ନୟାଗଡ଼ (ବିଶ୍ଵଜିତ ନାୟକ ) -ଜଙ୍ଗଲ ଓ ପାହାଡ଼ ଘେରା ନୟାଗଡ଼ ଜିଲ୍ଲା ପାକୃତିକ ସମ୍ଭାରରେ ପରିପୂର୍ଣ୍ଣ । ଅନେକ ନଦୀ ନାଳ ଓ ପାହାଡ଼ ପର୍ବତ ଜିଲ୍ଲାକୁ ଆଚ୍ଛାଦିତ କରି ରଖିଛି । କିଛିବର୍ଷ ତଳେ ଶିମିଳି ଝରଣା ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଥିବା ବେଳେ ଏବେ ବରକନ୍ୟା ଝରଣା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ବର୍ଷସାରା କୁଳୁକୁଳୁ ଶବ୍ଦରେ ବହି ଚାଲିଛି ବରକନ୍ୟା ଝରଣା ।
ଦୀର୍ଘଦିନ ଧରି ଏହା ଲୋକ ଲୋଚନକୁ ଆସିନଥିବା ଏବେ ବେଶ ଲୋକପ୍ରିୟ ହୋଇଛି। ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁଙ୍କ ବ୍ୟକ୍ତିଗତ ଉଦ୍ୟମ ଏବଂ ଆଗ୍ରହ ଯୋଗୁଁ ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ଏହି ଝରଣା ଏବେ ସମଗ୍ର ରାଜ୍ୟର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବାକୁ ଯାଉଛି। ଏହା ଜଣାପଡିବା ପରେ ଦିନକୁ ଦିନ ଏହି ଝରଣା ନିକଟକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ନୟାଗଡ଼ ବିଧାୟକ ଡ. ସାହୁଙ୍କ ଆମନ୍ତ୍ରଣ କ୍ରମେ ଗୁରୁବାରଦିନ ସକାଳେ ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଝରଣା ନିକଟରେ ପହଞ୍ଚି ଝରଣାର ପ୍ରାକୃତିକ ସୁଷମାକୁ ଉପଭୋଗ କରିଥିଲେ ।
ଏହି ଝରଣାକୁ ଦେଖି ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ଦାସଙ୍କ ସମେତ ବରିଷ୍ଠ ନେତ୍ରୁବୃନ୍ଦ ପ୍ରଶଂସା କରିବା ସହ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦିଆଯିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହିଥିଲେ। ଚାରିପଟୁ ଝରଣାକୁ ଘେରି ରହିଥିବା ଜଙ୍ଗଲ ଓ ପାହାଡ଼ ମଧ୍ୟରେ ଝରଣାର କୁଳୁକୁଳୁ ନାଦ ସମସ୍ତଙ୍କୁ ବିମୋହିତ କରିଥିଲା। ପ୍ରାକୃତିକ ସଂପଦରେ ଭରପୂର ଏହି ଝରଣା ଲୋକଙ୍କ ମନକୁ ଛୁଇଁବା ସହିତ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯିବା ଆବଶ୍ୟକ ବୋଲି ମତ ରଖିଥିଲେ। ଖୁବ୍ଶୀଘ୍ର ଏହାର ରୂପରେଖ ବଦଳିବ ବୋଲି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ଶ୍ରୀ ଦାସ କହିଥିଲେ। ବରକନ୍ୟା ଝରଣା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଲେ ଏହି ଅଞ୍ଚଳରେ ବିକାଶ ଘଟିବା ସହିତ ନୟାଗଡ଼ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ସହିତ ହଜାର ହଜାର ଲୋକ ଉପକୃତ ହେବେ । ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଏବଂ ବିଧାୟକମାନେ ମତ ଦେଇଥିଲେ।
ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ସଭାପତି ଇଂଦେବାଶିଷ ପଟ୍ଟନାୟକ, ନୟାଗଡ଼ ଏନ୍ଏସି ଅଧ୍ୟକ୍ଷା ନିରୂପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ବିଡିଓ ସନ୍ତୋଷ କୁମାର ଜେନା, ତହସିଲଦାର ଅନିଲ କୁମାର ଆଚାର୍ଯ୍ୟ, ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ,ଜିଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସରୋଜ ରଣସିଂହ, କ୍ଷୀରୋଦ ମହାପାତ୍ର, ସୁବାସ କହଁର, ସ୍ଥାନୀୟ ସରପଞ୍ଚ ସୁନିତା ବାରିକଙ୍କ ସମେତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।








