ଐତିହ୍ୟ ମୁଦ୍ରାଗୁଡିକର ସଂରକ୍ଷଣ ପାଇଁ କଲେ ଦାବି
ନୂଆଦିଲ୍ଲୀ : ଓଡିଶା ରାଜ୍ୟ ସଂଗ୍ରହାଳୟରେ ତାଳପତ୍ର ପୋଥି ରିଡିଜିଟାଇଜେସନ କଥା ରାଜ୍ୟସଭାରେ ଉଠାଇବା ସହ ପୁରାତନ ଐତିହ୍ୟ ମୁଦ୍ରାଗୁଡିକର ସଂରକ୍ଷଣ ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ |
ରାଜ୍ୟସଭାରେ ଏକ ପ୍ରଶ୍ନ ଉତଥାପନ ମାଧ୍ୟମରେ ଶ୍ରୀମତୀ ଦେଓ କହିଥିଲେ ଯେ, ଓଡିଶା ରାଜ୍ୟ ସଂଗ୍ରହାଳୟରେ ୨୦୦୦୦ ବିଡା ତାଳପତ୍ର ପୋଥି ବା ପାଣ୍ଡୁଲିପି ରହିଛି , ଯେଉଁଥିରେ କି ୫୦୦ ଚିତ୍ର ପାଣ୍ଡୁଲିପି ଅନ୍ତ୍ରର୍ଭୁକ୍ତ | ସେଗୁଡିକର ଡିଜିଟାଇଜେସନ ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ | ହେଲେ ମଝିରେ ତାହାକୁ କେନ୍ଦ୍ର ସରକାର ବନ୍ଦ କରିଦେବା ପରେ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ଡିଜିଟାଇଜେସନ ପ୍ରକ୍ରିୟା ସମାପ୍ତ କରିଛନ୍ତି | ସେଥିମଧ୍ୟରୁ କେତେକ ଡିଭିଡି କାମ କରୁନି | ସେଥିମଧ୍ୟରୁ କେତେ ଡିଭିଡି କାମ କରୁନି ଓ ସେଇ ଡିଜିଟାଇଜେସନ ହୋଇଥିବା ତାଳପତ୍ର ପୋଥି ଗୁଡି଼କର ରୀଡିଜିଟାଇଜେସନପାଇଁ କେନ୍ଦ୍ର ସରକାରଙ୍କର କୌଣସି ପଦକ୍ଷେପ ନେବେକି ବୋଲି ଶ୍ରୀମତୀ ଦେଓ ପ୍ରଶ୍ନ କରିଥିଲେ | ଏହା ସହିତ ରାଜ୍ୟରେ ଥିବା ୨୦୦୦୦ରୁ ଉର୍ଧ୍ଵ ପୁରାତନ ଐତିହ୍ୟ ମୁଦ୍ରା ରହିଛି | ସେଗୁଡିକର ସଂରକ୍ଷଣ ପାଇଁ କିଛି ଯୋଜନା କେନ୍ଦ୍ର ସରକାରଙ୍କ ରହିଛି କି ବୋଲି ଶ୍ରୀମତୀ ଦେଓ ମଧ୍ୟ ପ୍ରଶ୍ନ କରିଥିଲେ | ଏହାର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ ଯେ ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ କାର୍ଯ୍ୟାଳୟ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ |