ଜଣେ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ବିଜେପି ହୀନ ରାଜନୀତି କରୁଛି: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ତଦାରଖରେ ମାମଲାର ତଦନ୍ତ ହୋଇଛି

  •  ଗୋବିନ୍ଦର ଆତ୍ମହତ୍ୟାକୁ ନେଇ ବିଜେପି ନେତାମାନେ ଲୁହ ଗଡ଼ାଉଛନ୍ତି କାହିଁକି ?

  •  ନ୍ୟାୟପାଳିକା ଉପରେ ବିଜେପିର ଆସ୍ଥା ନାହିଁ କି ?

  •  ମମିତାଙ୍କ ହତ୍ୟାକାରୀକୁ ସମର୍ଥନ କରି ତାଙ୍କ ପରିବାରକୁ ଆଉ ମାନସିକ ଯନ୍ତ୍ରଣା ନ ଦିଅନ୍ତୁ


ଭୁବନେଶ୍ୱର: ପ୍ରାୟ ଏକ ବର୍ଷ ତଳେ ମମିତା ମେହେର ହତ୍ୟାକାଣ୍ଡ ଘଟିଲା ବେଳେ ଏହାକୁ ନେଇ ଅନେକ ରାଜନୀତି ହୋଇଥିଲା। ଏପରିକି ଏହି ସ୍ପର୍ଶକାତର ମାମଲାରୁ ରାଜନୀତିର ରୁଟି ସେକିବା ପାଇଁ ବିରୋଧୀ ଦଳମାନେ ପୀଡ଼ିତାଙ୍କ ଚରିତ୍ର ସଂହାର କରିବାକୁ ପଛାଇ ନଥିଲେ । ଏବେ ପୁଣିଥରେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିବା ପରେ ବିଜେପି ହୀନ ରାଜନୀତି କରିବା ଆରମ୍ଭ କରି ଦେଇଛି । ରାଜନୀତି କରିବା ଲାଗି ଓଡ଼ିଶାରେ ଆହୁରି ଅନେକ ପ୍ରସଙ୍ଗ ରହିଛି । ତେଣୁ ବିଜେପି ନେତାମାନେ ଶସ୍ତା ରାଜନୀତି ନ କରି ନ୍ୟାୟପାଳିକା ଉପରେ ଆସ୍ଥା ରଖନ୍ତୁ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ମମିତା ମେହେର ହତ୍ୟାକାଣ୍ଡ ଘଟିବା ପରେ, ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଜଣେ କାର‌୍ୟ୍ୟରତ ବିଚାରପତିଙ୍କ ତଦାରଖରେ ଏହି ମାମଲାର ତଦନ୍ତ ଲାଗି ଅନୁମତି ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ମାନ୍ୟବର ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ତଦାରଖରେ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଜଜ୍‌ଙ୍କ ତଦାରଖରେ ତଦନ୍ତ ହେବା ପରେ ପୁଲିସ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଅଦାଲତରେ ମଧ୍ୟ ତ୍ୱରିତ ବେଗରେ ମାମଲାର ଶୁଣାଣି ଜାରି ରହିଥିଲା ।
ଅନ୍ୟପକ୍ଷରେ ଏହି ସ୍ପର୍ଶକାତର ମାମଲାରେ ଆରମ୍ଭରୁ ବିଜେପି ରାଜନୀତି କରିବା ସହ ମୃତ ମମିତା ମେହେରଙ୍କ ଚରିତ୍ର ସଂହାର କରିବାରୁ ମମିତାଙ୍କ ପରିବାରବର୍ଗ ଗଭୀର ମାନସିକ ଆଘାତ ପାଇଥିଲେ । ତେଣୁ ସେମାନେ ଏହାକୁ ନେଇ ରାଜନୀତି ନ କରିବାକୁ ହାତ ଯୋଡ଼ି ନିବେଦନ କରିଥିଲେ । ମାତ୍ର ଏହା ସତ୍ତ୍ଵେ ବିଜେପି ନେତାମାନେ ତାଙ୍କ କୋହପୂର୍ଣ୍ଣ ଆବେଦନକୁ ଗ୍ରହଣ ନ କରି ଏହି ସ୍ପର୍ଶକାତର ଘଟଣାକୁ ନେଇ ରାଜନୀତି କରି ଚାଲିଲେ । ତେଣୁ ମମିତାଙ୍କ ପରିବାର ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଏବଂ ଏହା ଉପରେ ରୋକ୍ ଲଗାଇବାକୁ ନିବେଦନ କଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା, ଏତେ ପରେ ବି ବିଜେପି ନେତାମାନେ ଏହାକୁ ନେଇ ହୀନ ରାଜନୀତି କରିଥିଲେ ।
