ଜୟନାରାୟଣଙ୍କୁ ତୁରନ୍ତ ବିରୋଧିଦଳ ନେତା ପଦରୁ ହଟାଉ ବିଜେପି: ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  •  କର୍ତ୍ତବ୍ୟରତ ମହିଳା ପୁଲିସ୍‍ଙ୍କୁ ଜୟନାରାୟଣଙ୍କ ଆକ୍ରମଣ

  •  ଜୟନାରାୟଣ ତୁରନ୍ତ କ୍ଷମା ମାଗିବାକୁ ଦାବି କଲା ବିଜେଡି

  •  ବିଜେପିର ମହିଳାଙ୍କୁ ସମ୍ମାନର ଅସଲ ଚିତ୍ର ସମସ୍ତେ ଦେଖୁଛନ୍ତି


ଭୁବନେଶ୍ୱର,: ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍‍ ଅଧିକାରୀଙ୍କୁ ସର୍ବସମ୍ମୁଖରେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ଆକ୍ରମଣ କରିବା ଘଟଣାରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରମୟୀ ମିଶ୍ର କହିଛନ୍ତି ଯେ ବିଜେପି ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ ଏବଂ ତାଙ୍କ ବିରୋଧରେ ୧୪ଟି ମାମଲା ରହିଛି । ଯେଉଁଥିରେ ସେ ଜେଲରେ ଥିଲେ ଏବଂ ବର୍ତ୍ତମାନ ଜାମିନରେ ଅଛନ୍ତି । ଶ୍ରୀ ମିଶ୍ରଙ୍କର ଲୋକଙ୍କୁ ଧମକ ଦେବା ଓ ଆକ୍ରମଣ କରିବାର ଅଭ୍ୟାସ ରହିଛି । ଆଜି ସେ କର୍ତ୍ତବ୍ୟରତ ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଶାରୀରିକ ନିର୍ଯାତନା ଦେଇଛନ୍ତି । ଏହି ଆଶ୍ଚର୍ଯ୍ୟଜନକ ଆକ୍ରମଣର ଭିଡିଓ ମଧ୍ୟ ଓଡ଼ିଶା ଲୋକଙ୍କ ଆଗରେ ଗଣମାଧ୍ୟମରେ ପ୍ରସାରିତ ହୋଇଛି ।
ଓଡିଶା ବିଜେପି ମହିଳାମାନଙ୍କ ସମ୍ମାନ ଓ ମର୍ଯ୍ୟାଦା ବିଷୟରେ କହୁଛି । ଓଡିଶା ବିଜେପି ଏବଂ ଏହାର ନେତାମାନେ ଏଭଳି ଭାବେ ମହିଳାଙ୍କ ସମ୍ମାନ ଏବଂ ସୁରକ୍ଷା ରକ୍ଷା କରୁଛନ୍ତି କି? ବିଧାନସଭାର ବିରୋଧୀ ଦଳର ନେତା ଡ୍ୟୁଟିରେ ଥିବା ମହିଳା ପୋଲିସ ଅଧିକାରୀଙ୍କୁ ଶାରୀରିକ ନିର୍ଯାତନା ଦେଇ ଏଭଳି ସମ୍ମାନ ପ୍ରଦର୍ଶନ କରୁଛନ୍ତି କି ବୋଲି ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି । ଶ୍ରୀ ଜୟନାରାୟଣ ମିଶ୍ର ମଧ୍ୟ ଅତୀତରେ ଏଭଳି କାର୍ଯ୍ୟ କରି ଓଡ଼ିଶା ବିଜେପିକୁ ଲଜ୍ଜିତ କରିଥିବା ସେ କହିଛନ୍ତି ।
ଶ୍ରୀମତୀ ମିଶ୍ର ଆହୁରି କହିଛନ୍ତି ଯେ ଆମେ ଦାବି କରୁଛୁ ଯେ ଓଡ଼ିଶା ବିଜେପି ତୁରନ୍ତ ଶ୍ରୀ ମିଶ୍ରଙ୍କୁ ତାଙ୍କର ଏଭଳି ଅପମାନଜନକ ଆଚରଣ ପାଇଁ ବିଧାନସଭାର ବିରୋଧିଦଳ ନେତା ପଦରୁ ହଟାଇନେବା ଉଚିତ । ଏଥିସହ ସର୍ବସାଧାରଣରେ ଜଣେ ମହିଳାଙ୍କୁ ଅପମାନିତ କରିଥିବାରୁ ଓଡିଶା ବିଜେପି ଏବଂ ଶ୍ରୀ ମିଶ୍ର ଆଜି ଓଡ଼ିଶାର ୪.୫ କୋଟି ଲୋକ ଏବଂ ବିଶେଷ କରି ଓଡିଶାର ମହିଳାଙ୍କୁ କ୍ଷମା ମାଗିବା ଉଚିତ । ସେମାନେ ନିଶ୍ଚୟ ବୁଝିପାରିବେ ଯେ ଏହିପରି ଅପମାନଜନକ କାର୍ଯ୍ୟ ଓଡିଶାର ସଂସ୍କୃତି ଏବଂ ପରମ୍ପରାରେ ଆଦୌ ଗ୍ରହଣୀୟ ନୁହେଁ ।

0
0
0
s2sdefault