ହେଡଲାଇନସ୍:

ପିତୃମାତୃହୀନ ଶିଶୁଙ୍କ ପାଇଁ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ”- ୨୦୨୨

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାର ସମସ୍ତ ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କ ଶିଶୁ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ମହକ"- ୨୦୨୨ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଦୌରାଜଜ୍ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟ , ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥି ମିଳିତ ଭାବେ ଶିଶୁ ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ପରେ ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଯୋଗ ଦେଇ ଶିଶୁ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ କିଭଳି ସହାୟ ହୋଇ ଅଧିକ ଗୁରୁତ୍ବ ଦେବେ , ସେ ସମ୍ପର୍କରେ କହିଥିଲେ।
ଆଗାମୀ ଦିନରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲେଇବା ପାଇଁ ଜିଲ୍ଲାପାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ପିଲାମାନଙ୍କର ପ୍ରତ୍ୟେକ ଆବଶ୍ୟକତାକୁ ଧ୍ୟାନ ଦେବାକୁ କହିଥିଲେ।
ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥି ଏବଂ ଜିଲ୍ଲା କିଶୋର ନ୍ୟାୟ ପରିଷଦର ପ୍ରିନ୍ସିପାଲ୍ ମାଜିଷ୍ଟ୍ରେଟ୍ ଶ୍ରୀ ସତ୍ୟବ୍ରତ ରାଣା ଯୋଗ ଦେଇ ଶିଶୁ ମାନେ ଦେଶର ଭବିଷ୍ୟତ , ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରତି ଗୁରୁତ୍ବ ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ଅନ୍ୟପକ୍ଷରେ ଶିଶୁମାନେ କିଭଳି ଜିଲ୍ଲାସ୍ତରରେ କୃତିତ୍ୱ ହାସଲ କରି ରାଜ୍ୟ ଓ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ଭାଗ ନେଇ ଗଜପତି ଜିଲ୍ଲା ପାଇଁ ଗୌରବ ଆଣି ପାରିବେ ସେ ସମ୍ପର୍କରେ କହିଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରି ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣ ତଥା ପ୍ରତିଭା କୁ ବିକାଶ କରିବା ସହ ଲୋକ ଲୋଚନରେ ପ୍ରସ୍ପୂଟିତ କରାଇବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।
ଅନ୍ୟପକ୍ଷେ ପିତୃ-ମାତୃହୀନ ଶିଶୁ ମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଅହରହ ଉଦ୍ୟମ ଜାରି ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ପ୍ରକାଶ କରିଥିଲେ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଶିଶୁଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଯଥା :- ବକ୍ତୃତା , ସଙ୍ଗୀତ , ନୃତ୍ୟ , କୁଇଜ୍ , ଚିତ୍ରାଙ୍କନ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ କୃତି ପ୍ରତିଯୋଗୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିଙ୍କ ହସ୍ତରୁ ପୁରସ୍କାର ଏବଂ ମାନପତ୍ର ଗ୍ରହଣ କରିଥିଲେ।
ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସାହିତ ବାର୍ତ୍ତା ଦେଇଥିଲେ ଯେ ଶିଶୁମାନେ ଆମର ଦେଶର ଭବିଷ୍ୟତ ଅଟନ୍ତି। ପ୍ରତିଟି ଶିଶୁ ମୁହଁରେ ହସ ଫୁଟାଇବା ସମସ୍ତଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ଅଟେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀଯୁକ୍ତ ରବିନ୍ଦ୍ର ନାରାୟଣ ବେହେରା , ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତି ଅଳକା ସାହୁ , ପାରଳାଖେମୁଣ୍ଡି ପୌରପରିଷଦର କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀଯୁକ୍ତ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ୬ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଶତାଧିକ ଶିଶୁ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମଚାରୀ ପରିଚାଳନା କରିଥିବା ବେଳେ ସ୍ବତନ୍ତ୍ର ପୋଷ୍ୟ ଗ୍ରହଣ କେନ୍ଦ୍ର , ଚାଇଲଡ଼୍ ଲାଇନ୍ ଏବଂ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ସହାୟତା କରିଥଲେ।

0
0
0
s2sdefault