ହେଡଲାଇନସ୍:

    ମୁଖ୍ୟମନ୍ତ୍ରୀ ମହୋଦୟ....ଆପଣଙ୍କ ଘୋଷଣା କି ପାଣିର ଗାର !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୦୧୬ ସୁଦ୍ଧା ମୟୂରଭଞ୍ଜରୁ ବିମାନ ଘୋଷଣା ପାଲଟିଛି  ପ୍ରହସନ

ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜଦର ପ୍ରତିଶ୍ରୁତି ନିହେଁ ଗ୍ୟାରେଣ୍ଟି ଓ କଥାରେ ବିଶ୍ୱାସ ନୁହେଁ, କାର୍ଯ୍ୟରେ ବିଶ୍ୱାସ ନାରାରେ କେତେ ସତ୍ୟତା ଭରି ରହିଛି ତାହା ଭାତହାଣ୍ଡିରୁ ଗୋଟାଏ ଭାତ ଭଳି ୨୦୧୫ ନଭେମ୍ବର ୨୦ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂବନେଶ୍ୱରଠାରେ ଏକ ସମୀକ୍ଷା ବୈଠକରେ ମୟୂରଭଞ୍ଜ ଜିଲାରୁ ବିମାନ ଉଡ଼ାଣର ଏକ ଐତିହାସିକ ନିଷ୍ପତ୍ତିରୁ ପରିଲକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ୨୦୧୬ ସୁଦ୍ଧା ଏହି ବିମାନ ସେବା ଉପଲବ୍ଧ ହେବାର ଘୋଷଣା କରାଯାଇଥିଲା । ଏଥି ନିମନ୍ତେ ମୟୂରଭଞ୍ଜ ଜିଲାରେ ବିଜଦର ଯୁବ, ଛାତ୍ର ଓ ମହିଳା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଦୁଇ ବର୍ଷ ଆଠ ମାସ ପୂରଣ ହେବାକୁ ଯାଉଥିଲେ ମଧ୍ୟ ଜିଲାରୁ ବିମାନ ସେବା ଆକାଶ କଇଁଆ ଚିକିଲା ମାଛ ନ୍ୟାୟରେ କୌଣସି ଗନ୍ଧବାସ ମିଳିପାରି ନାହିଁ । ସେହିପରି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଳାୟ ପକ୍ଷରୁ ଦେଶରେ ବେସାମରିକ ବିମାନ ଉଡ଼ାଣ ନିମନ୍ତେ ନୂତନ ଜାତୀୟ ନୀତିର ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା । ସୂଲଭ ମୂଲ୍ୟରେ ଅର୍ଥାତ୍ ସର୍ବାଧିକ ୨୫୦୦ ଟଙ୍କା ଭଡ଼ା ମଧ୍ୟରେ ଛୋଟ ଛୋଟ ସହରଗୁଡ଼ିକୁ ବିମାନ ସେବା ଉଡ଼ାଣ, ବିଦେଶରେ ଘରୋଇ ବିମାନ ସେବା ଆରମ୍ଭ କରିବା ପାଇଁ ନିୟମକୁ କୋହଳ କରିବା ସଂଗେ ସଂଗେ ବନ୍ଦ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଏୟାର ଷ୍ଟ୍ରିପଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରିବାର ପ୍ରସ୍ତାବକୁ ୨୦୧୫ ଶେଷ ସୁଦ୍ଧା ଚୂଡ଼ାନ୍ତ ରୂପରେଖ ଦିଆ ଯିବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପି. ଅଶୋକ ଗଣପତି ରାଜୁ  ୨୦୧୫ ଅକ୍ଟୋବର ୩୦ରେ ନୂଆ ଚିଠା ଆଗତ କରିଥିଲେ । ଏଥି ସହିତ ବେସାମରିକ ବିମାନ ଚଳାଚଳ ସଚିବ ଆର ଏନ ଚୌବେଙ୍କ ଘୋଷଣା ଅନୁସାରେ ମହାନଗର ଓ ଛୋଟଛୋଟ ସହର ମଧ୍ୟରେ ସ୍ୱଳ୍ପ ସମୟ ମଧ୍ୟରେ ଯାତାୟତ ନିମନ୍ତେ ଏକ ଘଣ୍ଟାର ଉଡ଼ାଣ ନିମନ୍ତେ  ଯାତ୍ରୀମାନଙ୍କୁ ସର୍ବାଧିକ ୨୫୦୦ ମଧ୍ୟରେ ଭଡ଼ା ଦେବାକୁ ପଡ଼ିବ । ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଗଲେ ଯେଉଁ କ୍ଷତି ହେବ ତାର ଭରଣା ବାସ୍ତବିକ ମୂଲ୍ୟ ଓ ଭଡ଼ାର ଅନ୍ତର ପାଣ୍ଠି ଭିଜିଏଫରୁ କରାଯିବ । ଭିଜିଏଫରୁ ୮୦ ପ୍ରତିଶତ ଅର୍ଥ କେନ୍ଦ୍ର ଯୋଗାଇ ଦେଉଥିବା ସମୟରେ ଅବଶିଷ୍ଟ ୨୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଯୋଗାଇବ । ଭାରତର ବିଭିନ୍ନ ସହରମାନଙ୍କରେ ୪୩୦ରୁ ଅଧିକ ବିମାନ ବନ୍ଦର ରହିଥିବା ସମୟରେ ଏହା ମଧ୍ୟରୁ ପ୍ରାୟ ୯୦ ଗୋଟି ସଂଚାଳନ ଉପଯୋଗି ରହିଅଛି । ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବିମାନ ବନ୍ଦରଗୁଡ଼ିକୁ ୫୦ କୋଟି ଟଙ୍କା ବ୍ୟୟ ବରାଦରେ ଉନ୍ନତି କରଣ କରାଯିବାର ପ୍ରସ୍ତାବ ରହିଥିଲା ।

