ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଆଦିବାସୀ ପ୍ରତିନିଧି ସମ୍ମିଳନୀ : ସରକାରୀ ଅର୍ଥରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମ : ଝାମୁଁମୋ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେଡି ନେତା ମାନେ  ଆଦିବାସୀ ପୋଷାକ ପିନ୍ଧି ମିଛରେ କୁମ୍ଭୀର କାନ୍ଦଣା କାନ୍ଦିବା ସାଙ୍ଗକୁ ନାଚଗୀତରେ ମାତି ଆଦିବାସୀ ଦିବସ ପାଳନ କରିବା ଏକ ପ୍ରହସନ ମାତ୍ର 

ବାରିପଦା(ଦିଲ୍ଲୀପ ମହାନ୍ତି )- ଚଳିତ ଅଗଷ୍ଟ ୯ରେ ଭୂବନେଶ୍ୱରସ୍ଥିତ ଅଅଦିବାସୀ ପଡ଼ିଆ ପରିସରରେ ଆୟୋଜିତ ହୋଇଥିଲା ବିଶ୍ୱ ଆଦିବାସୀ ଦିବସ । ଏହାପରେ ରାଜ୍ୟର ୯ଟି ଆଦିବାସୀ ବହୁଳ ଜିଲ୍ଲା ସହିତ ସମଗ୍ର ରାଜ୍ୟରେ ଅଗଷ୍ଟ ୯ରୁ ୧୩ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଆଦିବାସୀ ସମାରୋହ ପାଳିତ ହେବ ବୋଲି ବିଜେଡ଼ିର ଆଦିବାସୀ ସାମୁଖ୍ୟର ଆବାହକ ସୁଦାମ ମାର୍ଣ୍ଡି ପ୍ରକାଶ କରିଥିବା ବିଷୟକୁ ନେଇ ସାମାଜିକ ଗଣମାଧ୍ୟମରେ ଖବର ଭାଇରାଲ ହୋଇଥିଲା । ଏହାପରେ ମୟୂରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ମୟୂରଭଞ୍ଜ ଏସଡ଼ିସି ପକ୍ଷରୁ ବାରିପଦା କଲେଜ ପଡ଼ିଆ ପରିସରରେ World Indigenous Day ପାଳନ ହେବ ବୋଲି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏକ ପ୍ରେସ ରିଲିଜ ଜାରି କରାଇଥିଲା । ତେବେ ଏହି World Indigenous Day ପାଳନକୁ କେନ୍ଦ୍ର କରି ଜିଲ୍ଲାରେ ଦେଖା ଦେଇଛି ବିବାଦ । ଏହା ଏକ ସରକାରୀ କାର୍ଯ୍ୟକ୍ରମ ସହିତ ସାଧାରଣ ଜନତାଙ୍କ ଅର୍ଥରେ ଉକ୍ତ  ଦିବସ ପାଳନ କରାଯାଉଥିବା ବେଳେ ସମାଜର ସମସ୍ତ ବର୍ଗର ଜନସାଧାରଣଙ୍କର ଏହାକୁ ଉପଭୋଗ କରିବାର ଅଧିକାର ରହିଛି । ମାତ୍ର ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରଣ ନକରାଇ ବିଜଦ ନିଜସ୍ୱ ଦଳୀୟ ସମାରୋହ ଭାବେ ପାଳନ କରିଥିବା ବିଷୟକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥି ନିମନ୍ତେ ବିଜଦକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଝାମୁମୋ ପକ୍ଷରୁ ଚେତାବନୀ ଦେଇଛନ୍ତି । ଝାମୁମୋର ଜିଲ୍ଲା ସଭାପତି ଫାଗୁ ହାଁସଦାଃ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ କହିଛନ୍ତି, ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ୧୮ ବର୍ଷର ଶାସନରେ ବିଶେଷ କରି ଆଦିବାସୀ ସମ୍ପ୍ରଦାୟ ସବୁଠାରୁ ଅଧିକ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଆଦିବାସୀମାନେ ନିଜର ଭିଟାମାଟି ନିମନ୍ତେ ସଂଗ୍ରାମ ଜାରି ରଖିଥିବା ବେଳେ ସେହି ନିରୀହ ଆଦିବାସୀମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଗୁଳି ମାରି ହତ୍ୟା କରାଗଲା । ସେହିପରି ଫୁଲବଣି ଜିଲ୍ଲାର ରାଇଘରରେ ନିରୀହ ଆଦିବାସୀମାନଙ୍କୁ ମାଓବାଦୀ ଆଖ୍ୟାଦେଇ ମିଥ୍ୟାରେ ଏନକାଉଣ୍ଟାର କରି ହତ୍ୟା କରାଗଲା । କୁନ୍ଦୁଲି ପିଡ଼ିତା ଆଦିବାସୀ ନାବାଳିକାକୁ ସରକାର ସୁରକ୍ଷା ଦେବା ବଦଳରେ ତାଙ୍କୁ ସରକାର ହତ୍ୟା କରିଥିଲେ । ବିଜଦ ସରକାରରେ ଆଦିବାସୀ ନେତାମାନେ ଆଦିବାସୀମାନଙ୍କ ନିମନ୍ତେ କିଛି ନ କରି ଆଦିବାସୀ ପୋଷାକ ପିନ୍ଧି ମିଛରେ କୁମ୍ଭୀର କାନ୍ଦଣା କାନ୍ଦିବା ସାଙ୍ଗକୁ ନାଚଗୀତରେ ମାତି ଆଦିବାସୀ ଦିବସ ପାଳନ କରିବା ଏକ ପ୍ରହସନ ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନ ଆଦିବାସୀମାନଙ୍କ ଧର୍ମପୀଠ ଜାହିରାର ପୁର୍ନଉଦ୍ଧାର କରିବା ନିମନ୍ତେ ଏକ ଲକ୍ଷ ଟଙ୍କା ଯୋଗାଇ ଦେବେ ବୋଲି ୨/୩ ବର୍ଷ ପୂର୍ବେ କରିଥିବା ଘୋଷଣା ସେହି ଘୋଷଣାରେ ରହିଯାଇଛି । ଆଦିବାସୀ ସମ୍ପ୍ରଦାୟଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବାଦ୍ୟଯନ୍ତ୍ର ପ୍ରଦାନ ଓ ମରାମତି ନିମନ୍ତେ ଆବଶ୍ୟକୀୟ ସହାୟତା ପ୍ରଦାନ, ଆଦିବାସୀ କଲାକାରଙ୍କୁ ଚିହ୍ନଟ କରାଯାଇ ଭତ୍ତା ପ୍ରଦାନ, ଆଦିବାସୀ ଭାଷା ଓ ସଂସ୍କୃତିର ପୁର୍ନଉଦ୍ଧାର ସହିତ ସାମଗ୍ରିକ ବିକାଶ ନିମନ୍ତେ ଆଦିବାସୀ ଭାଷା ସାହିତ୍ୟ ଏକାଡେ଼ମୀ ଗଠନ, ଗ୍ରାମ ମୁଖିଆମାନଙ୍କୁ ଗ୍ରାମ୍ୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ସ୍ୱୀକୃତି ଆଦି ପ୍ରଦାନ, ପେସା ଆଇନ ଲାଗୁ କରାଇବା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜଦ ସରକାର ଓ ନେତାମାନଙ୍କୁ ସଣ୍ଡୁଆସୀ ଆକ୍ରମଣ କରିବା ସଂଗେସଂଗେ ଆଦିବାସୀ ସମ୍ପ୍ରଦାୟର ଏହି ସମସ୍ତ ଦାବି ପୂରଣ କରାନଗଲେ ଆଗାମୀ ଦିନରେ  “ମିଛ ଆଦିବାସୀ ଉନ୍ନୟନ ପରିଷଦ କାର୍ଯ୍ୟାଳୟ”କୁ ଘେରାଓ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସେହିପରି କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କୁ ବାଦ ଦିଆଯାଇଥିବାରୁ ସମାଜର ବିଭିନ୍ନ ମହଲରୁ ଏସଡ଼ିସିକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ମୟୂରଭଞ୍ଜ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ବିକାଶ ପରିଷଦର ଅଧ୍ୟକ୍ଷ ସିଧାସଳଖ ଭାବେ ରାଜନୀତି  କରୁଥିବାର ଅଭିଯୋଗ ହୋଇଛି । World Indigenous Day  ପାଳନ ବଦଳରେ ଜିଲ୍ଲାସ୍ତରୀୟ ଆଦିବାସୀ ପ୍ରତିନିଧି ସମ୍ମିଳନୀର ବ୍ୟାନର ଦେଖିବାକୁ ମିଳିଥିଲା । ତେଣୁ ଆଦିବାସୀ କହିଲେ ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ବୁଝାଉଥିବା ବେଳେ ଏସଡ଼ିସି କେବଳ ବିଜଦର ସମର୍ଥକମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରିଥିବାରୁ ଏହି ପାତର ଅନ୍ତର ନିମନ୍ତେ ଆଦିବାସୀ ସମ୍ପ୍ରଦାୟର  ଭାଇ ଓ ଭଉଣୀମାନେ ଭବିଷ୍ୟତରେ ବିଜଦକୁ ଠିକଣା ଜବାବ ଦେବେ ବୋଲି ଝାମୁମୋର ଜିଲ୍ଲା ସଭାପତି ଶ୍ରୀ ହାଁସଦାଃ ସୂଚନା ଦେଇଛନ୍ତି । ସେହିପରି କାର୍ଯ୍ୟକ୍ରମକୁ ଏସଡ଼ିସିର ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି ବାଛିବାଛି କେତେକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରିବା ସହିତ ସେମାନଙ୍କୁ ଏକ ହୋଟେଲରେ ଆପ୍ୟାୟିତ କରାଯାଇଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।  

 

 

 

0
0
0
s2sdefault