ଗ୍ରାମ୍ୟ ଉନ୍ନୟନ ଯୋଜନା ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର :ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, କୋଠାବାଡ଼ି, ଜିଲ୍ଲା ଖଣିଜ ପାଣ୍ଠି, ଓମ୍ବାଡ୍ସି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ସହିତ ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ ଏବଂ ମୁଖ୍ୟମନ୍ତ୍ରୀ ଜନଶୁଣାଣିର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ରାଜ୍ୟର ସମସ୍ତ ୬୦ଟି ଡିଭିଜନ ଏବଂ ୧୩ଟି ସର୍କଲ ଇଂଜିନିୟରିଂ ସଂସ୍ଥାର ମୁଖ୍ୟ ଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀମାନଙ୍କୁ ନେଇ ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମାପନ କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ ଇଂଜିନିୟରମାନଙ୍କୁ ସର୍ବୋଚ୍ଚ ଯନ୍ତ୍ରୀମାନଙ୍କ ଦ୍ୱାରା ବୈଷୟିକ ଜ୍ଞାନକୌଶଳ ସଂପର୍କିତ ଏକ ଭିଡ଼ିଓ ପ୍ରଦର୍ଶନ ସହ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡ଼ା, ଶ୍ରୀ ଅକ୍ଷୟ ପ୍ରଧାନଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ ।