ଭୁବନେଶ୍ୱର: ଓଡିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ କୌଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବାକୁ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-‘ଟି’ ସଚିବ ଶ୍ରୀ ଭି. କେ. ପାଣ୍ଡିଆନ କହିଛନ୍ତି । ଆଜି ଶ୍ରୀ ପାଣ୍ଡିଆନ ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନରେ ଆସି ଏହାର ପରିଚାଳନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ବିଶ୍ୱସ୍ତରୀୟ ନିଯୁକ୍ତି ନିମନ୍ତେ ୱାର୍ଲଡ଼ ସ୍କିଲ ସେଣ୍ଟରରେ ଏକ ବର୍ଷିଆ ଅତ୍ୟାଧୁନିକ କୌଶଳ ତାଲିମ ଦିଆଯାଉଛି । ଆଗାମୀ ଦିନରେ ଏହା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଉଭା ହେବ ବୋଲି ସେ କହିଛନ୍ତି । ଏଠାରୁ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀମାନେ ବିଶ୍ୱସ୍ତରର ପ୍ରମୁଖ ସଂସ୍ଥାମାନଙ୍କରେ ନିଯୁକ୍ତି ପାଇବେ । ଆଗାମୀ ଦିନରେ ରାଜ୍ୟର ସରକାରୀ ଆଇଟିଆଇମାନଙ୍କରେ ମଧ୍ୟ ଏହିଭଳି ଉନ୍ନତ ମାନର ଭିତ୍ତିଭୂମି ତିଆରି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପ୍ରଶିକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ଦେଖି ସେ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କର ଆକାଂକ୍ଷା ସ୍ତର ଅଧିକ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି ।
ୱାର୍ଲଡ଼ ସ୍କିଲ ସେଣ୍ଟରର ପାଠ୍ୟକ୍ରମ ଆଇଟିଇଇଏସ୍, ସିଙ୍ଗାପୁର ଶୈଳୀରେ ପରିଚାଳିତ ହେଉଛି । ତେଣୁ ଶ୍ରୀ ପାଣ୍ଡିଆନ ଏଠାରେ ମୁତୟନ ହୋଇଥିବା ଆଇଟିଇଇଏସ୍, ସିଙ୍ଗାପୁରର ଅଧିକାରୀମାନଙ୍କ ସହ ସେମାନଙ୍କର ଅଭିଜ୍ଞତା ବିଷୟରେ ପଚାରି ବୁଝିଥିଲେ । ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ ୱାର୍ଲï ସ୍କିଲ ସେଣ୍ଟରରୁ ଉତ୍ତୀର୍ଣ୍ଣ ହେଉଥିବା ପ୍ରଶିକ୍ଷାର୍ଥୀଙ୍କ ନିଯୁକ୍ତି ନିମନ୍ତେ ବିଭିନ୍ନ ଏଜେନ୍ସି ଓ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଉଛି ।
୫-‘ଟି’ ସଚିବ ଶ୍ରୀ ପାଣ୍ଡିଆନ ବିୟୁଟି ୱଲ୍ନେସ୍ ସ୍ପା, ଫେସିଆଲ ଓ ବଡି ଥେରାପି ଷ୍ଟୁଡିଓ, ହେୟାର ଫେସନ ଡିଜାଇନ, କଟିଙ୍ଗ ଓ ଷ୍ଟାଇଲିଙ୍ଗ ଷ୍ଟୁଡିଓ, ମେକାଟ୍ରନିକ୍ସ, ନିଉମାଟିକ, ଅଟୋମେସନ ଓ ବେସିକ ରୋବୋଟିକ୍ସ, ମେକାନିକାଲ ଓ ଇଲେକ୍ଟ୍ରିକାଲ ସର୍ଭିସେସ, ଫାୟାର ଡିଟେକ୍ସନ ଓ ପ୍ରୋଟେକ୍ସନ, ପାଇପିଂ ଓ ପ୍ଲମ୍ବିଂ, ଏୟାରକଣ୍ଡିସନିଙ୍ଗ ଓ ରେଫ୍ରିଜେରେସନ ଲ୍ୟାବ ପରିଦର୍ଶନ କରି ପ୍ରଶିକ୍ଷକ ଏବଂ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିଥିଲେ ।
୨୦୨୩ ସୁଦ୍ଧା ୱାର୍ଲଡ଼ ସ୍କିଲ ସେଣ୍ଟରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଏବଂ ୨୦୨୪ ମସିହା ଭିତରେ ପ୍ରେସିସନ ଇଞ୍ଜିନିୟରିଂ ବ୍ୟବସ୍ଥା କରାଯିବ । ଏତଦ୍ବ୍ୟତୀତ ଏଠାରେ ଡିଜିଟାଲ ସ୍କିଲିଂ ହବ୍ ପ୍ରତିଷ୍ଠା ହେବ ଏବଂ ଏହା ସ୍କିଲ ପ୍ରତିଯୋଗିତାର ହବ୍ ରୂପେ କାର୍ଯ୍ୟ କରିବ । ଅନ୍ୟମାନଙ୍କ ମଧ୍ୟରେ ୱାର୍ଲଡ଼ ସ୍କିଲ ସେଣ୍ଟରର ସିଇଓ ଶ୍ରୀ ରେଘୁ ଜି ଓ ୱାର୍ଲଡ଼ ସ୍କିଲ ସେଣ୍ଟରର ଅଧିକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି. କେ. ପାଣ୍ଡିଆନ
- Hits: 253