ଏଇଠି ଦିନେ ବାସ କରୁଥିଲେ ବାରିପଦା ପୌରସଂସ୍ଥାର ପ୍ରଥମ ଉପାଧ୍ୟକ୍ଷ ତଥା ଓଡିଆ ଜାତିର ମଉଡମଣି ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାଶ । ତାଙ୍କର ଏଇ ପୂଣ୍ୟପୀଠକୁ ଐତିହାସିକ ସ୍ମାରକୀ କରିବାରେ ବାରିପଦା ପୌର ପରିଷଦ, ରାଜ୍ୟ ସରକାର ତଥା ପୂଜପୂଜା ପ୍ରାଣ ବାରିପଦିଆଙ୍କ ଭିତରେ ଆଗ୍ରହ ପ୍ରକାଶ ନପାଇବା ଦୁଃଖଦାୟକ ଘଟଣା ନୁହେଁ କି ? ତେଣୁ ଉକ୍ରଳମଣିଙ୍କ ସ୍ମୃତି ବିଜଡିତ ଅବହେଳିତ ଗୋପବନ୍ଧୁ ଭବନକୁ ଐତିହାସିକ କୀର୍ତ୍ତି ଭାବରେ ମାନ୍ୟତା ଓ ସୁରକ୍ଷା ମିଳୁ ବୋଲି ଦାବି କରିବା କଣ ଆମ କର୍ତ୍ତବ୍ୟ ନୁହେଁ କି ? ?କେହି ନକଲେ ନାହିଁ, ପୌରସଂସ୍ଥାର କଣ କିଛି ଉତ୍ତରଦାୟିତ୍ୱ ନାହିଁ ???
ସରକାର ନକଲେ ନାହିଁ, ପୌରସଂସ୍ଥା ତ କିଛି ସମ୍ମାନ ଦେଉ ତା ପ୍ରଥମ ଉପାଧ୍ୟକ୍ଷଙ୍କୁ !!!!!
ବାରିପଦା(Dillip Mohanty )- କଳା ସଂସ୍କୃତିର ସହର ବାରିପଦା । ଅତୀତର ଅନେକ ସ୍ମୃତି ବହନ କରି ଆସୁଛି । ସହରରେ ଅନେକ ପୂଣ୍ଣ୍ୟାତ୍ମା ଜନ୍ମ ନେଇଛନ୍ତି ଓ ପାଦ ଥାପିଛନ୍ତି ଏହି ମାଟିରେ । ଦେଶ ବିଦେଶରେ ବାରିପଦା ସହରର ଏକ ସ୍ୱତନ୍ତ୍ର ପରିଚୟ ରହିଅଛି । ବାରିପଦା ଅଧିବାସୀଙ୍କର ଭାଇଚାରା ଓ ଅତିଥେୟତା ମଧ୍ୟରେ ସ୍ୱତନ୍ତ୍ରତା ଭରି ରହିଛି ; ଯାହା ଅନ୍ୟ କେଉଁଠି କମ୍ ଦେଖିବାକୁ ମିଳେ । ଏହି ମାଟିରେ ଥରେ ପାଦ ଥାପିଲେ ବାରିପଦିଆଙ୍କର ଅନାବିଳ ସରଳ ନିଷ୍କପଟ ଭାତୃତ୍ୱ ଭାବ ଓ ଭଲପାଇବାକୁ ଭୂଲି ହୁଏ ନାହିଁ ସାରା ଜୀବନ । ଭାରତ ବ୍ରଟିଶ ଶାସନରୁ ମୁକ୍ତ ହୋଇଛି । ରାଜା ମହାରାଜାମାନଙ୍କର ଶାସନର ଅବସାନ ଘଟିଛି । ମୟୂରଭଞ୍ଜରେ ଗଡ଼ଜାତ ରାଜ୍ୟର ମହାରାଜାମାନଙ୍କ ଶାସନର ଅବସାନ ଘଟିବା ପରେ ଓଡ଼ିଶା ପ୍ରଦେଶ ସହିତ ୧୯୪୯ ମସିହା ଜାନୁୟାରୀ ୧ ତାରିଖରେ ସମ୍ମିଶ୍ରଣ ଓ ୨ ତାରିଖରେ ଏକ ସର୍ବବୃହତ ଜିଲ୍ଲା ଭାବେ ଶାସିତ ହେବାରେ ଲାଗିଛି । ତଥାପି ବର୍ତମାନ ମଧ୍ୟ ଜିଲ୍ଲାର ଜନସାଧାରଣଙ୍କର ମାନସ ପଟରୁ ବିସ୍ମୃତ ହୋଇ ପାରି ନାହିଁ ପ୍ରଜାବତ୍ସଳ ମୟୂରଭଞ୍ଜ ମହାରାଜାମାନଙ୍କର ରାମରାଜ୍ୟର ଶାସନ ବ୍ୟବସ୍ଥାକୁ । ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ନିଜ ରାଜ୍ୟ ସହିତ ଓଡ଼ିଶା ପ୍ରଦେଶ ଓ ଓଡ଼ିଆ ଭାଷାକୁ ଆପଣାର ବୋଲି ଭାବି କାର୍ଯ୍ୟ କରିଆସିଥିଲେ । ଏହି ପୂଣ୍ଣ୍ୟାତ୍ମା ପ୍ରଜାବତ୍ସଳ ମହାରାଜାଙ୍କର ଶାସନ ସମୟରେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାଶ ମୟୂରଭଞ୍ଜ ଉଚ୍ଚ ନ୍ୟାୟାଳୟରେ ସରକାରୀ ଓକିଲ ଭାବରେ କାର୍ଯ୍ୟ କରିବା ନିମନ୍ତେ ସ୍ୱାଧୀନତା ସଂଗ୍ରାମୀ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଓ ଭାଷା ଆନନେ୍ଦାଳନର ଅନ୍ୟତମ କର୍ଣ୍ଣଧାର ସାଜିଥିବା ଉକ୍ରଳ ଗୌରବ ମଧୁ ବାରିଷ୍ଟରଙ୍କର ସୁପାରିଶ କ୍ରମେ ବାରିପଦା ମାଟିରେ ପାଦ ଥାପିଥିଲେ ।
ମୟୂରଭଞ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପ୍ରଜାମାନଙ୍କର ସ୍ୱାସ୍ଥ୍ୟ ଓ ବିଭିନ୍ନ ପ୍ରକାରର ସୁବିଧାସୁଯୋଗ ପ୍ରଦାନ ସହିତ ଶାସନ ବ୍ୟବସ୍ଥାକୁ ସରଳିକରଣ କରାଇବାର ମହତ୍ ଉଦେ୍ଧଶ୍ୟରେ ବିହିତ ପଦକ୍ଷେପ ନେବାକୁ ଯାଇ ୧୯୦୫ ମସିହାରେ ବାରିପଦା ମୁ୍ୟନିସିପାଲିଟି ଗଠନ କରିଥିଲେ । ଏଥିରେ ପ୍ରଥମ ଉପାଧ୍ୟକ୍ଷ ଭାବରେ ଉକ୍ରଳମଣି ଗୋପବନ୍ଧୁ ଦାଶଙ୍କୁ ମହାରାଜା ଶ୍ରୀରାମ ଚନ୍ଦ୍ର ମନୋନୀତ କରିଥିଲେ । ଏହା ବ୍ୟତୀତ ଉକ୍ରଳମଣିଙ୍କୁ ମୟୂରଭଞ୍ଜ ଉଚ୍ଚ ନ୍ୟାୟାଳୟରେ ସରକାରୀ ଓକିଲ ଭାବରେ ମଧ୍ୟ ମହାରାଜା ନିଯୁକ୍ତି ଦେଇ ତାଙ୍କର ବସବାସ ନିମନ୍ତେ ଏକ ସ୍ୱତନ୍ତ୍ର ବାସଗୃହର ବ୍ୟବସ୍ଥା କରାଇଥିଲେ । ଉକ୍ରଳମଣି ସେହି ବାସଭବନରେ ରହିବା ସାଙ୍ଗକୁ ଘରର ଅଗଣାରେ ଏକ ପିଣ୍ଡି ନିର୍ମାଣ କରାଇ ତା ଉପରେ ସମସ୍ତ କାର୍ଯ୍ୟ ତୁଲାଇବା ସଂଗେସଂଗେ ଗଡ଼ଜାତ ରାଜ୍ୟରେ ଦରୀଦ୍ର ନାରାୟଣଙ୍କର ସେବା ମଧ୍ୟ କରୁଥିଲେ । ବାରିପଦା ସହରରେ ରହଣି ସମୟରେ ଚାକିରୀ ନାମରେ ଜନ ସେବା ମର୍ମ ହିଁ ନିହିତ ରହିଥିଲା । ଗୋପବନ୍ଧୁଙ୍କୁ ମୟୂରଭଞ୍ଜ ଷ୍ଟେଟ କାଉନସିଲର ଜଣେ ସଦସ୍ୟ ଭାବରେ ମଧ୍ୟ ମନୋନୀତ କରାଯାଇଥିଲା । ସକ୍ରିୟ ସଦସ୍ୟ ଥାଇ ମଧ୍ୟ ନିଜର ନିର୍ଭୀକ ଓ ଜନହିତକର ମତମାନ ବ୍ୟକ୍ତ କରୁଥିଲେ । ବିଶେଷ କରି ଆର୍ମସ ଆକ୍ଟ, କୋର୍ଟ ଫିସ୍ ଆକ୍ଟ ସହିତ ଶିକ୍ଷା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଗ୍ରାମ ପଂଚାୟତ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିର୍ଭୀକ, ନିରପେକ୍ଷ, ଦରୀଦ୍ର କଲ୍ୟାଣ ମୂଳକ ଆଇନ ପ୍ରଣୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବାରିପଦା ପୌରପରିଷଦର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରି ସହରରେ ରାସ୍ତାଘାଟ, ନାଳ ନର୍ଦ୍ଧମା ନିର୍ମାଣ ସହିତ ସଫା ସୁତୁରା ରଖିବା, ଅଧିକ କର୍ମଚାରୀ ନିଯୁକ୍ତି, ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା, ରାସ୍ତା ପ୍ରଶସ୍ତିକରଣ, ରାସ୍ତାରେ କିରୋସିନି ଲ୍ୟାମ୍ପ ପୋଷ୍ଟ ବ୍ୟବସ୍ଥା ଆଦି କରିବା ସାଂଗକୁ ଅଧିକ ରାଜସ୍ୱ ସଂଗ୍ରହ ନିମନ୍ତେ ରାସ୍ତାରେ ଯାତାୟତ କରୁଥିବା ଯାନ ଉପରେ ଟକିସ ବ୍ୟବସ୍ଥା, ଖୁଆଡ଼ ଘର ବସାଇବା ଆଦିର ବ୍ୟବସ୍ଥା ପ୍ରଚଳନ କରିଥିଲେ ।ଏହା ବ୍ୟତୀତ ଏମକେସି ହାଇ ସ୍କୁଲର ଛାତ୍ରମାନଙ୍କୁ ନେଇ ୟଙ୍ଗ ଉକ୍ରଳ ଆସୋସିଏସନ ଗଠନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ପାଠ ଓ ବିଭିନ୍ନ ପ୍ରକାରର ଆଲୋଚନା କରୁଥିଲେ । ସହରରେ ଘର ପୋଡ଼ି ସମୟରେ ନିଆଁ ଲିଭେଇବାରେ ଏହି ଆସୋସିଏସନ ପ୍ରମୁଖ ଭୂମିକା ନେଉଥିଲା । ସେହିପରି ମୟୂରଭଞ ବ୍ରାହ୍ମଣ ସମିତି ଗଠନ ଓ ଧର୍ମଶାଳା ସ୍ଥାପନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ । ୧୯୧୨ ଫେବୃୟାରୀ ୨୨ ତାରିଖରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ଅକାଳ ବିୟୋଗ ପରେ ରାଜ୍ୟର ଶାସନ ବ୍ୟବସ୍ଥା ପଲିଟିକାଲ ଡିପାର୍ଟମେଣ୍ଟଙ୍କ ଦ୍ୱାରା କୋର୍ଟ ଅଫ ୱାଡର଼୍ସ ଅଧୀନରେ ରହିବା କାରଣରୁ ଗୋପବନ୍ଧୁ ମୟୂରଭଞ୍ଜରୁ ଚାକିରୀ ଛାଡ଼ି ସତ୍ୟବାଦୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାପରେ ଉକ୍ରଳମଣିଙ୍କର ବାସଭବନ ଗୋପବନ୍ଧୁ ଭବନ ଭାବରେ ନାମ କରଣ ହେଲା । ମୟୂରଭଞ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମଶିିବା ପରେ ଗୋପବନ୍ଧୁଙ୍କ ବାସ ଭବନ ଦେବୋତ୍ତର ବିଭାଗ ଅଧୀନରେ ବାରିପଦା ମୌଜା,ୟୁନିଟ-୫,ଲାଲବଜାର ଖାତା ନଂ-୧୪୨/୯୪,ପ୍ଲଟ ନଂ.-୨୪୦ କିସମ ଘରବାଡ଼ି-ଏ୦.୪୦ଡେସିମିଲ ଓ ପ୍ଲଟ ନଂ.୨୪୧ ଘରବାଡ଼ି ଏ୦.୦୧ ଡେସିମିଲ ମୋଟ ଏ୦.୪୧ ଡେସିମିଲ ରହିଅଛି । ଏହି ଗୋପବନ୍ଧୁ ଭବନ ଏକ ଐତିହାସିକ ସ୍ମୃତି ବହନ କରୁଥିବା ସହିତ ବାରିପଦାରେ ଉକ୍ରଳମଣିଙ୍କ ଇତିହାସର ଏକ ମୂକ ସାକ୍ଷୀ ମଧ୍ୟ । ଏହାର ଗୁରୁତ୍ୱ ଓ ମହତ୍ୱକୁ ଉପଲବ୍ଧି କରି ୧୯୮୨ ମସିହାରେ ତକ୍ରାଳୀନ ବାରିପଦା ପୌରାଧ୍ୟକ୍ଷ ଦୀନକୃଷ୍ଣ ଗୋପବନ୍ଧ ଭବନ ପରିସରରେ ଗୋପବନ୍ଧୁଙ୍କ ନାମରେ ଏକ ପାଠାଗାର ପ୍ରତିଷ୍ଠା କରିଥିଲେ ଓ ଏହି ପାଠାଗାରକୁ ତତ୍କାଳୀନ ଜିଲ୍ଲାପାଳ ଧିରେନ୍ଦ୍ର ନାଥ ପାଢ଼ୀ ପବିତ୍ର ଉକ୍ରଳ ଦିବସରେ ଶୁଭ ଉଦ୍ଘାଟନ କରିଥିଲେ । କାନ୍ଥରେ ଏବେ ମଧ୍ୟ ଏକ ମାର୍ବଲ ଫଳକ ଶ୍ରୀହୀନ ଓ ପରିତ୍ୟକ୍ତ ଅବସ୍ଥାରେ ରହି ଏହାର ବାର୍ତ୍ତା ବହନ କରିଆସୁଛି । ମାତ୍ର ପୌରପରିଷଦର ଅଧ୍ୟକ୍ଷ ପଦରୁ ଦୀନକୃଷ୍ଣ ଅବ୍ୟାହତି ନେବା ପରେ ପରେ ପାଠାଗାର ପରିଚାଳନାରେ ଅବ୍ୟବସ୍ଥା ସାଂଗକୁ ଉପଯୁକ୍ତ ରକ୍ଷଣାବେକ୍ଷଣର ଘୋର ଅଭାବ ଓ ଆର୍ଥିକ ସମସ୍ୟା ଆଦି କାରଣରୁ ପାଠାଗାରରେ ସବୁ ଦିନ ପାଇଁ ତାଲା ଝୁଲିଲା । ଏଥିରେ ରହିଥିବା ମୂଲ୍ୟବାନ ପୁସ୍ତକ, ଆସବାବପତ୍ର ଆଦି କୁଆଡେ଼ ଗଲା ତାର ହିସାବ ଦେବୋତ୍ତର ବିଭାଗ କିମ୍ବା ପୌରପରିଷଦ କାହାରି ନିକଟରେ ନାହିଁ । ଦେବୋତ୍ତର ବିଭାଗ ଉକ୍ତ ଐତିହାସିକ ସ୍ମୃତି ପୀଠକୁ ସମ୍ମାନ ଦେବା ଓ ଯତ୍ନର ସହକାରେ ପରବର୍ତ୍ତି ପିଢ଼ୀଙ୍କୁ ଦାଶେଙ୍କ ବିଷୟରେ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ରକ୍ଷଣାବେକ୍ଷଣ କରିବା ପରିବର୍ତ୍ତେ ୨୦୧୧ ମସିହା ଜୁଲାଇରେ ମାସିକ ଏକ ହଜାର ଟଙ୍କାରେ ଭଡ଼ା ଲଗାଇ ବ୍ୟବସାୟ ଚଳାଇଥିଲା । ବର୍ତ୍ତମାନ ଏହା ଏକ ପରିତ୍ୟକ୍ତ ଭୂତକୋଠିରେ ପରିଣତ ହୋଇସାରିଥିବାର ପରିଲକ୍ଷିତ ହୋଇଛି ଏବଂ ଦେବୋତ୍ତର ବିଭାଗ ପୂଜ୍ୟପୂଜାରେ କେତେ ପାରଦର୍ଶୀତା ରହିଛି , ତାହା ଏହି ଉକ୍ରଳମଣିଙ୍କ ବାସଭବନରୁ ଜଣାପଡ଼ିଯାଉଛି ।
୧୯୬୫ ମସିହାରେ ବାରିପଦା ସିଭିଲ ଜଜଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଟ୍ରିବ୍ୟୁନାଲର ରାୟରୁ ଜଣା ଯାଏ, ଦେବୋତର ବିଭାଗର ହାତରେ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାଙ୍କର ସମ୍ପତ୍ତିର ପରିମାଣ ରହିଥିଲା ଏ୨୧୭୫୨.୭୯ ଡି. । ବର୍ତମାନ ଠାକୁରଙ୍କ ନାମରେ ମାତ୍ର ଏ୨୧.୦୪ଡି. ରହିଥିବା ବେଳେ ଅବଶିଷ୍ଟ ୨୧୭୩୦.୯୬ ଡି. ସମ୍ପତ୍ତି ଉଭାନ ହୋଇଯାଇଛି । ମହାପ୍ରଭୂ ନାବାଳକ ହୋଇଥିବାରୁ ତାଙ୍କର ସମ୍ପତ୍ତି ବିକ୍ରି ହୋଇ ନପାରିବାର ଆଇନ ରହିଥିବା ବେଳେ ସମ୍ପତ୍ତିର ମାଲିକାନା ସତ୍ୱ ଏକ ସସପେନ୍ସ ହୋଇ ରହିଯାଇଛି । ଦେବୋତ୍ତର ବିଭାଗର ଅପାରଗତା କାରଣରୁ ନିଜ ବିଭାଗର ସମ୍ପତ୍ତିର ସଠିକ୍ ରକ୍ଷଣାବେକ୍ଷଣ କରି ପାରି ନଥିବା ସମୟରେ ଐତିହାସିକ ସ୍ମୃତିକୁ ବହନ କରୁଥିବା ଗୋପବନ୍ଧୁ ଭବନକୁ ଭଡ଼ା ଲଗାଇ ଅର୍ଥ ଉପାର୍ଜନ କରିବା କାହା ସ୍ୱାର୍ଥରେ । ଆମର ଜିଲ୍ଲା ପ୍ରଶାସନ, ପୌରପରିଷଦ ଓ ସହରରେ ବିଭିନ୍ନ ସଂସ୍ଥା ପକ୍ଷରୁ ବିଭିନ୍ନ ସମୟରେ ସହର ମଧ୍ୟରେ ରହିଥିବା ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ସହିତ ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରୁଥିବାର