"ବିଧାନ ସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଦେଇଛନ୍ତି ଭୁଲ ଉତ୍ତର"
ଭୁବନେଶ୍ୱର : ବିଧାନ ସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତି କରଣ ମନ୍ତ୍ରୀ ବିଧାନସଭା ପ୍ରଶ୍ନର ଉତ୍ତରରେ ଭୁଲ ତଥ୍ୟ ରଖିଥିବାର ଅଭିଯୋଗ ଆଣିଛି କେନ୍ଦୁଝର ବିକାଶ ପରିଷଦ। ବିକାଶ ପରିଷଦ ଅଭିଯୋଗ ଆଣି କହିଛି ଯେ ଚଳିତ ମାସ ପନ୍ଦର ତାରିଖରେ ମାନ୍ୟବର ମନ୍ତ୍ରୀ ବିଧାନସଭାରେ ଅଣତାରକା ପ୍ରଶ୍ନସଂଖ୍ୟା ୧୩୭୭ର ଯେଉଁ ଉତ୍ତର ରଖିଛନ୍ତି, ତାହା ତଥ୍ୟ ଆଧାରିତ ନୁହେଁ । ବ୍ଲକ ଓ ଜିଲ୍ଲା ଅଧିକାରୀଙ୍କ ପାଖରୁ ପ୍ରାପ୍ତ ତଥ୍ୟକୁ ଠିକଭାବେ ତର୍ଜମା ନକରି ଏପରି ଉତ୍ତର ପ୍ରସ୍ତୁତ କରଯାଇଛି ବୋଲି ବିକାଶ ପରିଷଦ କହିଛି ।
ଅଭିଯୋଗ ଅନୁଯାୟୀ , ପ୍ରଶ୍ନଟି ଥିଲା କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅନ୍ତର୍ଗତ କୋଡିପଶା ପଞ୍ଚାୟତର କୁଣ୍ଢେଇ ଗ୍ରାମର ଜଣେ ବିଧବା ଆଦିବାସୀ ମହିଳାଙ୍କ ସପକ୍ଷରେ ବିଧବା ଭତ୍ତା ମଞ୍ଜୁରୀ କାଳରେ ଉଭୟ ପଞ୍ଚାୟତ ଅଧିକାରୀ ଓ ବ୍ଲକ ଅଧିକାରୀ କରିଥିବା ଅବହେଳା ସମ୍ପର୍କରେ । କିନ୍ତୁ ମାନ୍ୟବର ମନ୍ତ୍ରୀ ଯେଉଁ ତଥ୍ୟ ରଖିଲେ ତା’ର ଅର୍ଦ୍ଧେକ ଉକ୍ତ ଆଦିବାସୀ ମହିଳାଙ୍କ ସମ୍ପର୍କରେ ଥିଲାବେଳେ , ଅନ୍ୟ ଅର୍ଦ୍ଧେକ ଥିଲା ସେହି ଗ୍ରାମର ଅନ୍ୟ ଜଣେ ସାଧାରଣ ବର୍ଗର ବିଧବା ମହିଳାଙ୍କ ଭତ୍ତା ମଞ୍ଜୁରୀ ସମ୍ପର୍କରେ । ପ୍ରାପ୍ତ ତଥ୍ୟ ଅନୁଯାୟୀ , କୁଣ୍ଢେଇ ଗ୍ରାମର ସୁମିତ୍ରା ବାସ୍କେ ଓ ପଦ୍ମିନୀ ଘଣା ନାମକ ଦୁଇଜଣ ବିଧବା ମହିଳାଙ୍କ ସପକ୍ଷରେ ଭତ୍ତା ମଞ୍ଜୁରୀ ପାଇଁ ବାଂଶପାଳ ବ୍ଲକ ଅଧିକାରୀ ୨୦୨୧ବର୍ଷର ଶେଷ ଭାଗରେ କେନ୍ଦୁଝର ଉପ-ଜିଲ୍ଲାପାଳଙ୍କ ନିକଟକୁ ସୁପାରିଶ କରିଥିଲେ । କେନ୍ଦୁଝର ଉପ-ଜିଲ୍ଲାପାଳ ଉକ୍ତ ସୁପାରିଶ ଉପରେ ଉଭୟ ଦରଖାସ୍ତ କାରୀଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଆପତ୍ତି ଉଠାଇ, ୨୦୨୧ ମସିହା ଡିସେମ୍ବର ମାସ ୨୧ ତାରିଖର ପତ୍ରରେ ଉଭୟ ଦରଖାସ୍ତକୁ ବ୍ଲକକୁ ଫେରାଇଦେଇ, ଆବଶ୍ୟକ ସଂଶୋଧନ କରି ପୁନଃ ସୁପାରିଶ କରିବାକୁ ପରାମର୍ଶ ଦେଇଥିଲେ । ଆଦିବାସୀ ମହିଳା ସୁମିତ୍ରା ବାସ୍କେଙ୍କ କ୍ଷେତ୍ରରେ ତା’ଙ୍କ ସ୍ଵାମିଙ୍କ ମୃତ୍ୟୁ ପ୍ରମାଣପତ୍ର ନଥିବାର ପ୍ରଶ୍ନ ଉଠାଇଥିବାବେଳେ , ସାଧାରଣ ବର୍ଗର ମହିଳା ପଦ୍ମିନୀ ଘଣାଙ୍କ କ୍ଷେତ୍ରରେ ଆଧାର କାର୍ଡଧାରୀଙ୍କ ସହିତ ତା’ଙ୍କ ସମ୍ପର୍କର ଉଲ୍ଲେଖ ନଥିବାର ପ୍ରଶ୍ନ ଉଠାଯାଇଥିଲା । କିନ୍ତୁ , ମାନ୍ୟବର ମନ୍ତ୍ରୀ ଉତ୍ତରରେ କହିଲେ , ଉକ୍ତ ଆଦିବାସୀ ମହିଳା ଯେଉଁ ଆଧାର କାର୍ଡ ତା’ଙ୍କ ଦରଖାସ୍ତ ସହିତ ସଂଯୋଗ କରିଥିଲେ , ସେଥିରେ ତା’ଙ୍କ ନାମ ଉଲ୍ଲେଖ ନଥିଲା । କିନ୍ତୁ , କେନ୍ଦୁଝର ଉପ-ଜିଲ୍ଲାପାଳଙ୍କ ଚିଠିରେ ଉକ୍ତ ଆଦିବାସୀ ମହିଳାଙ୍କ କ୍ଷେତ୍ରରେ ଏପରି ଆପତ୍ତି ଉଠାଯାଇନ।ହିଁ । ଏହି ଆଧାର କାର୍ଡ ଆଧାରିତ ଆପତ୍ତି ପଦ୍ମିନୀ ଘଣାଙ୍କ କ୍ଷେତ୍ରରେ ଉଠାଯାଇଛି । ବିଭାଗ ବା ମନ୍ତ୍ରୀଙ୍କ ଦପ୍ତର ଯଦି ଉପ-ଜିଲ୍ଲାପାଳଙ୍କ ଚିଠିକୁ ଠିକଭାବେ ତର୍ଜମା କରିଥାନ୍ତେ , ତେବେ ଏପରି ବେପରୁଆ ଉତ୍ତର ଦେଇ ଏକ ଆଦିବାସୀ ବିଧବା ମହିଳାଙ୍କ ପ୍ରତି ଉପହାସ କରିନଥାନ୍ତେ । ଏହା ଏକ ଦୁର୍ଭାଗ୍ୟ ଜନକ କଥାବୋଲି ବିକାଶ ପରିଷଦ ତା’ର ପ୍ରତିକ୍ରିୟାରେ କହିଛି ।
ଏଠାରେ ଉଲ୍ଲେଖ ଥାଉକି , ବିଭାଗର ୨୦୧୯ ବର୍ଷର ନିୟମ ଅନୁଯାୟୀ , ବିଧବା ଭତ୍ତା ମଞ୍ଜୁରୀ ସକାଶେ ସ୍ଵାମିଙ୍କ ମୃତ୍ୟୁ ପ୍ରମାଣ ପତ୍ର ବା ବାର୍ଷିକ ଆୟର ପ୍ରମାଣ ପାଇଁ ରାଜସ୍ୱ ନିରୀକ୍ଷକ ବା ତହସିଲଦାରଙ୍କ ରିପୋର୍ଟର ଆବଶ୍ୟକତା ନ।ହିଁ । ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କ ସର୍ବେକ୍ଷଣ ଓ ପ୍ରମାଣନ ଆଧାରରେ ଭତ୍ତା ମଞ୍ଜୁର କରାଯାଇପାରିବ । ଏକଥାକୁ ମାନ୍ୟବର ମନ୍ତ୍ରୀ ସେହିଦିନ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ମଧ୍ୟ ସ୍ଵୀକାର କରିଛନ୍ତି । କିନ୍ତୁ , ଏ’ ପ୍ରଶ୍ନର ଉତ୍ତର ରଖିବା ବେଳେକୁ ନିୟମର ତାଳମେଳ ରଖିନଥିବାର ଅଭିଯୋଗ ଆସିଛି । ପଞ୍ଚାୟତ ଅଧିକାରୀ କେବେବି ଦରଖାସ୍ତକାରୀଙ୍କ ଘରକୁ ଯାଇନାହାନ୍ତି କି ତାଙ୍କର ଆର୍ଥିକ ଅବସ୍ଥା ସମ୍ପର୍କରେ ସର୍ବେକ୍ଷଣ କରିନାହାନ୍ତି । ଯେହେତୁ ଅଧିକାରୀମାନେ ଠିକଭାବେ ସୁପାରିଶ କରିନଥିଲେ , ଉପ-ଜିଲ୍ଲାପାଳ ଏପରି ଆପତ୍ତି ଉଠାଇଥିଲେ । କେବଳ ସେତିକିନୁହେଁ , ଉପ-ଜିଲ୍ଲାପାଳଙ୍କ ପତ୍ର ପାଇବାର ସାତଦିନ ମଧ୍ୟରେ ଆବଶ୍ୟକ ତଥ୍ୟ ଓ କାଗଜଦେଇ ପୁନଃ ସୁପାରିଶ କରିବାର ନିୟମ ଥିବାବେଳେ , ଅଧିକାରୀମାନେ ପଞ୍ଚମାସରୁ ଅଧିକ ସମୟ ବସିରହିଥିଲେ । ଏ ନିୟମ ଆଧାରରେ , ଏକଥା ସମ୍ପୂର୍ଣ ସ୍ପଷ୍ଟଯେ ଉଭୟ ସୁମିତ୍ରା ବାସ୍କେ ଓ ପଦ୍ମିନୀ ଘଣାଙ୍କ ଦରଖାସ୍ତର ସୁପାରିଶ କାଳରେ ସମ୍ପୃକ୍ତ ଅଧିକାରୀମାନେ ଭୁଲକରିଛନ୍ତି । ମନ୍ତ୍ରୀ ବିଧବା ମହିଳାଙ୍କ ପ୍ରତି ହୋଇଥିବା ଅବହେଳାକୁ ଗୁରୁତ୍ଵ ନଦେଇ , ତାଙ୍କ ଅଧସ୍ତନ କର୍ମଚାରୀଙ୍କୁ ଘଣ୍ଟଘୋଡାଇବାକୁ ଚେଷ୍ଟାକରିଛନ୍ତି । ଏପରି ଭୁଲ ଉତ୍ତର ପ୍ରତି ଦ୍ରୁଷ୍ଟି ଦେବା ସାଙ୍ଗକୁ , ଅସହାୟ , ଗରିବ , ଆଦିବାସୀ , ବିଧବା ମହିଳାଙ୍କ ପ୍ରତି ଜାଣିଶୁଣି ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାକୁ କେତେକ ଆଦିବାସୀ ଲୋକ ମଧ୍ୟ ଅନୁରୋଧ କରିଛନ୍ତି । ଇତିମଧ୍ୟରେ ସୁମିତ୍ରା ବାସ୍କେଙ୍କ ଭତ୍ତା ମଞ୍ଜୁର ହୋଇଯାଇଥିବାବେଳେ , ପଦ୍ମିନୀ ଘଣାଙ୍କ କ୍ଷେତ୍ରରେ ପୂର୍ବପରି ସ୍ଥାନୀୟ ଅଧିକାରୀ ଅବହେଳା କରୁଥିବାର ଅଭିଯୋଗ ଆସିଛି । କେବଳ ସୁମିତ୍ରା ବାସ୍କେ ଓ ପଦ୍ମିନୀ ଘଣା ଏପରି ଅବହେଳାର ଶୀକାର ହୋଇନାହାନ୍ତି , କୁଣ୍ଢେଇ , ବାଲାଣିପଶି , ଜୁଙ୍ଗା, ନଈଗୋଡା , ନିତ୍ୟାନନ୍ଦପୁର ପ୍ରଭୃତି ଗାଁର ଆହୁରି ଅନେକ ଆଦିବାସୀ ବିଧବା ମହିଳା ଏପରି ଅବହେଳାର ଶୀକାର ହେଉଛନ୍ତି । ଏଥିପ୍ରତି କେହି ଦୃଷ୍ଟି ନଦେବା ଏକ ଦୁର୍ଭାଗ୍ୟର ବିଷୟ ବୋଲି ବିକାଶ ପରିଷଦ କ୍ଷଭର ସହିତ ମତ ରଖିଛି ।