ରାଜନୀତିର ଅପରାଧୀକରଣ ପ୍ରତିବାଦରେ ଆସନ୍ତା ୨୬ରେ ରାଜ୍ୟବ୍ୟାପୀ ସତ୍ୟାଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୩ ବର୍ଷ ବିଜେଡି ଶାସନରେ ରାଜନୈତିକ ନେତାଙ୍କ ଅପରାଧର ଚରାଭୂଇଁ ପାଲଟିଛି ଓଡିଶା: ସମୀର ମହାନ୍ତି

ଭୁବନେଶ୍ୱର: ଶାନ୍ତିପ୍ରିୟ ରାଜ୍ୟ ଏବଂ ଜଗନ୍ନାଥ ସଂସ୍କୃତିରେ ଓଡିଶାର ସୁଖ୍ୟାତି ରହିଛି । ମାତ୍ର ଗତ ୨୩ ବର୍ଷରେ ବିଜେଡିର ନିରୁଙ୍କଶ ଶାସନରେ ଓଡିଶା ଆଜି ରାଜନୈତିକ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ବିଜେଡି ଓଡିଶାବାସୀଙ୍କ କାଳ ସାଜିଛି । ଶାସକ ବିଜେଡିର ନେତା, ମନ୍ତ୍ରୀ, ବିଧାୟକମାନେ ଆଜି ହତ୍ୟା, ଯୌନ କେଳେଙ୍କାରୀର କାର୍ପଟଦାର ଏବଂ ମହିଳା ବିରୋଧୀ ହିଂସାର ମୁଖ୍ୟ ଖଳନାୟକ ସାଜିବା ରାଜ୍ୟ ସରକାରଙ୍କ ସବୁଠୁ ବଡ ଉପଲବ୍ଧି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ବିଜେଡିର ମୁଖା ଖୋଲିଯିବା ଭୟରେ କିଛି ଦିନ ତଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଦିବ୍ୟଶଂକରଙ୍କ ଘନିଷ୍ଠ ସହଯୋଗୀ ଗୋବିନ୍ଦ ସାହୁଙ୍କୁ ଜେଲ ଭିତରେ ପୋଲିସ ସାହାଯ୍ୟରେ ହତ୍ୟା କରାଗଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କେଳେଙ୍କାରୀକୁ ନେଇ ମାହାଙ୍ଗା ମର୍ଡର ଘଟଣାର ୧୩ ନମ୍ବର ମୁଦାଲା ଭାବେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା ଅଛନ୍ତି । ନିଜ ଦଳର ନେତାମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ମଧ୍ୟ ଟ୍ରକ ଚଢାଇ ହତ୍ୟା କରାଗଲା । ବହୁଚର୍ଚ୍ଚିତ ନିମାପଡା ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ତାଙ୍କ ମୃତ୍ୟୁ ପାଇଁ ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ଦାଶ ଦାୟୀ ବୋଲି ନିଜ ମୃତ୍ୟୁ ପୂର୍ବରୁ କହିଥିଲେ । ନୟାଗଡର ପରୀ ହତ୍ୟା ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁଙ୍କ ସଂପୃକ୍ତି ସଂପର୍କରେ ଅଭିଯୋଗକୁ ରାଜ୍ୟ ସରକାର ଖଣ୍ଡନ କରିବା ସହିତ ବର୍ତମାନ ସୁଦ୍ଧା କୌଣସି ଗୋଟିଏ ଘଟଣାରେ ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଲୋକ ଲୋଚନକୁ ଆସିପାରିଲା ନାହିଁ । ଏପରିକି ବିଜେଡି ମୁଖିଆ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଲେ ନାହିଁ । ପ୍ରମାଣ ନଷ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ବିଜୁ ଜନତା ଦଳର କ୍ରମାଗତ ଶାସନରେ ଆଜି ଓଡିଶା ମହିଳା ବିରୋଧୀ ହିଂସାର ସମସ୍ତ ମାପଦଣ୍ଡରେ ଦେଶର ପ୍ରଥମ ୫ଟି ରାଜ୍ୟ ଭିତରେ ଆସିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଶାନ୍ତିପ୍ରିୟ ଓଡିଶା ରାଜ୍ୟରେ ରାଜନୀତିକୁ ଅପରାଧୀକରଣ ଏବଂ ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ହିଂସା ଓ ନିଯ୍ୟାତନାକୁ ବିଜେପି ବିରୋଧ କରୁଛି । ଏହା ପ୍ରତିବାଦରେ ଆସନ୍ତା ୨୬ ତାରିଖ ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ସମସ୍ତ ମଣ୍ଡଳରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତି ତଳେ ୪ଘଂଟିଆ ସତ୍ୟାଗ୍ରହ ପାଳନ କରାଯିବ । ବିଜେପି କାର୍ଯ୍ୟକର୍ତାଙ୍କ ସହ ସାଧାରଣ ନାଗରିକଙ୍କୁ ଏହି ସତ୍ୟାଗ୍ରହରେ ସାମିଲ ହେବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତିି ।
ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମଗିରି ବିଧାୟକ ତଥା ରାଜ୍ୟ ଉପସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସମାନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault