ହେଡଲାଇନସ୍:

"ଲୁଲୁ ମହାପାତ୍ର ଥିଲେ ଜଣେ ଅପ୍ରତିଦ୍ୱନ୍ଦ୍ୱି ତଥା ସାଲିସବିହୀନ ଜନନେତା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ବିଶିଷ୍ଟ ଜନନେତା ତଥା ତଥା ଯୁବଛାତ୍ର ମାନସର ଅପ୍ରତିଦ୍ଵନ୍ଦ୍ଵୀ ନାୟକ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ତାଙ୍କ ସତୀର୍ଥ ସହଯୋଗୀ ବିଶିଷ୍ଟ ସମାଜସେବୀ ଶ୍ରୀ ଅମୀୟ ଦାସଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି | ସକାଳୁ ସ୍ବର୍ଗତ ଶ୍ରୀ ମହାପାତ୍ରଙ୍କ ଉଦ୍ଦେଶ୍ୟରେ କୁଆଖାଇ ନଦୀରେ ତିଳତର୍ପଣ ଅନୁଷ୍ଠିତ ହୋଇଥିଲା | ବହୁସଂଖ୍ୟାରେ ଲୁଲୁ ପ୍ରେମୀ ଉପସ୍ଥିତ ରହି ନିଜ ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |
ଦିନ ବାରଟା ବେଳେ ଦି ଓଡିଶା ଆସୋସିଏସନ ଫ୍ର ବ୍ଲାଇଣ୍ଡ ପରିସରରେ ସ୍ମୃତି କମିଟି ପକ୍ଷରୁ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଅନୁଗାମୀ ନିରଞ୍ଜନ ନାୟକଙ୍କ ଆବାହକତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଅମୀୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଶ୍ରୀ କେ ରବି ଉଦ୍ବୋଧନ ଦେଇ ସ୍ବର୍ଗତ ମହାପାତ୍ରଙ୍କୁ ଜଣେ ଅପ୍ରତିଦ୍ୱନ୍ଦ୍ୱି ତଥା ସାଲିସବିହୀନ ଜନନେତା ଭାବେ ଅଭିହିତ କରିଥିଲେ | ଆଜିର ଯୁବ ପିଢ଼ି ଯଦି ଲୁଲୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟାୟ ଅନୀତି ବିରୋଧରେ ଲଢେଇ କରିବାର ମାନସିକତା ଗଢିତୋଳିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିବା ସହ ସ୍ମୃତିକମିଟି ପକ୍ଷରୁ ଏପରି କାର୍ଯ୍ୟକ୍ରମ ଆୟୋଜନ ପ୍ରତିବର୍ଷ କରାଯାଉଥିବା ଯୋଗୁ ସେ ସେଥିପାଇଁ ଶ୍ରୀ ଅମୀୟ ଦାସଙ୍କ ଉଦ୍ୟମର ଭୁୟସୀ ପ୍ରଶଂସା କରିଥିଲେ |
ଅନ୍ୟତମ ଅତିଥି ତଥା ଲୁଲୁ ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ବରିଷ୍ଠ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି ଓ ପୂର୍ବତନ ବିଧାୟକ ଚିନ୍ମୟ ବେଉରା ସ୍ୱର୍ଗତ ଶ୍ରୀ ମହାପାତ୍ରଙ୍କ ସହିତ ଥିବା ସେମାନଙ୍କ ଅନୁଭୁତିର ଅବତାରଣା କରିବା ସହ ତାଙ୍କ ଆଦର୍ଶରେ କାର୍ଯ୍ୟକରିବା ପାଇଁ ଯୁବପିଢିଙ୍କୁ ଆହ୍ବାନ ଜଣାଇଥିଲେ | ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ଜଣେ ଅନନ୍ୟ କାଳଜୟୀ ଜନନେତା ଭାବେ ଅଭିହିତ କରିବା ସହ ତାଙ୍କୁ ଯୁବଛାତ୍ର ସମାଜପାଇଁ "ଭରସାର ଅନ୍ୟନାମ" ଭାବେ ବର୍ଣ୍ଣନା କରିଥିଲେ |
ନିଜ ଅଭିଭାଷଣରେ ମୁଖ୍ୟ ଉଦ୍ୟୋକ୍ତା ଶ୍ରୀ ଅମୀୟ ଦାସ ସ୍ବର୍ଗତ ଶ୍ରୀ ମହାପାତ୍ରଙ୍କ ସହ ତାଙ୍କ ଦୀର୍ଘ ତିନି ଦଶନ୍ଧିର ବନ୍ଧୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ | ତାଙ୍କ ଭଳି ରାଜନେତା ଆଗରୁ କେହି ଜନ୍ମ ହୋଇନଥିଲେ କି ତାଙ୍କ ପରେ କେହି ଜନ୍ମ ହେବେନାହିଁ ବୋଲି ଶ୍ରୀ ଦାସ କହିବା ସହ ତାଙ୍କ ଭଳି ଅଦମ୍ୟ, ମାନବ ଦରଦୀ ତଥା ସାଲିସ ବିହୀନ ରାଜନେତାଙ୍କ ଆଦର୍ଶର ପ୍ରଚାର ପ୍ରସାର ପାଇଁ ସ୍ମୃତି କମିଟି ମାଧ୍ୟମରେ ସେ ବିଭିନ୍ନ କାର୍ଯ୍ୟକ୍ରମ ଜୀବନ ଥିବା ଯାଏ ଜାରି ରଖିବେ ବୋଲି ମତବ୍ୟକ୍ତ କରିଥିଲେ |
ଏହି ଅବସରରେ ବିଭିନ୍ନ ଅନାଥାଶ୍ରମ, ବାଳାଶ୍ରମ, ଜରାଶ୍ରମରୁ ଆସିଥିବା ୪୦୦ରୁ ଉର୍ଧ୍ଵ ଅନ୍ତେବାସୀ ଓ ଭିନ୍ନକ୍ଷମଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଲୁଲୁ ପ୍ରେମୀ ଯୋଗ ଦେଇ ସେମାନଙ୍କ ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ |

0
0
0
s2sdefault