ଝାରସୁଗୁଡ଼ା: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ବିଳାସପୁର ସ୍ଥିତ ଛତିଶଗଡ଼ ହାଇକୋର୍ଟରୁ ଜାମିନ ପାଇବାର ସପ୍ତାହକ ପରେ ଘରକୁ ଫେରିଛନ୍ତି । ଝାରସୁଗୁଡ଼ା ସୀମା କନକତୋରା ଠାରୁ ପୈତୃକ ଆବାସ ରାଜପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପୂର୍ବତନ ବିଧାୟକଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ସମର୍ଥକଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଡବଲ ମର୍ଡର ମାମଲାରେ ଛତିଶଗଡ଼ ରାୟଗଡ଼ ଅଦାଲତ ଶ୍ରୀ ସାଏଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏନେଇ ଛତିଶଗଡ଼ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବାରୁ ମାନ୍ୟବର ହାଇକୋର୍ଟ ଗତ ଗୁରୁବାର ଜାମିନ ମଞ୍ଜୁର କରିବା ସହ ତଳକୋର୍ଟର ଦଣ୍ଡାଦେଶକୁ ସ୍ଥଗିତ ଘୋଷଣା କରିଥିଲେ । ଗତ ସୋମବାର ଦିନ ଲିଖ ରାୟ ପ୍ରକାଶ ପାଇଥିବା ବେଳେ ବିଳାସପୁର କେନ୍ଦ୍ରୀୟ କାରାଗାରରୁ ଶ୍ରୀ ସାଏ ମୁକ୍ତ ହୋଇଥିଲେ । ୨ ଦିନ ରହଣୀ ପରେ ବୁଧବାର ସକାଳେ ଛତିଶଗଡ଼ ରତନପୁରର ମହାମାୟା ମନ୍ଦିରରେ ଦେବୀଙ୍କୁ ଦର୍ଶନ ପରେ ବ୍ରଜରାଜନଗର ଅଭିମୁଖେ ବାହାରିଥିଲେ । ଅପରାହ୍ନରେ କନକତୋରା ଛକରେ ପହଞ୍ଚିବା ପରେ ସେଠାରେ ଭବ୍ୟ ସ୍ଵାଗତ କରାଯାଇଥିଲା । ବାଦିମାଲ , କଦମଘାଟ , ଭିକମପାଲି , ପଞ୍ଚଗାଁ , ମହାସିଂ , ଜାମଗାଁ , କୁରେମାଲ , ଗୋବିନ୍ଦପୁର , କଦମଡିହି , ଭଉଁରଖୋଲ , ସିଂହାରପୁର , ଲଖନପୁର ବେହେରାଗୁଡ଼ା , କୁଡ଼ାଲୋଇ , ବେଲପାହାଡ଼ , ଗାନ୍ଧୀ ଛକ ଆଦି ସ୍ଥାନରେ ସମର୍ଥକ ଶ୍ରୀ ସାଏଙ୍କୁ ବିପୁଳ ସ୍ବାଗତ କରିଥିଲେ । ଗାନ୍ଧୀ ଛକରେ ବହୁ ସଂଖ୍ୟାରେ ସମର୍ଥକ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ରାଜପୁର ଯାଇ କୁଳଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା କରିବା ପରେ ବଗରାଚକା ସ୍ଥିତ ନିଜ ଆବାସକୁ ଫେରିଥିଲେ । ମାମଲାର ସୁବିଚାର କରିଥିବା ହେତୁ ଛତିଶଗଡ଼ ହାଇକୋର୍ଟ ଓ ସାଧାରଣ ଜନତାଙ୍କୁ କୃତଜ୍ଞତା ଜଣାଉଛି । ଘରକୁ ବାହୁଡ଼ିବା ବେଳେ ଏଭଳି ଜନ ସମର୍ଥନ ଅଭିଭୂତ କରିଛି ବୋଲି କହିବା ସହ ଆଗାମୀ ଦିନରେ ମା ' ମାଟିର ସେବା କରିବାର ଅଛି ବୋଲି କହିଛନ୍ତି ଅନୁପ ।
ରାଜ୍ୟ
ଜାମିନ ପାଇ ଘରକୁ ଫେରିଲେ ଅନୁପ ସାଏ : ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
- Hits: 512