ଜଳ ସମ୍ପଦ ବିଭାଗ ଏବଂ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର: ଓଡିଶାରେ ସମୁଦ୍ର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁଦୁଢୀକରଣ ପରିପ୍ରେକ୍ଷୀରେ ରାଜ୍ୟ ଜଳ ସମ୍ପଦ ବିଭାଗ ଏବଂ ରାଷ୍ଟ୍ରୀୟ ସାମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ ମଧ୍ୟରେ ଏକ ବୁଝାମଣା ପତ୍ର ଆଜି ଅପରାହ୍ଣରେ ସ୍ୱାକ୍ଷରିତ ହୋଇଯାଇଛି । ବିଭାଗର ସମ୍ମିଳନୀ କକ୍ଷରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର ଏବଂ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ ( ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନ୍ ଟେକ୍ନୋଲୋଜି)ର ନିର୍ଦ୍ଦେଶକ ଡଃ. ଜି.ଏ. ରାମଦାସଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଜଳସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ, ଓଡିଶାକୁ ବନ୍ୟା ଓ ବାତ୍ୟାର ଚିର ସହଚର ବୋଲି କୁହାଯାଇଥାଏ । ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନ ହେତୁ ଓଡିଶାରେ ବିଭିନ୍ନ ସମୟରେ ବନ୍ୟା ବାତ୍ୟା ଲାଗି ରହିଥାଏ । ଏହି ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ଓ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି କହିଛନ୍ତି । ଏଣୁ 5 ବର୍ଷ ପାଇଁ ଆଜିର ଏହି ବୁଝାମଣା ପତ୍ର ସ୍ୱାକ୍ଷର ଆଗାମୀ ଦିନରେ ଓଡିଶାର ଉପକୂଳବର୍ତ୍ତୀ ଅଂଚଳ ଅନ୍ତର୍ଗତ ସମୁଦ୍ରର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁରକ୍ଷାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଜଳ ସଂପଦ ବିଭାଗ ଶ୍ରୀମତୀ ଗର୍ଗ ବିଶଦ୍ ଭାବେ ସୂଚନା ଦେଇ କହିଲେ ଯେ, ଏହି ଚୁକ୍ତିନାମା ଅନୁସାରେ ଉକ୍ତ ଅନୁଷ୍ଠାନ ଓଡିଶା ରାଜ୍ୟର ଜଳବାୟୁ ପରିବର୍ତ୍ତନ ପ୍ରତିରୋଧକ ସମୁଦ୍ର ତଟ ସୁରକ୍ଷା ଓ ଲୁଣିବନ୍ଧ ଗୁଡିକର ସୁଦୃଢୀକରଣ ନିମନ୍ତେ ଆବଶ୍ୟକ ହେଉଥିବା ବୈଷୟିକ ଜ୍ଞାନ କୌଶଳ, ଡିଜାଇନ, ପ୍ରଦାନ କରିବା ସହିତ କାର୍ଯ୍ୟ ସମ୍ପାଦନ, ବିଭାଗୀୟ ଯନ୍ତ୍ରୀମାନଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶରେ ସହାୟତା ଯୋଗାଇଦେବେ । ସରକାରଙ୍କ ଏହି ଚୁକ୍ତିନାମା ଫଳରେ ରାଜ୍ୟର ଛଅ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମର ଲୋକମାନେ ଉପକୃତ ହେବେ । ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାକୃତିକ ଦୁର୍ବିପାକ ଜନିତ କ୍ଷୟକ୍ଷତିର ଆଶଙ୍କା ହ୍ରାସ କରିବା ଦିଗରେ ଏହି ଚୁକ୍ତିନାମା ଭବିଷ୍ୟତରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀମତୀ ଗର୍ଗ ଆଶା ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଳ ସଂପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ଏନ୍ଆଇଓଟିର ଅନ୍ୟ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ । ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଜଳସଂପଦ ବିଭାଗର ଯନ୍ତ୍ରୀମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ ଯେ, ଉକ୍ତ କାର୍ଯ୍ୟରେ ଦେଶରେ ଉପଲବ୍ଧ ହେଉଥିବା ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ଜ୍ଞାନ କୌଶଳ ଯୋଗାଇ ଦେବାରେ National Institute of Ocean Technology, Chennai ଏକ ଅଗ୍ରଣୀ ଅନୁଷ୍ଠାନ ।
ପ୍ରକାଶ ଥାଉକି, ମୁଖ୍ୟତଃ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଥାଏ । ଓଡିଶାରେ ପ୍ରାୟ ୪୮0କି.ମି. ଦୈର୍ଘ୍ୟ ବିଶିଷ୍ଟ ବଙ୍ଗୋପସାଗର ତଟ ଅବସ୍ଥିତ । ବାତ୍ୟା ସମୟରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସୁଉଚ୍ଚ ଲହଡି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ଦୃତ ବେଗରେ ପ୍ରବେଶ କରିବା ଫଳରେ ଅନେକ ଧନ ଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଥାଏ । ବିଗତ କିଛି ବର୍ଷ ମଧ୍ୟରେ ଅନେକ ସ୍ଥାନରେ ସମୁଦ୍ର ତଟ କ୍ଷୟ ହେବାର ପରିଲକ୍ଷିତ ହୋଇଥିବା ଦୃଷ୍ଟିରୁ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ ପ୍ରତିରୋଧକ ସମୁଦ୍ର ତଟ ସୁରକ୍ଷା ଓ ସମୁଦ୍ର ନିକଟସ୍ଥ ଲୁଣିବନ୍ଧ ଗୁଡିକର ସୁଦୃଢୀକରଣ ପାଇଁ ଯୋଜନା କରିଛନ୍ତି।