ନିଜ ଛୁଆଙ୍କୁ କାଖରେ ଧରି ଖାଲିପାଦରେ ଅଗ୍ନିକୁଣ୍ଡକୁ ଅତିକ୍ରମ କଲେ ମାନସିକଧାରୀ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ନନ୍ଦିଘୋର ପଂଚାୟତ ଅନ୍ତର୍ଗତ ଯାତ୍ରାବରପାଟଣାରେ ଅନୁଷ୍ଠିତ ଝାମୁଯାତ୍ରାରେ ସ୍ଥାନୀୟ ଅଂଚଳର ୬ ମଙ୍ଗଳା କୋଠୀର କଳଶଧାରୀ ଶତାଧିକ ଦେଖଣାହାରୀଙ୍କ ଉପସ୍ଥିତିରେ ମୁଣ୍ଡରେ ମା’ମଙ୍ଗଳାଙ୍କ ଘଟକଳଶ ଧାରଣକରି ଗ୍ରାମ ପରିକ୍ରମା କରିଥିଲେ । ଶରତ ରୁତୁ ପାର୍ବଣ ମୁହୁର୍ତରେ ଧରାପୃଷ୍ଠରେ ଜଗତ ଜନନୀ ମା’ ଦୁର୍ଗତୀନାସିନୀ ଅବତରଣ କରିବା ସହିତ ସମସ୍ତ ଦେବୀ ପିଠ ଗୁଡିକ ହୋଇଉଠେ ଚଳଚଂଚଳ ଓ ଉତ୍ସବ ମୁଖର । ଭିନ୍ନଭିନ୍ନ ଭାବରେ ମାଙ୍କର ପୂଜାଅର୍ଚ୍ଚନା ହେଉଥିବା ବେଳେ ଆଶ୍ୱିନ ମାସର ପ୍ରତି ମଙ୍ଗଳବାରେ ମା’ ମଙ୍ଗଳାଙ୍କର ପୂଜା କରାଯାଇଥାଏ । ଲୋକ ବିଶ୍ୱାସ ଅନୁସାରେ ବିଭିନ୍ନ ଗାଁ ମାନଙ୍କରେ ମାନସିକଧାରୀ ଭକ୍ତଙ୍କ ସହଯୋଗରେ ଏକ କୋଠୀ ଘର ନିର୍ମାଣ କରାଯାଇଥାଏ । ଏଠାରେ ମଙ୍ଗଳାଙ୍କ ପ୍ରତିମୂର୍ତି ସହିତ ବହୁ ସଂଖ୍ୟାରେ ପିତଳ ଏବଂ ମାଟି ନିର୍ମିତ ମଙ୍ଗଳାଙ୍କ ଘଟକଳଶକୁ ପୂଜାର୍ଚନା କରାଯାଇଥାଏ । ଚୈତ୍ର ଏବଂ ଆଶ୍ୱିନ ମାସରେ ମାଙ୍କର ସ୍ୱତନ୍ତ୍ର ଯାତ୍ରା ଅନୁଷ୍ଠିତ ହୋଇଥାଏ । ଭକ୍ତ ଏବଂ ମାନସିକଧାରୀ ମାନେ ମାଙ୍କର ଘଟକଳଶକୁ ମସ୍ତକରେ ଧାରଣକରି ଢୋଲିଆର ୧୬ବାଦ୍ୟ ଅନୁସାରେ ଗ୍ରାମ ପରିକ୍ରମା କରିଥାନ୍ତି । ଏବଂ ଉପାସନା କରିଥିବା ମାନସିକଧାରୀଙ୍କ ଦୁଆର ମାନଙ୍କରେ ପୂଜା ପାଇଥାନ୍ତି । ଘଂଟ, ବାଦ୍ୟ, ହୁଳହୁଳି ମଧ୍ୟରେ ମାଙ୍କର ଆବାହନ କରାଯାଇ ଆଶ୍ୱିନ ମାସର ପ୍ରତି ମଙ୍ଗଳବାରେ ଅନୁଷ୍ଠିତ ଏହି ଯାତ୍ରା କୁମାର ପୂର୍ଣ୍ଣମୀରେ ସମାପନ ହୋଇଥାଏ । ଏବଂ ପରମ୍ପରା ଅନୁଯାୟୀ ମାନସିକଧାରୀ ମାନଙ୍କ ଉଦେଶ୍ୟରେ କୁମାର ପୂର୍ଣ୍ଣମୀ ପରଦିନ ଝାମୁଜାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ପରି ଚଳିତବର୍ଷ ଯାତ୍ରାବର ପାଟଣାରେ କୁମାର ପୂର୍ଣ୍ଣର୍ମୀ ପରଦିନ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିବାଲା । ହରିହରପୁର, ଆରଡା, ଗୈାଡପୁଟ, ବାହାଡାପିଠା, ନନ୍ଦିଘୋର ପାଇକସାଇ ସହିତ ଯାତ୍ରାବରପାଟଣାକୁ ମିସାଇ ୬ ଗୋଟି କୋଠୀ ଏଥିରେ ଅଂଶଗ୍ରହଣ କରିଥିଲେ । ୭ହାତ ଲମ୍ବ ୨ହାତ ଓସାର ଓ ଦେଡହାତ ଗଭିର ଅଗ୍ନିକୁଣ୍ଡରେ ମାନସିକଧାରୀ ଭକ୍ତମାନେ ସେମାନଙ୍କ ଛୁଆଙ୍କୁ କାଖରେ ଧରି ୨୧ ଜଣ ମାନସିକଧାରୀ ଆଜି ଖାଲିପାଦରେ ଅଗ୍ନିକୁଣ୍ଡକୁ ଅତିକ୍ରମ କରିଥିଲେ । ଯାତ୍ରା ଅନୁଷ୍ଠାନର ସଭାପତି ରମାକାନ୍ତ ବାରିକ, ସମ୍ପାଦକ ମନୋଜ ବାରିକ ଏବଂ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।











