-
ଘଟଣାସ୍ଥଳରେ ନୟାଗଡ଼ ଏସପିଙ୍କ ତଦାରଖ
-
ଓଡ଼ଗାଁ ପୋଲିସକୁ ସଂଲଗ୍ନ ସିସିଟିଭି ଯାଞ୍ଚ୍ ପାଇଁ ଅନୁମତି
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୁରାଳ ଗ୍ରାମ ନେଳିଆ ସାହିର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ପାତ୍ର(୧୨) ନିଖୋଜ ଘଟଣାର ୪୦ ଘଣ୍ଟା ଅତିକ୍ରମ କରିଥିଲେ ମଧ୍ୟ ଶିଶୁଟିର କୌଣସି ପତ୍ତା ମିଳିପାରିନାହିଁ । ବାପା ମା' ପୁଅ ନପାଇ ଅଥୟ ହୋଇପଡିଥିବା ବେଳେ ଘଟଣା ସମ୍ପର୍କରେ ସୂଚନା ପାଇବା ପରଠାରୁ ଓଡ଼ଗାଁ ପୋଲିସ ତନାଘନା ଜାରି ରଖିଛି । କୁରାଳ ଗ୍ରାମ ସଂଲଗ୍ନ ଓଡ଼ଗାଁ, କୋମଣ୍ଡ, ରୋହିବାଙ୍କ, ବାଘୁଆଛକ, ସୁନାମୁହିଁ, ବାହାଡାଝୋଲା ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଯାଞ୍ଚ କରୁଛନ୍ତି । ପ୍ରାଥମିକ ତଦନ୍ତ ଅନୁସାରେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏକ ନିବୁଜ ପିକପ ଭ୍ୟାନ ଏଠାରେ ୨/୪ ଦିନ ହେବ କିଛି ସମୟ ରହିବା ପରେ ଏଠାରୁ ଚାଲିଯାଉଥିଲା । ହେଲେ ଅମ୍ରିତର ବାପା ପୂର୍ଣ୍ଣଚନ୍ଦ୍ର ପାତ୍ର ଜଣେ ବ୍ୟବସାୟୀ ହୋଇଥିବାରୁ ପିକଅପଭ୍ୟାନଟି ସେଠାକୁ ଆସୁଥିବ ଭାବି ଲୋକେ ତା ସମ୍ପର୍କରେ ଧ୍ୟାନ ଦେଇନଥିଲେ । ଓଡ଼ଗାଁ ପୋଲିସ ଇତିମଧ୍ୟରେ ରାଜ୍ୟର ସମସ୍ତ ଥାନାକୁ ଘଟଣା ସମ୍ପର୍କରେ ଅବଗତ କରାଇଥିବା ବେଳେ ଶିଶୁ ଅମ୍ରିତର ଉଦ୍ଧାର ପାଇଁ ଆପ୍ରାଣେ ଚେଷ୍ଟା ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଆଧୁନିକ ଜ୍ଞାନ କୈାଶଳ ମାଧ୍ୟମରେ ଡମ୍ପ ଲୋକେସନ ଦ୍ବାରା ଅପରାଧୀ ନିକଟରେ ପହଁଚିବା ପାଇଁ ପୋଲିସ ଉଦ୍ୟମ କରୁଛି । ଏଥିସହିତ ଶରଣକୁଳ ଏସଡିପିଓ କିରଣ ହେମ୍ବ୍ରମ ଓଡ଼ଗାଁ ଥାନାରେ ରହି ତଦନ୍ତର ଦିଗ ସମ୍ପର୍କରେ ନଜର ରଖିଛନ୍ତି । ଶନିବାର ଦିନ ସକାଳେ ଘଟଣା ସ୍ଥଳରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରମେଶ ପହି ପହଞ୍ଚି ତଦାରଖ କରି ଫେରିଥିବା ବେଳେ ଭୁବନେଶ୍ୱରରୁ ଡଗସ୍କ୍ବାଡ ଦ୍ବାରା ତଦନ୍ତ ଚାଲିଛି । ଘଟଣାରୁ ଜଣାଯାଏ ପ୍ରତିଦିନ ପରି ଅମ୍ରିତ ଗୁରୁବାର ସନ୍ଧ୍ୟା ୫ ବେଳେ ବେଙ୍ଗେଇ ସାହିକୁ ଟିୟୁସନ ଯାଇ ୭.୩୦ ସମୟରେ ଘରକୁ ଫେରୁଥିଲା । ଅମ୍ରିତ ଫେରିବାର ୨/୩ ମିନିଟ ପରେ ନବମ ଶ୍ରେଣୀରେ ପଢ଼ୁଥିବା ଦିପ୍ତୀରଞ୍ଜନ ପରିଡ଼ା ସେହି ରାସ୍ତା ଦେଇ ଆସୁଥିବା ବେଳେ ଗୋଟିଏ ନିବୁଜ ପିକଅପଭ୍ୟାନ ସେଠାରୁ ବୁଲାଇ ପଳାଉଥିବା ଦେଖିବାକୁ ପାଇଥିଲା । ହେଲେ ଦିପ୍ତୀରଞ୍ଜନ ସେ ସମୟରେ ଗାଡ଼ି ଉପରେ ଧ୍ୟାନ ଦେଇନଥିଲେ ମଧ୍ୟ ନିଖୋଜ ଘଟଣା ପରେ ଦିପ୍ତୀରଞ୍ଜନ ଗାଡିବୁଲାଇବା କଥା ସମସ୍ତଙ୍କୁ କହିଥିଲା । ଉକ୍ତ ସୂଚନା ଆଧାରରେ ତଦନ୍ତ ଆରମ୍ଭ ହୋଇଛି । ଏ ସଂକ୍ରାନ୍ତରେ ଓଡ଼ଗାଁ ଥାନାରେ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ପହଞ୍ଚି ଘଟଣା ବିଷୟରେ ବୁଝିବା ସହିତ ଶୀଘ୍ର ଏସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ କହିଥିଲେ । ପାରିବାରିକ, ବ୍ୟବସାୟିକ ତଥା ଋଣକାରବାର ଭଳି କିଛି ଘଟଣାରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ଘଟଣା ସ୍ଥଳର ଲୋକଙ୍କ ଆଲୋଚନାରୁ ଅନୁମେୟ ।