ସହର ସମେତ ଗ୍ରାମାଂଚଳରେ ବ୍ୟାପକ ସଚେତନତା ସୃଷ୍ଟି ହେଲେ ଦୁର୍ଘଟଣା ହ୍ରାସ ଘଟିବ-ପରିବହନ ମନ୍ତ୍ରୀ ଶ୍ରୀମତୀ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଡକ ସୁରକ୍ଷା ପରିଷଦ ବୈଠକ

ଭୁବନେଶ୍ୱର: ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଡକ ସୁରକ୍ଷା ସଂପର୍କିତ ବ୍ୟାପକ ଜନସଚେତନତା, ଏଥି ନିମନ୍ତେ ରହିଥିବା ଆଇନର କଠୋର ଅନୁପାଳନ କରାଗଲେ ସଡକ ଦୁର୍ଘଟଣାଜନିତ ମୃତ୍ୟୁକୁ ହ୍ରାସ କରାଯାଇପାରିବ ବୋଲି ଆଜି ଭୁବନେଶ୍ୱର ଲୋକସେବା ଭବନସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ସଡକ ସୁରକ୍ଷା ପରିଷଦର ୨ୟ ବୈଠକରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦେଇ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ରାଜ୍ୟରେ ପ୍ରାୟ ୬୮ ପ୍ରତିଶତ ଦୁର୍ଘଟଣା ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ଘଟୁଛି । ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ୭୦ ପ୍ରତିଶତ ହେଉଛନ୍ତି ଯୁବପିଢି, ଯେଉଁମାନେ ହେଉଛନ୍ତି ପରିବାରର ରୋଜଗାରକ୍ଷମ ବ୍ୟକ୍ତି । ଅଧିକାଂଶ ହେଉଛନ୍ତି ଦୁଇଚକିଆ ଯାନ ଚାଳକ । ତେଣୁ ୨ଚକିଆ ଯାନ ଚାଳକ ଓ ସହଯାତ୍ରୀ ଉଭୟ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରି ଆମେ ବହୁ ଅମୂଲ୍ୟ ଜୀବନ ରକ୍ଷା କରିପାରିବା ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ ଯାନ ଚାଳକଙ୍କୁ ଉପଯୁକ୍ତ ଯୋଗ୍ୟତା ଭିତ୍ତିରେ ଲାଇସେନ୍ସ ପ୍ରଦାନ, ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଁଚାଇବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ମନ୍ତ୍ରୀ କହିଥିଲେ । ନିଶା ସେବନ କରି ଗାଡି ଚଳାଇବା ଏବଂ ଭୁଲ ପାର୍ଶ୍ୱରେ ଗାଡିଚାଳନା ରୋକିବା ଦିଗରେ କଡାକଡି ପଦକ୍ଷେପ ନିଆଯିବାକୁ ମନ୍ତୀ ପରାମର୍ଶ ଦେଇଥିଲେ ।
ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା ଯୋଗଦେଇ କହିଲେ ଯେ, ଆମ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁର କାରଣ ଅନୁଧ୍ୟାନ କରି ଏ ଦିଗରେ ଦୃଢ ପଦକ୍ଷେପ ନେବାକୁ ହେବ । ବେପରୁଆ ଗାଡି ଚାଳନା ଏବଂ ରାସ୍ତା ନିର୍ମାଣଜନିତ ତୃଟି ପ୍ରତି ଯଦି ଆମେ ସଜାଗ ରହିବା, ତେବେ ଅଧିକାଂଶ ସଡକ ଦୁର୍ଘଟଣା ଜନିତ କ୍ଷୟକ୍ଷତିକୁ ଆମେ ରୋକି ପାରିବା ବୋଲି ସେ କହିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ, ଦୁର୍ଘଟଣା ଘଟିବା ବେଳେ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବା, ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ସେଥିପ୍ରତି ଆମକୁ ଦୃଷ୍ଟିଦେବାକୁ ପଡିବ । ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂଶଲବୈଠକରେ ଯୋଗଦେଇ କହିଲେ ଯେ, ଆମେ ସମସ୍ତେ ଚାହୁଁଛୁ ସଡକ ଦୁର୍ଘଟଣା ହ୍ରାସ ପାଉ । ଆମର ରାସ୍ତା ଓ ଯାନ ନିର୍ମାଣ କ୍ଷେତ୍ରରେ ଗୁଣାତ୍ମକତା ବୃଦ୍ଧି ଘଟିଛି । କିନ୍ତୁ ଯାନ ଚାଳକମାନଙ୍କର ଯାନ ଚାଳନାରେ ଉନ୍ନତ ମାନସିକତାର ଆବଶ୍ୟକତା ରହିଛି । ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ଥିବା ପଦ୍ଧତିକୁ ସରଳ କରାଯାଉ, କିନ୍ତୁ, ଯୋଗ୍ୟତା ମାନଦଣ୍ଡରେ କୌଣସି କୋହଳ ମନୋବୃତ୍ତି କରାଯିବା ଉଚିତ୍ ନୁହେଁ ବୋଲିସେ ମତ ରଖିଥିଲେ । ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ଯୋଗଦେଇ କହିଲେ ଯେ, ଭିତ୍ତିଭୂମି ଉନ୍ନତି କ୍ଷେତ୍ରରେ ଆମ ରାଜ୍ୟରେ ଅଗ୍ରଗତି ଘଟିଛି । ସଡକ ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କରୁଥିବା ବ୍ୟକ୍ତିର ପରିବାର ଉପରେ ସାମାଜିକ ତଥା ଆର୍ଥିକ ଦୃଷ୍ଟିକୋଣରୁ ଗୁରୁତର ପ୍ରଭାବ ପଡୁଛି । ଏଣୁ ଦୁର୍ଘଟଣାକୁ ଏଡାଇବା ପାଇଁ ପରିବହନ ବିଭାଗ ସହିତ ପୁଲିସ୍ ବିଭାଗର ମଧ୍ୟ ସମାନ ଦାୟିତ୍ୱ ରହୁଛି । ସମସ୍ତଙ୍କ ସମନ୍ୱୟରେ ସଡକ ସୁରକ୍ଷା ଆଇନ୍ ଓ ନିୟମକୁ କଠୋର ଅନୁପାଳନ କରିବାକୁ ପଡିବ ବୋଲି ଶ୍ରୀମତୀ ପାଢୀ କହିଥିଲେ ।
ରାଜ୍ୟ ପରିବହନ ଆୟୁକ୍ତ ଶ୍ରୀ ଅରୁଣ ବୋଥ୍ରା ବୈଠକରେ ସଂଯୋଜନା କରି କହିଲେ ଯେ, ସଡକ ସୁରକ୍ଷା ହ୍ରାସ କ୍ଷେତ୍ରରେ ଆମ ରାଜ୍ୟ ଏବେ ଭଲ ପ୍ରଦର୍ଶନକରି ହାଇ ପରଫରମର ଗ୍ରୁପରେ ରହିଥିବା ସୁପ୍ରିମ କୋର୍ଟ କମିଟିଙ୍କ ଦ୍ୱାରା ନିଯୁକ୍ତ ସଂସ୍ଥା ସନ୍ତୋଷ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏହି ପ୍ରୟାସ ଅଧିକ ଜାରି ରହିବ ବୋଲି ସେ ପ୍ରକାଶ କରି ରାଜ୍ୟ ପରିବହନ ବିଭାଗ ତରଫରୁ ସଡକ ସୁରକ୍ଷା ସଂପର୍କିତ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର-କଟକ ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ବିଭାଗ ସଚିବ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ କିଶୋର ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault