ଭୁବନେଶ୍ୱର: ମଶାର ପ୍ରାଦୁର୍ଭାବରେ ରାଜଧାନୀ ବାସି ହନ୍ତସନ୍ତ ହେଉଥିବା ବେଳେ ରାଜଧାନୀରେ ମଶା ଉତ୍ପାତ ସଂକ୍ରାନ୍ତରେ ଭୁବନେଶ୍ୱର ମହାନଗରନିଗମ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା । ମଶା ନିୟନ୍ତ୍ରଣ ସମ୍ପର୍କରେ କାହିଁକି ନାହାନ୍ତି ବିଏମସିରେ ବିଶେଷଜ୍ଞ? କାହିଁକି ମଶାଙ୍କ ଲାର୍ଭା ଖାଇବାପାଇଁ ୧୦ବର୍ଷ ହେଲା ବନ୍ଦ ହୋଇଯାଇଛି ରସୁଲଗଡ଼ର ମାଛ ହାଚେରୀ ? କାହିଁକି ଅନ୍ୟସୂତ୍ରରୁ ସଂଗ୍ରହ କରି ଅପରିସ୍କାର ପାଣିରେ ଗଙ୍ଗୁଶିଆ ମାଛ ଓ ପରିସ୍କାର ପାଣିରେ ଗଫି ମାଛ ଛଡ଼ାଯାଉ ନାହିଁ ? କାହିଁକି ଆଜି ପର୍ଯ୍ୟନ୍ତ ଶୋଇ ପଡ଼ିଥିଲେ ମଶା ଦଂଶନ ବଢ଼ିଚାଲିଥିବା ସତ୍ୱେ?
ଶ୍ରୀ ବେହେରା ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ରାଜଧାନୀବାସୀଙ୍କ ପୀଡ଼ା ବଢ଼ି ବଢ଼ି ଚାଲିଛି । କେତେବେଳେ ପକୃତି ଦାଉ ସାଧୁଛି ତ କେତେବେଳେ କିଟ ପତଙ୍ଗ । ବର୍ଷା ଋତୁରେ ଭୁବନେଶ୍ୱର ମହାନଗରର ବହୁ ଅଂଚଳ ବୁଡ଼ିିଯାଇ ନାହିଁ ନଥିବା ସମସ୍ୟା ସୃଷ୍ଟି କରିବାସ୍ଥଳେ ଏବେ ମଶା ମାଛି ମାନଙ୍କ ଉପଦ୍ରବ ରାଜଧାନୀବାସୀଙ୍କ ନିଦ ହଜାଇଛି । କେବଳ ତଳି ଅଂଚଳ ନୁହେଁ ସମସ୍ତ ବିକଶିତ ଅଂଚଳରେ ମଧ୍ୟ ମଶା ଦାଉରୁ ରକ୍ଷା ପାଇବାକୁ ବିଏମସି କର୍ତୃପକ୍ଷଙ୍କ ନିକଟରେ ଜନସାଧାରଣ ଚିତ୍କାର କରୁଛନ୍ତି । ସମସ୍ୟାର ଅନ୍ତ ଘଟିବା ପରିବର୍ତେ ଅଧିକରୁ ଅଧିକ ଉତ୍କଟ ହୋଇ ଚାଲିଛି ।
ମହାନଗର ନିଗମ ମଶାନିବାରଣ କ୍ଷେତ୍ରରେ ଚରମ ଉଦାସୀନତା ପ୍ରଦର୍ଶନ କରୁଛି । ଏହାକୁ ଏକ ନିତିଦିନିଆ ଘଟଣାରୂପେ ବିଚାର କରି ଆବଶ୍ୟକୀୟ ତତ୍ପରତା ପ୍ରକାଶ କରୁନାହିଁ । ଫଳତଃ ମଶା ବଂଶ ଅଭାବନୀୟ ଭାବେ ବଢ଼ି ଚାଲିଛି ଓ ତାହ ସହ ନଗରବାସୀଙ୍କ ଦୁର୍ଦ୍ଦଶା ବି ବଢ଼ି ଚାଲିଛି ।
କଂଗ୍ରେସ ବିଏମସିରେ ମଶା ଉତ୍ପାଦ ଘଟଣାରେ ଘୋର ଉଦ୍ବେଗ ପ୍ରକାଶ କରିବା ସହ ବିଏମସି କତୃପକ୍ଷଙ୍କ ପାରମ୍ପରିକ ଆଭିମୁଖ୍ୟକୁ ଘୋର ନାପସନ୍ଦ କରୁଛି । ଦୀର୍ଘକାଳ ଅବହେଳା କରି ଏବେ ହଟାତ କେତେକ ପଦକ୍ଷେପ ଘୋଷଣା କେବଳ ଆତ୍ମରକ୍ଷା ବ୍ୟତୀତ କିଛି ନୁହେଁ । ମନେରଖିବା ଉଚିତ ଯେ ମହାନଗର ନିଗମବାସୀଙ୍କ ସ୍ୱାସ୍ଥ୍ୟରକ୍ଷା ବିଏମସିର ପ୍ରଥମ ଓ ପ୍ରଧାନ ଦାୟୀତ୍ୱ । ଏ କ୍ଷେତ୍ରରେ ଆଳ ନେଇ ଖସିବା ଉଦ୍ୟମ ଦୁର୍ଭାଗ୍ୟଜନକ ।
ସୁତରାଂ ଯୁଦ୍ଧକାଳୀନ ଭିତିରେ ମଶା ନିପାତ ନିମିତ ପଦକ୍ଷେପ ଗ୍ରହଣ କରିବା ସହ କେବେ ସୁଦ୍ଧା ରାଜଧାନୀବାସୀ ମୁକ୍ତି ପାଇବେ ତାହାର ଠୋସ ଉତର ରଖିବାକୁ ଶ୍ରୀ ବେହେରା ବିଏମସି କର୍ତୃପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି । ନିରୁତର ରହିଲେ କଂଗ୍ରେସ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ପୂର୍ବତନ ମନ୍ତ୍ରୀ ଚେତାଇ ଦେଇଛନ୍ତି ।
ରାଜ୍ୟ
ମଶା ଉତ୍ପାତରୁ କେବେ ମିଳିବ ମୁକ୍ତି, ଜବାବ ଦିଅନ୍ତୁ ବିଏମସି କର୍ତ୍ତୃପକ୍ଷ- କଂଗ୍ରେସ
- Hits: 368