ହେଡଲାଇନସ୍:

"ଓଡିଶାରେ ଆଜି ରୂପାନ୍ତରଣର ନୂଆ ଯୁଗ ଆରମ୍ଭ ହୋଇଛି।"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି ।

ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ

ଭୁବନେଶ୍ୱର : "ଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପବିତ୍ର ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି। ଆଉ ୨୫ ବର୍ଷ ପରେ ଆମେ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବା । ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ହେବ। ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ ଯଦି ଦିନର ଅଳ୍ପ କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ଆମେ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା |" ବୋଲି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜୱାନ ମାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କୋଭିଡି ମହାମାରୀ ସମୟରେ ମାନବ ଜାତିର ସେବାରେ ସହୀଦ ହୋଇ ଥିବା କୋଭିଡ ଯୋଦ୍ଧା ମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ " ଆମର ସ୍ବାଧୀନତା ଥିଲା କୋଟି କୋଟି ଭାରତୀୟ ମାନଙ୍କ ବିଜୟ। ସତ୍ୟ ଓ ଅହିଂସା ର ବିଜୟ | ଏହି ବିଜୟ ସାରା ବିଶ୍ବକୁ ରାସ୍ତା ଦେଖାଇଛି।"
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି "ଗତ ୭୫ ବର୍ଷରେ ଦେଶ ଅନେକ ମାଇଲ ଷ୍ଟୋନ ହାସଲ କରିଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା , ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରିପାରୁଛି | ଆମ ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି। ୭୫ ବର୍ଷରେ ଓଡିଶା ଅନେକ ଲ୍ୟାଣ୍ଡ ମାର୍କ ହାସଲ କରି ଦେଶକୁ ରାସ୍ତା ଦେଖାଇଛି | ଓଡିଶାରେ ଆଜି ରୂପାନ୍ତରଣର ନୂଆ ଯୁଗ ଆରମ୍ଭ ହୋଇଛି। ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଏକ ଖାଦ୍ୟ ଅଭାବୀ ରାଜ୍ୟରୁ ଏକ ବଳକା ଖାଦ୍ୟ ରାଜ୍ୟ ହେବା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ବିଶ୍ବ ପାଇଁ ଆଦର୍ଶ ସୃଷ୍ଟି କରିବା, ସ୍ପୋର୍ଟ୍ସ ହବ ଭାବରେ ପରିଚୟ ସୃଷ୍ଟି କରିବା ଓ , ୭୦ ଲକ୍ଷ ମାଙ୍କୁ ସଶକ୍ତ କରିବା ଆଦି ଆମ ଓଡିଶାର ଜୟଯାତ୍ରାର ପ୍ରତୀକ।"
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ " ଶିକ୍ଷା ଆମର ଫୋକସ | ଆମ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଗୁଣାତ୍ମକ ଶିକ୍ଷାର ଦୃଢ ପ୍ରତିଶ୍ରୁତି ବହନ କରୁଛି। ପିଲାମାନଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି। ଗାଁର ପ୍ରତିଭାସମ୍ପନ୍ନ ପିଲାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍‌ ଲୋକପ୍ରିୟ ହୋଇଛି । କୋଟିଆରୁ ଆରମ୍ଭ କରି ଭୁବନେଶ୍ବରର iconic OAV ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ୍ ପିଲା ପାଠ ପଢୁଛନ୍ତି। ଆଜି ଏହି ଅବସରରେ ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ରେ ୫୦ଟି ହଷ୍ଟେଲର କରାଯାଇଛି। ସ୍ବାଧୀନତାର ୭୫ ବର୍ଷ ଅବସରରେ ଆମେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ର ୩୦୦୦ ସ୍ମାରକୀ ସ୍ଥାପନ କରୁଛୁ। ଆମର ଯୁବ ବର୍ଗଙ୍କ ପାଇଁ କର୍ମ ନିଯୁକ୍ତି ଉପରେ ଆମେ ବିଶେଷ ଗୁରୁତ୍ବ ଦେଇଛୁ । ସରକାରୀ କ୍ଷେତ୍ରରେ ଖାଲି ଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ ପାଇଁ ନିୟମିତ ନିଯୁକ୍ତି ଜାରି ରହିଛି । ବିଭିନ୍ନ ବିଭାଗରେ ୭୦ ହଜାରରୁ ଅଧିକ ଏଣ୍ଟ୍ରି ଲେବେଲ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ଜନଜାତି ଭାଇଭଉଣୀ ମାନଙ୍କ ବିକାଶ ଓ ସେମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଓଡିଶା ବହୁତ ଭଲ କାମ କରିଛି। ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି। ନିକଟରେ ରୋମ୍‌ରେ ଆମ ଓଡିଆ ପିଲା ଶେଷା କିଶାନଙ୍କୁ ଭେଟି ମୋତେ ବହୁତ ଖୁସି ଲାଗିଥିଲା ।"
ଖାଦ୍ୟ ଓ ପୋଷଣ ଉପରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ " ଖାଦ୍ୟ ସୁରକ୍ଷା ପରେ ପୋଷଣ ନିରାପତା ଅମର ଲକ୍ଷ ଓ ପ୍ରାଥମିକତା | ମାଣ୍ଡିଆ ମିଶନ ରାଜ୍ୟର ଉଣେଇଶ ଟି ଜିଲ୍ଲା କୁ ସମ୍ପ୍ରସାରିତ କରାଯାଇଛି |ଏଥିପାଇଁ ଦୁଇ ହଜ଼ାର ଆଠଶହ କୋଟି ଟଙ୍କା ଖର୍ଚ୍ଚ ହେବ | "
" ଓଡିଶା ଜଗନ୍ନାଥଙ୍କ ପବିତ୍ର ଭୂମି। ଓଡିଆ ମାନେ ସବୁବେଳେ ଆଂଚଳିକ ମନୋଭାବରୁ ଉପରକୁ ଉଠି ଜାତୀୟତାର ଭାବନାରେ କାମ କରନ୍ତି। ଭାରତୀୟ ହକି ଦଳର ଉଭୟ ପୁରୁଷ ଓ ମହିଳା ଟିମକୁ ଓଡିଶା ପ୍ରୟୋଜନ କରିବା ଆମ ଜାତୀୟ ଭାବନାର ର ସର୍ବଶ୍ରେଷ୍ଠ ଉଦାହରଣ | ଆଉ ୨୫ ବର୍ଷ ପରେ ଆମେ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବା । ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ହେବ। ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ ଯଦି ଦିନର ଅଳ୍ପ କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ଆମେ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା " ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି |

0
0
0
s2sdefault