ଆୟୋଜନ ହେଲା ୧୧୨ଟି ରକ୍ତଦାନ ଶିବିର : ୧୭,୭୮୫ ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ୱର: ଅକ୍ଟୋବର ୧୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମଦିବସକୁ ସାରା ରାଜ୍ୟରେ ତାଙ୍କର ଶୁଭେଚ୍ଛୁମାନେ ବହୁ ଆଡ଼ମ୍ବରରେ ପାଳନ କରୁଥିବାବେଳେ ଏହି ଦିବସ ଅବସରରେ ଓଡ଼ିଶା-ମୋ ପରିବାର ଏହାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଗୋଟିଏ ଦିନରେ ସର୍ବକାଳୀନ ରେକର୍ଡ଼ ୧୭,୭୮୫ ୟୁନିଟ୍ ରକ୍ତ ସଂଗ୍ରହ କରିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ବୈଠକରେ ସମସ୍ତ ଜିଲ୍ଲା ସଂଯୋଜକ ମାନଙ୍କୁ ଅକ୍ଟୋବର ୧୪, ୧୫, ୧୬ ଏବଂ ୧୭ ତାରିଖରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରମାନ ଆୟୋଜନ କରିବାକୁ ସୂଚନା ଦିଆଯାଇଥିଲା । ତେବେ ଗତ ୧୪ ତାରିଖରୁ ଏହି ଅଭିଯାନ ଚାଲୁ ରହିଥିବା ବେଳେ କାଲି ଗୋଟିଏ ଦିନରେ ୧୦୪ଟି ସ୍ଥାନରେ ଶିବିର ଆୟୋଜନ କରାଯାଇଥିଲା । ଲୋକମାନେ ଉତ୍ସାହିତ ହୋଇ ସ୍ୱତଃପ୍ରବୃତ ଭାବେ ଶିବିରରେ ପହଞ୍ଚି ରକ୍ତଦାନ କରିଥିଲେ । ଲୋକମାନଙ୍କ ମଧ୍ୟରେ ଏହି ଉତ୍ସାହ ଦେଖି ବହୁ ସ୍ଥାନରେ ଶିବିର ରାତି ପର୍ଯ୍ୟନ୍ତ ଚାଲୁ ରହିଥିବାର ପରିଲକ୍ଷିତ ହୋଇଥିଲା । ଏହି ରକ୍ତଦାନ ଅଭିଯାନରେ ପ୍ରଥମ ତିନୋଟି ଜିଲ୍ଲା ଯଥାକ୍ରମେ କଟକରୁ ୨୮୨୫ ୟୁନିଟ୍, ଯାଜପୁରରୁ ୧୫୨୫ ୟୁନିଟ୍ ଏବଂ ସମ୍ବଲପୁର ଜିଲ୍ଲାରୁ ୧୦୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ।
ଏହି ସ୍ୱତନ୍ତ୍ର ଦିବସରେ ତାଙ୍କ ପ୍ରିୟ ନେତାଙ୍କ ପ୍ରତି ଶ୍ରଦ୍ଧାଭାବ ପ୍ରତିପୋଷଣ କରୁଥିବା ରାଜ୍ୟର ସମସ୍ତ ନେତୃବୃନ୍ଦ, କର୍ମକର୍ତ୍ତା ତଥା ବହୁ ସଂଖ୍ୟାରେ ସ୍ୱତପ୍ରବୃତ୍ତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିବା ରକ୍ତଦାତାମାନଙ୍କୁ ଓଡ଼ିଶା-ମୋ ପରିବାରୁ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି । ରାଜ୍ୟ ରକ୍ତ ସଂଚରଣ ପରିଷଦ (ଏସ୍.ବି.ଟି.ସି.) ୧୧୨ଟି ଶିବିରୁକୁ ତାଙ୍କର ସମସ୍ତ ରକ୍ତଭଣ୍ଡାରର ଡାକ୍ତର ଏବଂ କର୍ମଚାରୀମାନଙ୍କୁ ସୁଚାରୁରୂପେ ପରିଚାଳନା କରି ଶିବିରରେ ରକ୍ତ ସଂଗ୍ରହ କରିବାକୁ ନିୟୋଜନ କରିଥିବାରୁ ଓଡ଼ିଶା-ମୋ ପରିବାର ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।