             ମୟୂରଭଞ୍ଜ ଜିଲାରେ ବ୍ରିଟିଶ ସରକାରଙ୍କ ସମୟରେ ରହିଥିବା  ରାସଗୋବିନ୍ଦପୁର ସାମରିକ ବିମାନ ଘାଟି, ଦାଣ୍ଡପୋଷ, ରଜାବସା ଆଦି ଅନେକ ପରିତ୍ୟକ୍ତ ବିମାନ ବନ୍ଦର ରହିଅଛି । ରାସଗୋବିନ୍ଦପୁର ଏୟାର ଷ୍ଟ୍ରିଫ ବାଲେଶ୍ୱର ସହିତ ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗ ସୀମାରେ ରହି ଥିବାରୁ ଏହାର ଗୁରୁତ୍ୱ ସର୍ବାଧିକ । ଏହା ୫ ଶହ ଏକରରୁ ଅଧିକ ଅଂଚଳକୁ ନେଇ ନିର୍ମାଣ କରା ଯାଇଥିବା ସମୟରେ ଅଦ୍ୟାବଧି ପରିତ୍ୟକ୍ତ ଅବହେଳିତ ଅବସ୍ଥାରେ ୫ କିଲୋମିଟର ରନୱେ ମଧ୍ୟ ରହିଛି । ପୁଣି ଏହା ଜିଲ୍ଲାର ସଦର ମହକୁମା ବାରିପଦାଠାରୁ ମାତ୍ର ୪୦ କିଲୋମିଟର ମଧ୍ୟରେ ଅବସ୍ଥିତ । ଗତ ୨୦୧୩ ଅଗଷ୍ଟ ୧୩ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଳାୟର ୫ ଜଣିଆ ଟିମ ମୟୂରଭଞ୍ଜ ଗସ୍ତରେ ଆସି ପରିତ୍ୟକ୍ତ ଅବସ୍ଥାରେ ରହିଥିବା ରାସଗୋବିନ୍ଦପୁର, ରଜାବସା, ଦାଣ୍ଡବୋଷ ଆଦି ବିମାନ ଘାଟିଗୁଡ଼ିକୁ ଅନୁଧ୍ୟାନ କରିଥିଲେ । କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲାର ଜନସାଧାରଣଙ୍କୁ ବିମାନ ସେବା ଯୋଗାଇ ଦେବା ନିମନ୍ତେ ଆଗେଇ ଆସିଥିଲେ । କିନ୍ତୁ ମୟୂରଭଞ୍ଜ ଜିଲାରୁ ଦେଶ ଭିତରେ ବିଭିନ୍ନ ସହରକୁ ବିମାନ ସେବା ଫାଇଲରେ ଅଳନ୍ଧୁ ଲାଗିଯାଇଛି । କେନ୍ଦ୍ର ସରକାର ଲୋକଙ୍କୁ ଭୁଆ ବୋଲାଇ ଥିବା ବେଳେ “ଉଦ ବୁଦ୍ଧିରେ ବଣ ବିରାଡ଼ି ବାଇ” ନ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏକ ପ୍ରହସନରେ ପରିଣତ ହୋଇସାରିଥିବାରୁ ଏହାକୁ ଜିଲାର ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।

 

0
0
0
s2sdefault