ହେଡଲାଇନସ୍:

ରାଜ୍ୟ ରାଜପଥ ଡେଇଁ ଗାଁରେ ପଶିଲେ ହାତୀପଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉଜାଡ଼ିଦେଲେ ଚାଷୀଙ୍କ ଏକର ଏକର ଫସଲବାଡି

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏବଂ ଶରଣକୁଳ ବନାଞ୍ଚଳ ମାନଙ୍କରେ ଅତ୍ୟଧିକ ମାତ୍ରାରେ ଜଙ୍ଗଲ କ୍ଷୟ ହୋଇଚାଲିଥିବା ବେଳେ ଘଞ୍ଚ ଜଙ୍ଗଲ ଅଭାବରୁ ହାତୀପଲ ଗ୍ରାମାଭିମୁଖି ହେଉଥିବା କାରଣରୁ ଚାଷୀକୁଳଙ୍କ ନିଦ ହଜି ଯାଇଛି । ଖାଦ୍ୟ ଏବଂ ସୁରକ୍ଷିତ ସ୍ଥାନ ଖୋଜିବା ପାଇଁ ହାତୀପଲ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବାଆସିବା କରୁଥିବା ବେଳେ ବାଟରେ ଚାଷୀଙ୍କ ଏକର ଏକର ଧାନ ଫସଲ ନଷ୍ଟ କରୁଛନ୍ତି। ଶରଣକୁଳର ଗୋଛା ଜଙ୍ଗଲରେ କିଛିଦିନ ଧରି ହାତୀପଲଙ୍କ ଆତଙ୍କ ବୃଦ୍ଧି ପାଇଥିବା ବେଳେ ଏବେ ଓଡ଼ଗାଁ ଗୟଳସିଂ ପାହାଡ଼ରୁ ଆସି ଚାଷୀଙ୍କ ଧାନ ଉଜାଡ଼ି ଦେଉଥିବା ଦେଖିବାକୁ ମିଳୁଛି। ଗତ କିଛିଦିନ ତଳେ ୫ଟିକିଆ ହାତୀପଲ ଜଙ୍ଗଲରୁ ଆସି ନୋତରପଲ୍ଲୀର ରମେଶ ଦାଶଙ୍କ ଜମିରେ ପଶି ୩ ଏକରରୁ ଊର୍ଦ୍ଧ୍ବ ଜମିର ଫସଲ ନଷ୍ଟକରି ଦେଇଥିବା ବେଳେ ଶନିବାର କୋମଣ୍ଡ ଓ କୁରାଳ ଅଞ୍ଚଳର ଜଣେ ଚାଷୀଙ୍କ ଧାନ ଫସଲ ନଷ୍ଟ କରିଥିଲା । ତେବେ ଆଜି ପୁଣି ରାଜପଥ ଅତିକ୍ରମ କରି ୧୫ରୁ ୨୦ଜଣ ଚାଷୀଙ୍କ ୫୦ଏକରରୁ ଊର୍ଦ୍ଧ୍ବ ଜମିର ଧାନ ଫସଲ ଉଜାଡ଼ି ଦେଇଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ହାତୀପଲ ଏହି ଅଞ୍ଚଳରେ ତାଣ୍ଡବ ରଚିଚାଲିଥିବା ଜଣାପଡିଛି । ଏବେ ହାତୀ ଆତଙ୍କରେ ଲୋକ ଆତଙ୍କିତ ହୋଇପଡିଥିବା ବେଳେ ବନ ବିଭାଗ କେବଳ ଚାଷୀଙ୍କ ପାଖରେ ପହଁଚି କ୍ଷୟକ୍ଷତିର ଆକଳନ କରି ସହାୟତା ଦେବାର ପ୍ରତିଶୃତି ଦେଇଛନ୍ତି । ଏହି ହାତୀ ପଲରେ ଦୁଇଟି ମାଈ ହାତୀ, ଦୁଇଟି ଛୁଆ ହାତୀ ଏବଂ ଗୋଟିଏ ଦନ୍ତା ହାତୀ ଥିବା ଚାଷୀ କହିଛନ୍ତି।

ପ୍ରତିଦିନ ହାତୀମାନଙ୍କ ଚଳପ୍ରଚଳ ଲାଗି ରହିଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସେମିତି କିଛି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବର୍ଷ ସାରା ହାଡ଼ଭଙ୍ଗା ପରିଶ୍ରମ କରି ଫସଲ ଅମଳ କରିଥିବା ଫସଲ ଉଜୁଡି ଯିବା ପରେ ଚିନ୍ତାରେ ଏବେ ଚାଷୀ ପରିବାର। ହାତୀପଲ ଗାଁ ମୁହାଁ ହେଉଥିବାରୁ ଆଗାମୀ ଦିନରେ ଲୋକଙ୍କ ପ୍ରତି ମଧ୍ୟ ବିପଦ ରହିଥିବା ବୁଦ୍ଧିଜିବୀ କହିଛନ୍ତି। ସେମାନେ କହିଛନ୍ତି ଗାଁ ଭିତରକୁ ହାତୀ ପଶି ଆସିବା ଦ୍ବାରା ଲୋକଙ୍କ ଘରଦ୍ବାର ଭାଙ୍ଗିବ କିମ୍ବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ହାତୀ ଘଉଡେଇବାକୁ ବନ ବିଭାଗ ତୁରନ୍ତ ପ୍ରୟାସ କରୁ ନଚେତ୍ ଲୋକଙ୍କ ସହାୟତା ଲୋଡୁ ବୋଲି କହିଛନ୍ତି।

0
0
0
s2sdefault