
ବ୍ୟାପକ ବ୍ୟବସ୍ଥା: ଦେଖିବେ ହେଲେ ଛୂଇଁବେନି
ପୁରୀ/ସାକ୍ଷୀଗୋପାଳ/(ଅନିମେଶ ପଟ୍ଟନାୟକ ): ଆଜି ଅଁଳାନବମୀ । ସାକ୍ଷୀଗୋପାଳରେ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ । ଭକ୍ତମାନେ ଚଳିତଥର ଦର୍ଶନ ତ କରିବେ ହେଲେ ପାଦ ସ୍ପର୍ଶ କରିପାରିବେନି । ସୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଏପରି ବନ୍ଦୋବସ୍ତ କରାଯାଇଛି । କାର୍ତ୍ତିକ ମାସ ଅଁଳାନବମୀରେ ରାଧାଙ୍କୁ ଦର୍ଶନ କରି ପାଦ ଛୁଇଁ ଆଶୀର୍ବାଦ ଲାଭ କରିଥାନ୍ତି ଅଗଣିତ ଭକ୍ତମାନେ । ଗତ ଦୁଇ ବର୍ଷ ହେବ କରୋନା କଟକଣା ହେତୁ ଭକ୍ତ ମାନେ ରାଧା ପାଦ ଦର୍ଶନ କରିନାହାନ୍ତି । କରୋନା କଟକଣା ଏବେ ଆଉ ନାହିଁ । ତେଣୁ ଭକ୍ତଙ୍କ ସଂଖ୍ୟା ପୂର୍ବାପେକ୍ଷା ଦ୍ୱିଗୁଣିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି । ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ନିୟନ୍ତ୍ରଣ , ଦିବ୍ୟାଙ୍ଗ ମାନଙ୍କ ପାଇଁ ଦର୍ଶନର ବନ୍ଦୋବସ୍ତ ଉପରେ ଗୁରୁତ୍ବ ଦିଆଯାଇଛି । ଭକ୍ତଙ୍କ ସମାଗମକୁ ନଜରରେ ରଖି ରାଧାରାଣୀଙ୍କୁ ଦର୍ଶନର ବ୍ୟବସ୍ଥା କରାଯାଇଛି । ଚଳିତ ଥର ପାଦ ସ୍ପର୍ଶ କୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।