ରାୟଗଡରୁ ସରୋଜ କୁମାର ସାହୁ: ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରୟାସ କରିଛି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ । ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ ସଦର ମହକୁମାଠାରୁ ୧୫ କିଲୋମିଟର ଦୁରତାରେ ଆନ୍ଧ୍ର ଓଡିଶା ସୀମାନ୍ତରେ ଅବସ୍ଥିତ ଡାଙ୍ଗଲୋଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲମତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତିକା, ଲିଖନୀ ପୁସ୍ତିକା, କମ୍ପାସ ବକ୍ସ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଉକ୍ତ ଗ୍ରାମ ଠାରୁ ପ୍ରାୟ ୧ କିଲୋମିଟର ଦୂରତାରେ ଆନ୍ଧ୍ରପ୍ରଦେଶର ଗ୍ରାମ ଓ ବିଦ୍ୟାଳୟ ରହିଛି । ଓଡ଼ିଶା ଓ ଆନ୍ଧ୍ର ସୀମାବର୍ତ୍ତି ଅଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଏହି ଭଳି ପ୍ରୟାସ ବିଭିନ୍ନ ସମୟରେ କରାଯାଉଛି ଓ ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ମାନ ଜାରି ରହିବ ବୋଲି ସଙ୍ଘର ସଭାପତି ଦୟାନନ୍ଦ ଖାଡ଼ାଙ୍ଗା ପ୍ରକାଶ କରିଛନ୍ତି ।
ଏହିଅବସରରେ ଡାଙ୍ଗଲୋଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଗଙ୍ଗାଧର କାଡ୍ରାକା ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଠନ ସାମଗ୍ରୀ ବଣ୍ଟନ କରିବା ସହ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର କରାଯାଉଥିବା ଜନହିତକର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଉକ୍ତ କର୍ଯ୍ୟକ୍ରମକୁ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସଭାପତି ଦୟାନନ୍ଦ ଖାଡଙ୍ଗା ନେତୃତ୍ୱରେ ଉପ ସଭାପତି ଶ୍ରୀନିବାସ ବଳିଆର ସିଂ, ସମ୍ପାଦକ ମନୋଜ କୁମାର ସାହୁ, ଉପଦେଷ୍ଟା ସରୋଜ କୁମାର ସାହୁ, ମନରଞ୍ଜନ ବିଶ୍ୱାଳ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଜେ. ଗୋପାଳ କୃଷ୍ଣ, ଶିକ୍ଷକ ସଞ୍ଜୟ କୁମାର ସ୍ୱାଇଁ ଓ ଶିକ୍ଷୟତ୍ରୀ କବିତା ପରିଡା ପ୍ରମୂଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।