ଓଡିଶାରୁ ଏକମାତ୍ର ଅଂଶଗ୍ରହଣକାରୀ ଭାବେ ସାକ୍ୟସିଂହ ମହାପାତ୍ର ଜି୨୦ୱାଇଇଏ ଯୋଗଦେଇଛନ୍ତି
ଭୁବନେଶ୍ୱର/ହମବର୍ଗ: ଓଡିଶାର ଯୁବ ଉଦ୍ୟୋଗୀ ତଥା ସାକରୋବୋଟିକ୍ସ ଲ୍ୟାବ ଲିମିଟେଡର ପ୍ରତିଷ୍ଠାତା ସାକ୍ୟସିଂହ ମହାପାତ୍ର ୨୮ଅକ୍ଟୋବରରେ ଜର୍ମାନୀସ୍ଥିତ ହମବର୍ଗଠାରେ ଆୟୋଜିତ ଜି୨୦ୱାଇଇଏ (ୟଙ୍ଗ ଏନ୍ତ୍ରପ୍ରିନିଅର ଆଲାଏନ୍ସ) ସମ୍ମିଳନୀରେ ମିସେଲ୍ ପ୍ରାଇଜ୍-ଅଡିଆନ୍ସ ଆୱାଡ ଦ୍ୱାରା ସମ୍ମାନୀତ ହୋଇଛନ୍ତି ।
ଜି୨୦ୱାଇଇଏ ସମ୍ମିଳନୀରେ ର ଭାରତୀୟ ପ୍ରତିନିଧୀଙ୍କ ସହ ଓଡିଶାରୁ ଏକମାତ୍ର ଅଂଶଗ୍ରହଣକାରୀ ଭାବେ ସାକ୍ୟସିଂହ ମହାପାତ୍ର ଯୋଗଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ସମ୍ମିଳନୀର ପ୍ରୟୋଜକ ତଥା ୟୁକେ ସ୍ଥିତ ଜି୨୦ୱାଇଇଏର ସଭାପତି ଆଲେକ୍ସ ମିସେଲ୍ ସାମାଜିକ ସ୍ତରରେ ଫଳପ୍ରଦ ବ୍ୟବସାୟ ଚଳାଉଥିବା ଉଦ୍ୟୋଗୀମାନଙ୍କ ନିମନ୍ତେ ୫୦୦୦ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲେ । ଅକ୍ଟୋବର ୨୭ ଏବଂ ୨୮ରେ ହମବର୍ଗଠାରେ ଅନୁଷ୍ଠିତ ଜି୨୦ ୟଙ୍ଗ ଏନ୍ତ୍ରପ୍ରିନିଅର ୨୦୨୨ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏକ ପ୍ରତିଯୋଗିତା ମାଧ୍ୟମରେ ବିଜୟୀଙ୍କ ଚୟନ କରାଯିବା ପରେ ୨୮ଅକ୍ଟୋବରରେ ଇଭେନ୍ଟ ଫାଇନାଲ ଅନୁଷ୍ଠିତ ହୋଇଥିଲା । ପିଚ୍ ପାଇଁ ଆବେଦନକାରୀଙ୍କ ମଧ୍ୟରୁ ୫ଜଣ ଉଦ୍ୟୋଗୀ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀ ମହାପାତ୍ର ମିସେଲ୍ ପ୍ରାଇଜ୍-ଅଡିଆନ୍ସ ଆୱାଡ ପାଇଁ ମନୋନୀତ ହୋଇଥିଲେ । ବିଦ୍ୟାଳୟଗୁଡିକରେ ରୋବୋଟିକ୍ସ ଏବଂ ଇନୋଭେସନ୍ ଲ୍ୟାବ୍ କ୍ଷେତ୍ରରେ ଅନନ୍ୟ ସଫଳତା ହେତୁ ସାକ୍ୟସିଂହ ମହାପାତ୍ର ମିସେଲ୍ ପ୍ରାଇଜ୍-ଅଡିଆନ୍ସ ଆୱାଡ ଦ୍ୱାରା ସମ୍ମାନୀତ ହୋଇଥିଲେ ।
ଆର୍ଜେନ୍ଟିନା, ଅଷ୍ଟ୍ରେଲିଆ,ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ରିପବ୍ଲିକ ଅଫ୍ କୋରିଆ, ମେକ୍ସିକୋ, ଋଷିଆ, ସାଉଦି ଆରବ, ଦକ୍ଷିର ଆଫ୍ରିକା, ତୁର୍କୀ, ୟୁ.କେ, ଯୁକ୍ତରାଷ୍ଟ୍ର ଏବଂ ୟୁରୋପିୟ ୟୁନିଅନ୍ ରୁ ଯୁବ ଉଦ୍ୟୋଗୀମାନେ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ । ସାକ୍ୟସିଂହ ମହାପାତ୍ର ସମ୍ମିଳନୀରେ ଯୋଗ ଦେଇ ସାକରୋବୋଟିକ୍ସର ଏକ ସର୍ଭିସ୍ ରୋବୋଟ ପ୍ରଦର୍ଶନ କରିବା ସହ ମିସେଲ୍ ପ୍ରାଇଜ୍-ଅଡିଆନ୍ସ ଆୱାଡ ହାସଲ କରି ଓଡିଶାବାସୀଙ୍କୁ ଗର୍ବିତ କରିଛନ୍ତି ।
ସମୟ ସହିତ ଭାରତର ଶିକ୍ଷା ବ୍ୟବସ୍ଥା କିପରି ରୋବୋଟିକ୍ସ ଆଡକୁ ଆକୃଷ୍ଟ ହେଉଛି ଏବଂ ଶିକ୍ଷା କ୍ଷେତ୍ରରେ ରୋବୋଟ୍ର ଆବଶ୍ୟକତା ଉପରେ ସାକ୍ୟ ତାଙ୍କ ଉପସ୍ଥାପନା ମାଧ୍ୟମରେ ଦର୍ଶାଇଥିଲେ । ଏହି ଅବସରରେ ସାକ୍ୟ ତାଙ୍କ ବ୍ୟବସାୟ ମାଧ୍ୟମରେ ରୋବୋଟିକ୍ ସଂସ୍କୃତି ଉପରେ ଉପରେ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।