ଦେଖିବାକୁ ମିଳିଥାଏ । ସେହିପରି ଏକ ସଂସ୍ଥା ପକ୍ଷରୁ ବାରିପଦା ସହରକୁ ଗୋପବନ୍ଧୁ ଜ୍ୟୋତି ପରିକ୍ରମାରେ ଆସୁଥିବା ବେଳେ ଏହାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଚ୍ଚାଇବା ନିମନ୍ତେ ସହରରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିବାର ପରିଲକ୍ଷିତ ହୋଇଥାଏ । ସତେ ଯେମିତି ଅଦ୍ୟାବଧି ଉକ୍ରଳମଣି ହଜାର ହଜାର ପୌରବାସୀଙ୍କ ଜନସାଧାରଣଙ୍କ ହୃଦୟ ମଧ୍ୟରେ ସାଉଁଟା ହୋଇ ରହିଛନ୍ତି । କିନ୍ତୁ ଏହି ଗୋପବନ୍ଧୁ ପ୍ରେମୀମାନେ ଥରେ ହେଲେ ତାଙ୍କର ବାସ ଭବନ ଆଡ଼କୁ ଆଡ଼ ଦୃଷ୍ଟିରେ ନ ଅନାଇବା "ସଲିଳ ନ ସିଞ୍ଚି ଦୂରୁ ଦଣ୍ଡବତ, କରିବାକୁ ଛନ୍ତି ଲୋକ ଶତଶତ" ବୋଲି ପ୍ରମାଣିତ କରାଇ ଦେଇଛି । ସେହିପରି ଗୋପବନ୍ଧୁ ଜ୍ୟୋତିକୁ ରାଜ୍ୟ ପରିକ୍ରମା କରାଉ ଥିବା ସଂସ୍ଥା ଦିନେ ହେଲେ ଏହି ଅବହେଳିତ ଗୋପବନ୍ଧୁ ଭବନକୁ ସ୍ମରଣ ନ କରିବା ଅତ୍ୟନ୍ତ ଦୁଃଖଦାୟକ ଓ ପରିତାପର ବିଷୟ ପାଲଟି ଯାଇଛି । ଏହି ଗୋପବନ୍ଧୁ ଭବନର ସ୍ଥିତାବସ୍ଥା ଉପରେ ସବିଶେଷ ବିବରଣୀ ଜାଣିବା ଜାଣିବା ନିମନ୍ତେ ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳଙ୍କୁ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅଗଷ୍ଟ ୮ ବୁଧବାର ଭେଟିବାରୁ ଗୋପବନ୍ଧୁ ଭବନ ବିଷୟରେ କିଛି ଜାଣି ନାହାନ୍ତି । ଅପରାହ୍ନ ୫ଟା ସମୟରେ ଆସନ୍ତୁ, ଫାଇଲକୁ ଦେଖିବା ପରେ ଉତ୍ତର ଦେବି ବୋଲି କହିଥିଲେ ଏବଂ ୫ଟା ସମୟରେ ପୁଣି ଥରେ ସାକ୍ଷାତ କରିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ବିଶ୍ୱଜିତ ମହାନ୍ତିଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ସହକାରୀ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବାରୁ ଗୋପବନ୍ଧୁ ଭବନର ସ୍ଥିତାବସ୍ଥା ସମ୍ପର୍କରେ ସୂଚନା ପ୍ରାପ୍ତି ସମ୍ଭବ ହୋଇପାରି ନଥିଲା ।