ଅଧିକାରୀ ଓ ଯନ୍ତ୍ରୀମାନେ ଅଧିକ କ୍ଷେତ୍ର ପରିଦର୍ଶନ କରନ୍ତୁ-ମନ୍ତ୍ରୀ
ପୁରାତନ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ଓ ନୂତନ ପ୍ରକଳ୍ପ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ କ୍ଷୁଦ୍ର ଜଳସେଚନ ଡିଭିଜନ ମୁଖ୍ୟ ଯନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ବିଭାଗୀୟ ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟଅଧିକାରୀମାନଙ୍କ ସହିତ ରାଜ୍ୟରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଓ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି lବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ ରାଜ୍ୟରେ ଥିବା ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧିକାରୀମାନେ ଅଧିକରୁ ଅଧିକ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପଗୁଡିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ସେସବୁର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।ସଂପୃକ୍ତ ଅଂଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ , ଜନପ୍ରତିନିଧି ଓ ପାଣିପଂଚାୟତ ସହିତ ଆଲୋଚନା କରି ଏ ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ।
ସମୀକ୍ଷା ବୈଠକରେ ୨୦୨୧-୨୨ ବର୍ଷରେ ରବି କାର୍ଯ୍ୟକ୍ରମ ପାଇଁ ଜଳସେଚନ, କେତେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଛି ତାହାର ସମୀକ୍ଷା କରିବା ସହ ୨୦୨୨-୨୩ ଖରିଫ କାର୍ଯ୍ୟକ୍ରମ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଷଦ୍ ଭାବେ ଆଲୋଚନା କରିଥିଲେ । ବୈଠକରୁ ଜଣାଯାଇଛି ଯେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ୧୩୫ ଟି ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ପ୍ରାଶାସନିକ ଅନୁମୋଦନ ସରିଛି ଓ ଅନ୍ୟ ପ୍ରସ୍ତାବିତ ପ୍ରକଳ୍ପଗୁଡିକ ବିଚାରାଧୀନ ଅଛି । ରାଜ୍ୟରେ ୨୭୪୧ ଟି କ୍ଷୁଦ୍ର ଜଳସେଚନର ପ୍ରକଳ୍ପର ଜିଓ-ଟ୍ୟାଗିଂ କରାଯାଇ ଏହାର ପ୍ରମୁଖ ଆବଶ୍ୟକତା ସଂପର୍କରେ ‘ଆମ ଜଳାଶୟ ପୋର୍ଟାଲ’ରେ ସୂଚନା ଅଧୁନାତନ କରିବାକୁ ଓଡିଶା ସ୍ପେସ୍ ଆପ୍ଲିକେସନ ସେଣ୍ଟର(ଓରସାକ୍)କୁ ତଥ୍ୟ ଦିଆଯାଇଛି । ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ଯୋଜନା, ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା, କେନାଲ ଲାଇନିଂ ଓ ସିଷ୍ଟମ ରିହାବିଲିଟେସନ ପ୍ରୋଗ୍ରାମ, ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତିକରଣ, ବନ୍ଧ ସୁରକ୍ଷା ଓ ଉନ୍ନତିକରଣ ଆଦି ପାଇଁ ବ୍ୟୟ ବରାଦ ଓ ଧାର୍ଯ୍ୟଲକ୍ଷ୍ୟକୁ ତ୍ୱରିତ ପଦକ୍ଷେପ ନିଆଯାଇ ଶେଷ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।ସେହିପରି ବୈଠକରେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ଡ୍ୟାମ୍ ଉନ୍ନତିକରଣ ଯୋଜନା, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କୃଷି ଉପଯୋଗୀ ସହନଶୀଳ ଓଡିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ଆଦିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ, ଚାଷ ପାଇଁ ଜଳର ଆବଶ୍ୟକତା ରହିଛି l ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କୃଷିର ଉନ୍ନତି ଓ କୃଷକଙ୍କ କଲ୍ୟାଣ ପାଇଁ ଜଳସେଚନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି l ଦଳଗତ ପ୍ରଚେଷ୍ଟାରେ ସ୍ୱଚ୍ଛତା ବଜାୟ ରଖି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନୂତନ ଭାବେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକୁ ଶେଷ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ l ପ୍ରସ୍ତାବ ଦିଆଯାଉଥିବା ନୂଆ ପ୍ରକଳ୍ପଗୁଡିକୁ ଅନୁମୋଦନ ପାଇଁ ପଠାଇବା ପୂର୍ବରୁ ସ୍ଥାନୀୟ ବିଧାୟକ ତଥା ସ୍ଥାନୀୟ ଜନପ୍ରତିନିଧିଙ୍କ ଜ୍ଞାତସାରକୁ ଅଣାଗଲେ, ପ୍ରକଳ୍ପର ବାସ୍ତବ ସ୍ଥିତି ଜଣାଯିବା ସହ କାର୍ଯ୍ୟକାରିତା ବେଳେ ଅସୁବିଧା ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ।
ଡିଭିଜନର ମୁଖ୍ୟାଳୟରେ କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତଙ୍କ ସମେତ ଡିଭିଜନର ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ଥିବା ବେଳେ କ୍ଷେତ୍ରସ୍ତରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କ୍ଷୁଦ୍ର ଜଳସେଚନ ଡିଭିଜନର ଯନ୍ତ୍ରୀମାନେ ଏହି ବୈଠକରେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।