ଭାଗ୍ୟଜନକ । ଏହି ସଂକଳ୍ପ କାହା ସ୍ୱାର୍ଥରେ ଅଣାଯାଇଛି? ଦଳୀୟ ଲୋକଙ୍କୁ ଥଇଥାନ କରିବାପାଇଁ ଏହି ପରିଷଦ ଗଠନ କରଯାଉଛି । ଏବାବଦରେ ବାର୍ଷିକ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଉଛି ।ଯାହା ରାଜ୍ୟ ରାଜକୋଷ ଉପରେ ବୋଝ ହେବ । ବର୍ତମାନ ରାଜ୍ୟ ଋଣ ଯନ୍ତାରେ ରହିଛି । ୭୭ ହଜାର କୋଟି ଟଙ୍କାର ଋଣ ବୋଝ ରାଜ୍ୟ ମୁଣ୍ଡାଇଛି । ବେକାରୀଙ୍କୁ ନିଯୁକ୍ତି ନାହିଁ । ସରକାରୀ ପଦ ପଦବୀ ପୂରଣ ହେଉନାହିଁ । ଭବିଷ୍ୟତ ପାଇଁ ପରିଷଦ ଗଠନ ଶୁଭଙ୍କର ହେବନାହିଁ ବୋଲି ସେ କହିଛନ୍ତି । ବିଜେପି ପକ୍ଷରୁ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ଦେଶର ୭ଟି ରାଜ୍ୟରେ ବିଧାନ ପରିଷଦ ରହିଛି । ସେସବୁ ରାଜ୍ୟ ଗୁଡିକର ଜନସଂଖ୍ୟା ଓ ଏରିଆ ଆମ ଠାରୁ ଅଧିକ । ଦେଶର ବହୁ ବଡ ବଡ ରାଜ୍ୟ ମଧ୍ୟପ୍ରଦେଶ ,ପଂଜାବ ଓ ଛତିଶଗଡରେ ମଧ୍ୟ ପରିଷଦ ନାହିଁ । ଏହା ଗଠନ କରିବାର କୌଣସି ଆବଶ୍ୟକତା ନାହିଁ । ବିଧାନ ସଭାରେ ପଦବୀ ପୂରଣ ହେଉନାହିଁ । ସରକାରୀ ଅଫିସ୍ ମାନଙ୍କରେ ପଦବୀ ଖାଲି ପଡିରହିଛି ।କୋରମ୍ ମଧ୍ୟ ରହୁନାହିଁ । ସେପରି କ୍ଷେତ୍ରରେ ବିଧାନ ପରିଷଦ ଗଠନ କରିବା କେତେଦୂର ଯୁକ୍ତିସଂଗତ? ତେଣୁ ପରିଷଦ ଗଠନ ପ୍ରସ୍ତାବର ପୁର୍ନବିଚାର କରିବାକୁ ସେ ଦାବି କରିଥିଲେ । ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା କହିଲେ ଯେ ବିଧାନ ପରିଷଦ ଗଠନ ହେଲେ ଗଣତନ୍ତ୍ରକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ । ତ୍ରୁଟି ଶୂନ୍ୟ ଆଇନ୍ କାନୁନ ତିଆରି ହୋଇପାରିବ । ରାଜ୍ୟର ବିକାଶରେ ସହାୟକ ହେବ । 

ଅନ୍ୟମାନଙ୍କ ମଧ୍ୟରେ ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ମାଝୀ, ଅରୁଣ ସାହୁ, ପ୍ରଦୀପ ପୁରୋହିତ , ସୁଦାମ ମାରାଣ୍ଡି ପ୍ରମୁଖ ଅଂଶ ଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ ।  

 

0
0
0
s2sdefault