୭୫ତମ ସ୍ୱାଧୀନତା ଦିବସର ପୂର୍ତି ପାଳନ ଅବସରରେ ଅଗଷ୍ଟ ୯-୧୪ ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସର ୭୫ କି.ମି. ପଦଯାତ୍ରା
-
" ଜାତୀୟ ପତାକା ଓ ଜାତୀୟ ସଂଗୀତକୁ ଅବମାନନା କରିଆସୁଥିବା ଲୋକ ଏବେ ଦେଶପ୍ରେମ ଶିଖାଉଛନ୍ତି"
-
"ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଭାରତକୁ ନୂଆ ଦିଶା ଓ ନୂଆ ଆଶା ଦେଇଥିଲା"
ଭୁବନେଶ୍ୱର - ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶାନୁକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ଆସନ୍ତା ଅଗଷ୍ଟ-୯ କ୍ରାନ୍ତି ଦିବସରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଏବଂ ୧୪୭ ବିଧାନସଭା କ୍ଷେତ୍ରରେ ୭୫ କି.ମି. ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ୱାଧୀନତା ପ୍ରାପ୍ତି ପାଇଁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ବମ୍ବେ ଅଧିବେସନରେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦିଆଗଲା । କର ବା ମର ନିଷ୍ପତିକୁ ଗ୍ରହଣ କରି ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ସୁବାଷ ଚନ୍ଦ୍ର ବୋଷ, ମୌଲାନା ଅବୁଲ କାଲାମ ଆଜାଦ, ମହମ୍ମଦ ଅଲ୍ଲୀ ଜିନା, ଅଶୋକ ମେହେଟ୍ଟା, ଚକ୍ରବର୍ତି ରାଜଗୋପାଳଚାରି, ଡ. ରାଜେନ୍ଦ୍ର ପ୍ରସାଦ, ଅରୁଣା ଆସଫ ଅଲ୍ଲି, ଇତ୍ୟାଦି ବହୁ ତୁଙ୍ଗ ନେତା ତଥା ଭାରତବର୍ଷର ଆବାଳ ବୃଦ୍ଧ ବନିତା ଭାରତ ଛାଡ଼ ଆନ୍ଦୋଳନରେ ଝାସ ଦେଇଥିଲେ । ଦୀର୍ଘ ବର୍ଷର ଅତ୍ୟାଚାରୀ ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ଭାରତ ବର୍ଷର ଛାତ୍ରଛାତ୍ରୀ, କୃଷକ ଶ୍ରମିକ, ମହିଳାଙ୍କ ବୁଦ୍ଧିଜୀବି ମାନେ ଲଢ଼େଇ କରି ଏବଂ ବହୁ ଜୀବନ ବଳିଦାନ ପରେ ଏ ଦେଶକୁ ସ୍ୱାଧୀନତା ମିଳିଥିଲା । ସ୍ୱାଧୀନତା ପାଇଲା ବେଳକୁ ଏ ଦେଶରେ ଗୋଟିଏ ଛୁଂଚି କାରଖାନାଟିଏ ମଧ୍ୟ ନଥିଲା । ଆର୍ଥିକ ସ୍ଥିତି ବି ଅତ୍ୟନ୍ତ ଅଵ୍ୟଵସ୍ଥିତ ଥିଲା | କିନ୍ତୁ ଦୂରଦର୍ଶି ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭାରତର ଶାସନ ଦାୟିତ୍ୱ ନେଇ ବିକାଶର ନୂଆ ପ୍ରକ୍ରିୟା ଆରମ୍ଭ କରିଥିଲେ | ତାଙ୍କ ବଳିଷ୍ଠ ଓ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଭାରତକୁ ନୂଆ ଦିଶା ଓ ନୂଆ ଆଶା ଦେଇଥିଲା | କୃଷିପ୍ରଧାନ ଦେଶ ଭାରତରେ କୃଷିର ବିକାଶ ପାଇଁ ଭାରତବର୍ଷରେ ବହୁମୁଖି ନଦୀବନ୍ଧ ଯୋଜନା ତାଙ୍କରି ନେତୃତ୍ୱରେ ଆରମ୍ଭ କରାଯାଇଥିଲା । ପ୍ରଯୁକ୍ତି ଓ ବୈଷୟିକ ଦିଗରେ ଉନ୍ନତି ପାଇଁ ୧୯୫୦ ମସିହାରେ ଆଇଆଇଟି କରାଯାଇଥିଲା | ୧୯୫୬ ମସିହାରେ ଏମସ ପ୍ରତିଷ୍ଠା କରାଯାଇଥିବା ବେଳେ ୧୯୬୧ ମସିହାରେ ଆଇଆଇଏମ କାର୍ଯ୍ୟକ୍ଷମ କରାଯାଇଥିଲା | ୧୯୬୪ ମସିହାରେ ଭେଲ , ୧୯୭୪ ମସିହାରେ ପରମାଣୁ ବୋମା ପରୀକ୍ଷଣ, ୧୯୬୯ ମସିହାରେ ଇସ୍ରୋ ପ୍ରତିଷ୍ଠା, ୧୯୫୮ ମସିହାରେ ଡିଆରଡିଓର ଗଠନ ସର୍ବୋପରି ୧୯୬୩ ମସିହାରେ ଥୁମ୍ବା ରକେର୍ଟ ଲଂଚି ପ୍ରତିଷ୍ଠା କରାଯାଇଥିଲା । ଖାଦ୍ୟ ଶସ୍ୟ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାପାଇଁ ସବୁଜ ବିପ୍ଳବର ଡାକରା ଦିଆଯାଇଥିଲା । ଦୁଗ୍ଧ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାପାଇଁ ଶ୍ୱେତ ବିପ୍ଳବର ଡାକରା ଦିଆଯାଇଥିଲା ।
ହେଲେ ଆଜି କେନ୍ଦ୍ରରେ ଥିବା ସରକାର ଗତ ୮ ବର୍ଷ ଭିତରେ ଜାତୀୟ ସଂପତି ବିକିବା ଛଡ଼ା ଗୋଟିଏ ବି ଜାତୀୟ ସଂପଦ ସୃଷ୍ଟି କରିବାରେ ନଜିର ନାହିଁ । ଠିକ ସେହିଭଳି ଭାବରେ ରାଜ୍ୟରେ ଥିବା ବର୍ତ୍ତମାନର ସରକାରଙ୍କ ଦୀର୍ଘ ୨୨ ବର୍ଷର ଶାସନ ଭିତରେ ଆଜି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏ ସବୁ କ୍ଷେତ୍ରରେ ଓଡ଼ିଶା ବହୁ ପଛରେ । ଡାକ୍ତରଖାନା ଅଛି ଡାକ୍ତର ନାହାନ୍ତି, ସ୍କୁଲ ଅଛି ଶିକ୍ଷକ ନାହାନ୍ତି |ତେଣୁ ୭୫ ବର୍ଷର ସ୍ୱାଧୀନତା ପ୍ରାପ୍ତି ପରେ ଏ ସରକାର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଆଜି ଦେଶକୁ ଜାତି ଧର୍ମ ନାମରେ ଭାଗ ଭାଗ କରାଯାଉଛି । ହିଂସା, ଦ୍ୱେଷ, ଘୃଣାର ମଞ୍ଜି ପୋତାଯାଉଛି । ଏଭଳି ଭାରତ ବର୍ଷର ସ୍ୱପ୍ନ ଆମର ମହା ମନିଷୀମାନେ ଦେଖିନଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆଜି ଅସମ୍ମାନିତ କରାଯାଉଛି । ତାଙ୍କ ଫଟୋ ଚିତ୍ର ରଖି ତା ଉପରକୁ ଗୁଳିବର୍ଷଣ କରୁଛନ୍ତି । ତିରଙ୍ଗା ଆମ ହୃଦୟ ଭିତରେ ରହିଛି ଏବଂ ତ୍ରିରଙ୍ଗା ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି । ତ୍ରିରଙ୍ଗା ଆମ ଜାତୀୟ ପତାକା ଆମେ ସବୁଦିନ ଏହାକୁ ଉଡାଉଛୁ | କିନ୍ତୁ ୧୯୪୭ ମସିହା ପାଖରୁ ଦୀର୍ଘ ୫୨ ବର୍ଷ ଧରି ଆରଏସଏସ ଜାତୀୟ ପତାକାକୁ କେବେହେଲେ ନିଜ କାର୍ଯ୍ୟାଳୟ ମାନଙ୍କରେ ଉଡାଇ ନାହିଁ । ଜାତୀୟ ସଂଗୀତକୁ ମଧ୍ୟ କେବେ ଗାନ କରନ୍ତି ନାହିଁ । ଏମାନଙ୍କୁ ପାଖରୁ ଜାତୀୟତା ବାଦ କିଛି ଶିଖିବାର ଆବଶ୍ୟକତା ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ ଜାତୀୟ କଂଗ୍ରେସର ସଂପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଶ୍ରୀ ଜି. ରୁଦ୍ର ରାଜୁ, ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ସେଲର ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ ।