ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ବ ମିତବ୍ୟୟତା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାସ୍ତରୀୟ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସଚେତନତା ବାର୍ତ୍ତା ପହଚାଇଛି। ରବିବାର ପୂର୍ବାହ୍ନ ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା ରଥକୁ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହା ରଥ ଚଳିତ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ୍ ରେ ପ୍ରସାର ଓ ପ୍ରଚାର କରି ଜନସାଧାଣଙ୍କୁ ସଚେତନତା କରାଇବ। ମିତବ୍ୟୟୀ ହେବା ସଞ୍ଚୟକୁ ଅଭ୍ୟାସରେ ପରିଣତ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସକାଶେ ଜରୁରୀ ଅଟେ। ଏହି ସ୍ବଳ୍ପ ସଞ୍ଚୟ ବ୍ୟକ୍ତିର ଆର୍ଥିକ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ସଙ୍ଗେ ସଙ୍ଗେ ନିହାତି ଜରୁରୀ ଆବଶ୍ୟକତା ସମୟରେ ତାର ସ୍ବଳ୍ପ ସଞ୍ଚୟକୁ ବିନିଯୋଗ କରିପାରିବ।
ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଅନାବଶ୍ୟକ ଅର୍ଥ ବ୍ୟୟରୁ ନିବୃତ୍ତ ରହି ନିଜର କ୍ଷମତା ଅନୁଯାୟୀ ସଞ୍ଚୟ କରିବା ଆବଶ୍ୟକ। ଏହା ଦ୍ବାରା ଉଭୟ ଦେଶ ଓ ଦେଶବାସୀଙ୍କର ଅର୍ଥନୈତିକ ବ୍ୟବସ୍ଥା ଅଭିବୃଦ୍ଧି ହୋଇ ପାରିବ ବୋଲି ଉପ-ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିଜ ବିବୃତିରେ ଜଣାଇଛନ୍ତି।
ସ୍ବଳ୍ପ ସଞ୍ଚୟ ବେଳେ ନିଜର କଷ୍ଟଲବ୍ଧ ଧନକୁ ବିନିଯୋଗ କରିବା ବେଳେ ପ୍ରତ୍ୟେକ ବ୍ୟକ୍ତି ଯେଉଁ ସଂସ୍ଥାରେ ନିଜ ପୁଞ୍ଜିକୁ ଜମା କରିବା ପୂର୍ବରୁ ଉକ୍ତ ସଂସ୍ଥା ସମ୍ପର୍କିତ ତଥ୍ୟ ଓ ଜ୍ଞାନ ହାସଲ କରିବା ଉଚିତ୍ । ନିର୍ଭରଯୋଗ୍ୟ ସଂସ୍ଥାରେ ନିଜର ପୁଞ୍ଜି ଜମା କଲେ ଯାଇ ଆଶ୍ବସ୍ତି ମିଳିବ। ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରାଇବାର ଆବଶ୍ୟକତା ରହିଛି। ନଚେତ୍ ନିଜର କଷ୍ଟଲବ୍ଧ ଧନ ବାଟମାରଣା ହେବାର ଅନେକ ସମ୍ଭାବନା ରହିଛି।
ଆଜିର ଦିନରେ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ଜମା ଦେଲେ କ୍ଷତିରେ ପଡିବେ। ଏଣୁ ଜମାରାଶି ଜମା ଦେଲା ବେଳେ ନିର୍ଭରଯୋଗ୍ୟ ସଂସ୍ଥାରେ ବିନିଯୋଗ କରନ୍ତୁ ବୋଲି ଜିଲ୍ଲା ସ୍ବଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପାଢ଼ୀ ଅବଗତ କରାଇଥିଲେ। ଏହି ସଚେତନତା ରଥର ଉଦ୍ଘାଟନୀ ସମାରୋହରେ ସ୍ବଳ୍ପ ସଞ୍ଚୟ ପ୍ରତିନିଧିଗଣ , ସମସ୍ତ ସାମ୍ବାଦିକ, ସ୍ବଳ୍ପ ସଞ୍ଚୟ ବିଭାଗର କର୍ମଚାରୀ ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଗଜପତି ଜିଲ୍ଲା ସ୍ତରରେ ବିଶ୍ବ ମିତବ୍ୟୟତା ଦିବସ ପାଳିତ
- Hits: 366








