ରାୟଗଡ/ସରୋଜ ସାହୁ : ରାୟଗଡ ସହର ମଧ୍ୟ ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ ଉପରେ ଥିବା ଫ୍ଲାଏ ଓଭର ବ୍ରିଜଟି ଶୋଚନୀୟ ଅବସ୍ଥାର ସ୍ଥାୟୀ ସମାଧାନ ନିମନ୍ତେ ଦାବୀ ଜଣାଇ ରାୟଗଡ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ରାୟଗଡ ଜିଲ୍ଲା ବିକାଶ ମଞ୍ଚ ବିସ୍ତୃତ ଖବରରୁ ପ୍ରକାଶ ଯେ, ୩୨୬ନଂ ଜାତୀୟ ରାଜପଥ ରାୟଗଡ ସହର ମଧ୍ୟ ଦେଇ ଯାଇଛି । ରାୟଗଡ ସହରର ମଧ୍ୟ ଭାଗରେ ରେଳ ଲାଇନ ଯାଇଥିବା ହେତୁ ଏହା ଉପର ଦେଇ ଯାତାୟାତ କରିବା ନିମନ୍ତେ ଏକ ଫ୍ଲାଏ ଓଭର ବ୍ରିଜର ନିର୍ମାଣ କରାଯାଇଥିଲା । ଏହି ଫ୍ଲାଏ ଓଭର ବ୍ରିଜଟି ରାୟଗଡ ସହରର ଦୁଇ ପାର୍ଶ୍ୱକୁ ସଂଯୋଗ କରିବା ସହ ଏହା ମଧ୍ୟ ଦେଇ ୩୨୬ନଂ ଜାତୀୟ ରାଜପଥର ନିର୍ମାଣ ହୋଇଥିଲା ଯାହା ଫଳରେ ଏହି ରାସ୍ତା ଦେଇ ଦିନ ତମାମ ଶହ ଶହ ଭାରିଯାନ ଯାତାୟାତ କରିବା ଫଳରେ ଓ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ ଏହି ଫ୍ଲାଏ ଓଭର ବ୍ରିଜଟି ଶୋଚନୀୟ ଅବସ୍ଥାରେ ଗତି କରୁଛି । ଏହି ଫ୍ଲାଏ ଓଭର ବ୍ରିଜଟିରେ ବହୁ ସ୍ଥାନରେ ବଡ଼ ବଡ଼ ଗର୍ତ ମାନ ସୃଷ୍ଟି ହୋଇଥିବା ଯୋଗୁଁ ବହୁ ସମୟରେ ବଡ଼ ବଡ଼ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୋଇଥିବା ନଜିର ରହିଛି । ଏହି ଫ୍ଲାଏ ଓଭର ବ୍ରିଜର ସଠିକ ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ ଏହା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଏହି ଫ୍ଲାଏ ଓଭର ବ୍ରିଜର ସ୍ଥାୟୀ ସମାଧାନ ନିମନ୍ତେ ଗତ ବର୍ଷ ତା. ୧୯/୦୯/୨୦୨୧ ରିଖରେ ରାୟଗଡ ଜିଲ୍ଲାପାଳଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା ରାୟଗଡ ଜିଲ୍ଲା ବିକାଶ ମଞ୍ଚ ଏହାସହ ଜାତୀୟ ରାଜପଥ ଅଧିକାରୀଙ୍କୁ ଭେଟି ଏହାର ସମାଧାନ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ କିନ୍ତୁ ଆଜି ପର୍ୟ୍ଯନ୍ତ ବାରମ୍ବାର କରାଯାଉଥିବା ଅଭିଯୋଗ ଗୁଡିକର କର୍ଣ୍ଣପାତ ନ କରିବା ଓ ଏହାର ସ୍ଥାୟୀ ସମାଧାନ କରାନଯିବା ଏକ ଦୁଃଖର ବିଷୟ । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ାଙ୍ଗାଙ୍କ ନେତୃତ୍ୱରେ ଏହି ଫ୍ଲାଏ ଓଭର ବ୍ରିଜର ସ୍ଥାୟୀ ସମାଧାନ ନିମନ୍ତେ ରାୟଗଡ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ଏବଂ ଏହି ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୧୫ ଦିନ ମଧ୍ୟରେ ଏହାର ସମାଧାନ ନ କରାଯାଏ ତାହେଲେ ରାୟଗଡ ଜିଲ୍ଲା ବିକାଶ ମଞ୍ଚ ଫ୍ଲାଏ ଓଭର ବ୍ରିଜର ସ୍ଥାୟୀ ସମାଧାନ ନିମନ୍ତେ ଜାତୀୟ ରାଜପଥ ଅବରୋଧ କରିବା ସହ ଧାରଣାରେ ବସିବାକୁ ନିଷ୍ପତି ନିଆଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଉପଦେଷ୍ଟା ଶ୍ରୀ ନନ୍ଦ କିଶୋର ଚୌଧୁରୀ, ଶ୍ରୀ ସାରଥୀ ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀ ସୁରେଶ ସାହୁ, ସଭ୍ୟ ମନୋଜ କୁମାର ସାହୁ ଓ ବାଳକୃଷ୍ଣ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ ।
ରାଜ୍ୟ
ମରଣ ଯନ୍ତା ପାଲଟିଛି ରାୟଗଡ ଫ୍ଲାଏ ଓଭର ବ୍ରିଜ : ଏହାର ସ୍ଥାୟୀ ସମାଧାନ କରିବାକୁ ଦାବୀ କରିଛି ରାୟଗଡ ଜିଲ୍ଲା ବିକାଶ ମଞ୍ଚ
- Hits: 386