ବିଶେଷକରି ମମିତାଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁର ଆତ୍ମହତ୍ୟା ପରେ ବିଜେପି ପୁଣିଥରେ ରାଜନୀତିର ରୁଟି ସେକିବା ଆରମ୍ଭ କରି ଦେଇଛି । ତେଣୁ ମମିତାଙ୍କ ପରିବାର ଗଣମାଧ୍ୟମ ଆଗକୁ ଆସି ଏହାକୁ ନାପସନ୍ଦ କରିଛନ୍ତି । ଆଇନ ବ୍ୟବସ୍ଥା ଉପରେ ମଧ୍ୟ ସେମାନେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି । ସେମାନେ କହିଛନ୍ତି ଯେ ଗୋବିନ୍ଦ ସାହୁ ଆତ୍ମହତ୍ୟା ପରେ ଭଗବାନ ଆମକୁ ନ୍ୟାୟ ଦେଇଛନ୍ତି ବୋଲି ସେମାନେ ଗଣମାଧ୍ୟମରେ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ଆମେ ବିଜେପି ନେତାମାନଙ୍କୁ ପଚାରିବାକୁ ଚାହୁଁ; ଗୋବିନ୍ଦ ସାହୁ ହତ୍ୟାକାରୀ ଥିଲା ନା ନାହିଁ ? ଗୋବିନ୍ଦ ସାହୁ ଜଣେ ନରରାକ୍ଷସ ନା ଭଦ୍ରଲୋକ ? ଜଣେ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ବିଜେପି ଏତେ ଲୁହ ଗଡ଼ାଉଛି କାହିଁକି ? ଓଡ଼ିଶାରେ ରାଜନୀତି କରିବାକୁ ଅନେକ ପ୍ରସଙ୍ଗ ଅଛି। ମାତ୍ର ଗୋଟିଏ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ରାଜନୀତି କରିବା କେତେଦୂର ଠିକ୍ ? ନ୍ୟାୟପାଳିକା ଉପରେ ବିଜେପିର ଆସ୍ଥା ନାହିଁ କି ?
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ବର୍ଷ ମଧ୍ୟରେ ବିଜେପି ଶାସିତ ଉତ୍ତରପ୍ରଦେଶରେ ୯୫୨ ଜଣ ବିଚାରାଧୀନ କଏଦୀ ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି । ଏହି କଏଦୀମାନଙ୍କୁ ହତ୍ୟା କରାଯାଇଥିଲା ନା ସେମାନଙ୍କୁ ନ୍ୟାୟ ମିଳିଲାନି ବୋଲି ସେମାନେ ଆତ୍ମହତ୍ୟା କଲେ । ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟାର ପଥ ବାଛି ନେଉଥିବା ଏହି କଏଦୀମାନଙ୍କ ସପକ୍ଷରେ ଯୁକ୍ତି ବାଢ଼ି କୌଣସି ବିଚାରଶୀଳ ବ୍ୟକ୍ତି ଶସ୍ତା ରାଜନୀତି କରିବ ନାହିଁ।
ମମିତାଙ୍କ ପରିବାର ତାଙ୍କର ଝିଅକୁ ହରାଇଛନ୍ତି । ସେଥିପାଇଁ ସେମାନେ ଗଭୀର ମାନସିକ ଯନ୍ତ୍ରଣା ଭୋଗ କରିଛନ୍ତି । ଏବେ ବିଜେପି ନେତାମାନେ ମମିତାଙ୍କ ହତ୍ୟାକାରୀକୁ ସମର୍ଥନ କରି ଆଉଥରେ ତାଙ୍କ ପରିବାର ଲୋକଙ୍କୁ ଅଧିକ ମାନସିକ ଯନ୍ତ୍ରଣା ଦେବାକୁ ଚାହୁଛନ୍ତି କି ? ମମିତାଙ୍କ ଭଳି ଆମ ସମସ୍ତଙ୍କର ଝିଅ ବା ଭଉଣୀ ଅଛନ୍ତି । ଭଗବାନ ନ କରନ୍ତୁ, କୌଣସି ଝିଅ ଏଭଳି ବର୍ବର ହତ୍ୟାର ଶିକାର ହେଉ । କିନ୍ତୁ ଯଦି ସେମାନଙ୍କ ଝିଅ ବା ଭଉଣୀ ସହ ଏଭଳି ଅଘଟଣ ଘଟିଥାନ୍ତା, ସେମାନେ କଣ ହତ୍ୟାକାରୀ ସପକ୍ଷରେ ଏମିତି ଯୁକ୍ତି କରିଥାନ୍ତେ ? ଜଣେ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ଏଭଳି ହୀନ ରାଜନୀତି କରିଥାନ୍ତେ ? ତେଣୁ ଯେଉଁମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି, ସେମାନେ ନିଜ ବିବେକକୁ ପଚାରନ୍ତୁ । ମମିତାଙ୍କ ପରିବାର କଥା ଟିକେ ଚିନ୍ତା କରନ୍ତୁ ।
ନ୍ୟାୟ ଦେବା ପାଇଁ ଭାରତରେ ତଥା ଆମ ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ଯଥେଷ୍ଟ ସୁଦୃଢ଼ ଓ ନିରପେକ୍ଷ ଅଛି । ତେଣୁ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ବିଜେପି ନେତାମାନେ ଅଯଥା ରାଜନୀତି ନ କରି ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ରଖନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

0
0
0
s2sdefault