ଭୁବନେଶ୍ୱର : ଜଣାଶୁଣା ସାରସ୍ୱତ ସାଧିକା ବିଶିଷ୍ଟ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତାଙ୍କ କବିତା ସଙ୍କଳନ ‘ଦୟାନଦୀ’ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ ବୋଲି କେନ୍ଦ୍ର ଏକାଡେମୀ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।
୨୦୧୭ ମସିହାରେ ପ୍ରକାଶିତ ‘ଦୟାନଦୀ’ କବିତା ସଙ୍କଳନ ବେଶ୍ ପାଠକୀୟ ଆଦୃତି ଲାଭ କରିଥିବା ବେଳେ ନିକଟରେ ରାଜକମଲ ପ୍ରକାଶନୀ ଦ୍ୱାରା ଏହାର ହିନ୍ଦୀ ଅନୁବାଦ ପ୍ରକାଶ ପାଇଥିଲା । ଏହା ଗାୟତ୍ରୀବାଳାଙ୍କୁ ଜାତୀୟ ସ୍ତରରେ ପ୍ରସିଦ୍ଧି ଆଣିଦେଇଛି ।
୧୯୭୭ ମସିହାରେ ଜନ୍ମିତ ଗାୟତ୍ରୀବାଳା ଏକାଧାରରେ ଜଣେ ସାମ୍ବାଦିକ, କବି, ଗାଳ୍ପିକ । ଏ ଯାବତ ତାଙ୍କର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ , ଗୋଟିଏ ପ୍ରବନ୍ଧ ପୁସ୍ତକ ଓ ଦୁଇଟି ଉପନ୍ୟାସ ପ୍ରକାଶ ପାଇଛି |ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଗୋଟିଏ କବିତା ସଂକଳନ ପ୍ରକାଶ ପାଇଛି | ତାଙ୍କର ପ୍ରମୁଖ କବିତା ସଙ୍କଳନ ମଧ୍ୟରେ ରହିଛି ଆହତ ପ୍ରତିଶ୍ରୁତି(୨୦୦୧), ଅସ୍ପଷ୍ଟ ଈଶ୍ୱର(୨୦୦୨), ଅଣାୟତ୍ତ(୨୦୦୬), ଗାଁ(୨୦୦୮), ଯେତିକି ଦିଶୁଛି ଆକାଶ(୨୦୧୧), ଆଖି ନାଇଁ କାନ ନାଇଁ(୨୦୧୩), ଏ ରାତିର ଯେତେ ତାରା(୨୦୧୪), ବାଘ(୨୦୧୫), ଦୟାନଦୀ(୨୦୧୭), ମହେଞ୍ଜୋଦାର(୨୦୧୮), ନିର୍ବାଚିତ କବିତା(୨୦୧୯) ଓ ପ୍ରାର୍ଥନାର ଶବ୍ଦପରି(୨୦୨୨) । ବିସର୍ଜନ(୨୦୧୫), ନିଜକୁ ନେଇ ସତ ଗପ(୨୦୧୯) ନାମରେ ତାଙ୍କର ଦୁଇଟି ଗଳ୍ପ ସଙ୍କଳନ ଏବଂ ମମି ଯାହା ଜାଣେନାହିଁ(୨୦୧୬) ଅନ୍ୟତମ । ତାଙ୍କର ଦୁଇଟି କବିତା ଇଂରାଜୀରେ ଏବଂ ୪ ଟି କବିତା ହିନ୍ଦୀରେ ଅନୁବାଦିତ ହୋଇଛି ।
୨୦୧୧ ମସିହାରେ ତାଙ୍କୁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମିଳିଥିଲା । ଏହାପୂର୍ବରୁ ୨୦୦୦ ମସିହାରେ ରାଜ୍ୟ ଯୁବ ପୁରସ୍କାର, ୨୦୦୩ ରେ କାଦମ୍ବିନୀ କବିତା ସମ୍ମାନ. ୨୦୧୧ ରେ ଉତ୍କଳ ସାହିତ୍ୟ ସମାଜ ଯୁବ କବି ସମ୍ମାନ, ୨୦୧୫ ରେ ଦୀପକ ମିଶ୍ର କବିତା ସମ୍ମାନ ମିଳିଥିଲା । ୨୦ ରୁ ଅଧିକ ଅନୁଷ୍ଠାନରୁ ସେ ସମ୍ମାନ ଓ ପୁରସ୍କାର ପାଇଛନ୍ତି ।
ରାଜ୍ୟ
‘ଦୟାନଦୀ’ ପାଇଁ କବି ଡକ୍ଟର ଗାୟତ୍ରୀବାଳାଙ୍କୁ ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
- Hits: 356