ନବୀକରଣ ଉଦ୍ୟାନ ବୁଲିଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ
ଜଖପୁରା: ଯାଜପୁର ଜିଲା ଜଖପୁରା ଅଞ୍ଚଳର କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ ନିକଟରେ ଥିବା କଳିଙ୍ଗନଗର ପାର୍କ ନୂଆରୂପ ପାଇଛି । ୨ ଦଶନ୍ଧି ଧରି ଅବହେଳିତ ହୋଇପଡ଼ିରହିଥିବା ପାର୍କକୁ ଅଗ୍ରଣୀ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜେଏସଡବ୍ଲ୍ୟୁ ନବୀକରଣ କରାଇଛି ।
ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଜେଏସଡବ୍ଲ୍ୟୁ ଦ୍ୱାରା ନବୀକରଣ ହୋଇଥିବା କଳିଙ୍ଗନଗର ପାର୍କକୁ ଶୁକ୍ରବାର ବୁଲି ଦେଖିଛନ୍ତି । ଏହି ଅବସରରେ ପାର୍କର ସୌନ୍ଦର୍ଯ୍ୟ ଫେରାଇଆଣିବା ଏବଂ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ (ସିଏସ୍ଆର୍)ରେ ଜେଏସଡବ୍ଲ୍ୟୁର ବିଭିନ୍ନ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି ।
ଅଣ୍ଡରଗ୍ରାଉଣ୍ଡ ସ୍ଲରି ପାଇପଲାଇନ୍ ବିଛାଇବା ପରେ ଜେଏସ୍ଡବ୍ଲୁ୍ୟ ଉକ୍ତ ପାର୍କର ନବୀକରଣ ଦାୟିତ୍ୱ ନେଇ ତାହାକୁ ଏକ ସବୁଜ ଆକର୍ଷଣୀୟ ସ୍ଥଳ ବନାଇଛି । ପାର୍କରେ ସୁନ୍ଦର ଲନ୍, ପ୍ରବେଶପଥ, ଫୁଟ୍ପାଥ୍ ଓ ବେଞ୍ଚ ନିର୍ମାଣ କରାଯାଇଛି । ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି । କାର୍ଯ୍ୟକ୍ରମରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଓଡ଼ିଶା ପ୍ରକଳ୍ପ ମୁଖ୍ୟ ଅଶେଷ କୁମାର ପାଢୀ, ସ୍ଲରି ପାଇପ୍ଲାଇନ ଆସୋସିଏଟ ଭାଇସ୍ ପ୍ରେସିଡେଣ୍ଟ ସୁଦୀପ ଦେ ଏବଂ କମ୍ପାନୀର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଜେଏସଡବ୍ଲ୍ୟୁ ଷ୍ଟିଲ ଓଡ଼ିଶା ପ୍ରକଳ୍ପ ମୁଖ୍ୟ ଅଶେଷ ପାଢୀ କହିଛନ୍ତି, କମ୍ପାନୀ ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଜିନ୍ଦଲଙ୍କ ଦିଗ୍ଦର୍ଶନରେ ଜେଏସ୍ଡବ୍ଲୁ୍ୟ ସମ୍ପ୍ରଦାୟର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ପାରାଦୀପରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ୍ ଏବଂ ନିର୍ମାଣ ଚାଲିଥିବା ସ୍ଲରି ପାଇପ୍ଲାଇନ ପ୍ରୋଜେକ୍ଟ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗୀକୃତ ।
ଏହି କାର୍ଯ୍ୟକ୍ରମରେ ଜଖପୁରା ସରପଞ୍ଚ ଶ୍ରୀ ରାଜା ସାମଲ, ବରିଷ୍ଠ ନେତା ଶ୍ରୀ ଦିଲୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ମାନ୍ୟବର ମନ୍ତ୍ରୀ ଶ୍ରୀ ଘଡ଼ାଇ ଜଖପୁରାଠାରେ ଥିବା ଜଗନ୍ନାଥ ମନ୍ଦିର ପରିସର ବୁଲିଥିଲେ । ସେଠାରେ ଜେଏସଡବ୍ଲ୍ୟୁ ପକ୍ଷରୁ ମାର୍ବଲ ଫ୍ଲୋରିଂ କରାଯିବାର ଯୋଜନା ରହିଛି ।