ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଜୋନସ୍ତରୀୟ ବିଶାଳ ନିର୍ବାଚନୀ ସଭା
ଜନସାଧାରଣଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଆଶୀର୍ବାଦ ଭିକ୍ଷା କଲେ ବର୍ଷାରାଣୀ
ପଦ୍ମପୁର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀନୀ ବର୍ଷାରାଣୀ ସିଂ ବାରିହାଙ୍କୁ ନେଇ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ,ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂ,ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ମାଝୀ , ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ, ବରିଷ୍ଠ ନେତା ଗୌରହରି ମିଶ୍ରଙ୍କ ସମେତ ୨ନଂ ଜୋନ୍ ର ୮ଟି ପଞ୍ଚାୟତର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଜୋନ୍ ସ୍ତରୀୟ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ନିର୍ବାଚନୀ ସଭାରେ ୧୦,୦୦୦ ରୁ ଅଧିକ ଜନସାଧାରଣ ସମାଗମ ହୋଇଥିଲେ। ଏହି ବିଶାଳ ସମାବେଶରେ ବିଜେଡି ନେତୃବୃନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚାଲିଥିବା ସୁଶାସନ, ମହିଳା ସଶକ୍ତିକରଣ, କୃଷକଙ୍କ ବିକାଶ ପାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହ ପଦ୍ମପୁର ବିକାଶ ଓ କୃଷକ ସମାଜର ଉନ୍ନତି ଆମର ଏକମାତ୍ର ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ | ସ୍ବର୍ଗତ ବିଧାୟକ ବିହୟ ସିଂହ ବରିହାଙ୍କ ସୁକନ୍ୟା ବର୍ଷାଙ୍କୁ ଆଶୀର୍ବାଦ କରି ଉପନିର୍ବାଚନରେ ବିଜୟୀ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନେତୃବୃନ୍ଦ ଅନୁରୋଧ କରିଥିଲେ | ବର୍ଷା ଉପସ୍ଥିତ ଜନସାଧାରଣଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ | ଉପସ୍ଥିତ ଜନସାଧାରଣ ବିପୁଳ କରତାଳି ଓ ହୁଳହୁଳି ଭିତରେ ବର୍ଷଙ୍କ ପ୍ରତି ସେମାନଙ୍କ ସମର୍ଥନ ତଥା ଆଶୀର୍ବାଦ ଜାହିର କରିଥିଲେ |