ହେଡଲାଇନସ୍:

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ ରିପୋର୍ଟ ୨୦୨୦-୨୧ : ଶ୍ରେଷ୍ଠ ୧୦ରାଜ୍ୟ ମଧ୍ୟରେ ଓଡ଼ିଶା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଣିଛି ବୈପ୍ଳବିକ ପରିବର୍ତ୍ତନ

ଭୁବନେଶ୍ୱର, :କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ(ପିଜିଆଇ) ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତ୍ତିଭୂମି, ବିଦ୍ୟାଳୟ ପ୍ରବେଶ ସୁବିଧା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା ଭଳି ୫ଟି ବିଷୟକୁ ଆଧାର କରି କରାଯାଇଥିବା ପର୍ଫମାନ୍ସ ଗ୍ରେଡିଂ ତଥା ମୂଲ୍ୟାୟନ ପ୍ରକ୍ରିୟାରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ରିପୋର୍ଟ ମୁତାବକ ୨୦୧୯-୨୦ ଶିକ୍ଷାବର୍ଷ ତୁଳନାରେ ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ସମସ୍ତ ୫ଟି ମାଟ୍ରିକ୍ସରେ ଭଲ ପ୍ରଦର୍ଶନ କରିବା ସହ ଦେଶର ଆଗଧାଡ଼ିର ରାଜ୍ୟମାନଙ୍କ ମଧ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ ରଖିଛି ।
ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତ୍ତିଭୂମି, ବିଦ୍ୟାଳୟ ପ୍ରବେଶ ସୁବିଧା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ବେଶ୍‌ ଆଗକୁ ବଢ଼ିବା ସହ ସ୍କୁଲ୍‌ ଶିକ୍ଷାର ରୂପାନ୍ତରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପିଜିଆଇ ୨୦୨୦-୨୧ରେ ୧୦୦୦ ପଏଣ୍ଟ୍‌ରୁ ଓଡ଼ିଶା ମୋଟ ୮୭୭ ପଏଣ୍ଟ୍‌ ସ୍କୋର୍‌ କରିଥିବାବେଳେ ଦିଲ୍ଲୀ, କର୍ଣ୍ଟାଟକ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ପଣ୍ଡିଚେରୀ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ନିକୋବର, ଦାଦ୍ରା ନଗର ହାବେଳୀ ଏବଂ ଦାମନ ଡିଉ ସହ ଲେବୁଲ୍‌-୩ରେ ରହିଛି । ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ୧୮୦ରୁ ୧୩୮, ବିଦ୍ୟାଳୟ ପ୍ରବେଶ ସୁବିଧାରେ ୮୦ରୁ ୭୧, ସୁଦୃଢ ଭିତ୍ତିଭୂମିରେ ୧୫୦ରୁ ୧୩୩, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନରେ ୨୩୦ରୁ ୨୨୧ ଏବଂ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ୩୬୦ରୁ ୩୧୪ ପଏଣ୍ଟ ପାଇଛି ।
ପିଜିଆଇ ଫ୍ରେମ୍‌ୱାର୍କରେ ଲାଗାତାର ଭାବରେ ଓଡ଼ିଶାର ର୍ୟାଙ୍କ୍‌ ଉପରକୁ ଉଠୁଥିବାବେଳେ ମାତ୍ର ୪ବର୍ଷ ମଧ୍ୟରେ ଏହା ଲେବୁଲ୍‌-୬ରୁ ଲେବୁଲ୍‌-୩କୁ ଉନ୍ନୀତ ହୋଇଛି । ରାଜ୍ୟର ଶିକ୍ଷା ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ହୋଇଛି । ରାଜ୍ୟର ପ୍ରଗତିଶୀଳ ନୀତି ସହ ‘ମୋ ସ୍କୁଲ୍‌ ଅଭିଯାନ’, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ୍‌ ଶିକ୍ଷଣ କାର୍ଯ୍ୟକ୍ରମର ପ୍ରଣୟନ, ୫-‘ଟି’ ହାଇସ୍କୁଲ୍‌ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ହୋଇଥିବା ସ୍କୁଲ୍‌ ଭିତ୍ତିଭୂମିର ରୂପାନ୍ତରଣ ଏବଂ ଯୋଜନାର ସଠିକ୍‌ କାର୍ଯ୍ୟକାରିତା ଦ୍ୱାରା ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି । ଉନ୍ନତ ଭିତ୍ତିଭୂମି ସହ ଗୁଣାତ୍ମକ ଶିକ୍ଷାଦାନ ଯୋଗୁ ପୂର୍ବବର୍ଷ ଅପେକ୍ଷା ଛାତ୍ରଛାତ୍ରୀମାନଙ୍କ ପ୍ରଦର୍ଶନରେ ମଧ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।
ସୂଚନାଯୋଗ୍ୟ, ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷାବର୍ଷରେ ଓଡିଶା ଲେବୁଲ୍‌-୬ରେ ଥିବାବେଳେ ୨୦୧୯-୨୦ରେ ଲେବୁଲ୍‌-୪ ଏବଂ ୨୦୨୦-୨୧ରେ ଲେବୁଲ୍‌-୩ରେ ରହିଛି । ଚଳିତ ବର୍ଷ ପିଜିଆଇ ରିପୋର୍ଟ ଅନୁଯାୟୀ ତାଲିକାର ଶ୍ରେଷ୍ଠରେ ମହାରାଷ୍ଟ୍ର ସ୍ଥାନ ପାଇଛି । ୨ୟ ସ୍ଥାନରେ ପଞ୍ଜାବ ଥିବାବେଳେ ତୃତୀୟ ଓ ଚତୁର୍ଥ ସ୍ଥାନରେ କେରଳ ଓ ଚଣ୍ଡିଗଡ ରହିଛନ୍ତି । ସେହିପରି ରାଜଧାନୀ ଦିଲ୍ଲୀ ୮୯୯ ପଏଣ୍ଟ ସହ ୮ମ ସ୍ଥାନ ହାସଲ କରିଛି ।

0
0
0
s2sdefault