ହେଡଲାଇନସ୍:

କଳାକାର ଚୟନ ନିମିତ୍ତ ଅଡିସନକୁ କଳାକାରଙ୍କ ପକ୍ଷରୁ ସ୍ୱାଗତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର,(ଜୟଶଙ୍କର ଦାଶ ) : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀଙ୍କୁ ଚୟନ ପାଇଁ ଏକ ଦକ୍ଷତାମୂଳକ କାର୍ଯ୍ୟକ୍ରମ ଚଳିତ ମାସ ୧୪ ତାରିଖରେ ଜିଲ୍ଲାର ସମସ୍ତ ବ୍ଲକ ପରିସରରେ ଅନୁଷ୍ଠିତ  ହେବ । ଏହିଦିନ ପୂର୍ବାହ୍ନ ୧୦ ଘଟିକା ଠାରୁ ଏକ ଅଡିସନ ମାଧ୍ୟମରେ ପ୍ରକୃତ କଳାକାରମାନଙ୍କୁ ପ୍ରଦର୍ଶନ ଆଧାରରେ ଚୟନ କରାଯିବ । ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା କଳାସଂସ୍କୃତି ସଂଘର ଅଧ୍ୟକ୍ଷ ଏବଂ କଳାକାର ଚୟନ କମିଟିର ଅଧ୍ୟକ୍ଷ ରଂଜନ କୁମାର ଦାସଙ୍କ କଳାକାର ଚୟନ ନିମିତ ଏହି ଅଡିସନ ନିଷ୍ପତ୍ତିକୁ ସମସ୍ତ ବ୍ଲକ କଳାସଂସ୍କୃତି ସଂଘର ଉପ ସଭାପତିମାନେ ସ୍ୱାଗତ କରିଛନ୍ତି । କଳାକାରମାନେ ମଧ୍ୟ ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ସୁନ୍ଦର ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ଏହାଦ୍ୱାରା ପ୍ରକୃତ କଳାକାର ଚିହ୍ନଟ ହେବା ସହଜ ହେବ ବୋଲି ମତ ଦେଇଛନ୍ତି  । କଳାକାର ସହାୟତା ଯୋଜନା କେବଳ ପ୍ରକୃତ କଳାକାରମାନଙ୍କ ପାଇଁ ତେଣୁ ଏଥିରେ ଅଣକଳାକାର ମାନଙ୍କର ସ୍ଥାନ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସ୍ପଷ୍ଟ କରିଦେଇଛନ୍ତି । ଜିଲ୍ଲାରେ ଥିବା ଦାସକାଠିଆ, କୀର୍ତ୍ତନ. ଘୋଡାନାଚ, ଗୋପାଳ ଲଉଡି, ଖଞ୍ଜଣି, ଘୁମୁରା, ରାମଲୀଳା, କୃଷ୍ଣଲୀଳା, କେନେ୍ଦରା, ଧୁଡୁକି, ଚକୁଳିଆପଣ୍ଡା ଓ ପାଲା ଏହିଭଳି ମୋଟ ୧୨ଟି କଳାର କଳାକାରମାନଙ୍କୁ ଏହି ଅଡିସନ ମାଧ୍ୟମରେ ଚୟନ କରାଯିବ । ତେବେ ଅନ୍ୟାନ୍ୟ କ୍ଷେତ୍ର ଯଥା ସାହିତ୍ୟ, ଚିତ୍ରକଳା, ମୃତିକଳା ଇତ୍ୟାଦି କଳାକ୍ଷେତ୍ର ପାଇଁ ସରକାରଙ୍କୁ ପତ୍ରାଳାପ କରାଯାଇଅଛି । ଅଡିସନରେ ଏ ସମସ୍ତ କଳାକାର ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ । ସରକାରଙ୍କ ଠାରୁ ସ୍ପଷ୍ଟିକରଣ ମିଳିବା ପରେ ସମସ୍ତ ଚୟନ ହୋଇଥିବା କଳାକାର ମାନଙ୍କର ଏକ ତାଲିକା ପ୍ରସ୍ତୃତ କରାଯାଇ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି । ଅନେକ କଳାକାର ସେମାନଙ୍କର କେତେକ କାଗଜାଦି ପତ୍ର ଯଥା ଆବାସ, ଆର୍ଥିକ ପ୍ରମାଣପତ୍ର ଇତ୍ୟାଦି ପ୍ରଦାନ କରିନଥିଲେ ଅଡିସନ ସମୟରେ ମଧ୍ୟ ତାହା ଦାଖଲ କରିପାରିବେ ବୋଲି ସୂଚନା ଦିଆଯାଇଛି । ଏହି ଅଡିସନ ନିଷ୍ପତ୍ତିକୁ ଜିଲ୍ଲା କଳାସଂସ୍କୃତି ସଂଘର ଉପସଭାପତି ଅନିରୁଦ୍ଧ ପରିଡା, ରସୁଲପୁର ବ୍ଲକ କଳାସଂସ୍କୃତି ସଂଘର ଉପସଭାପତି ମୋହନ ମଲ୍ଲିକ, ଧର୍ମଶାଳା ଉପସଭାପତି ପ୍ରଶନ୍ନ କର, ବିଂଝାରପୁର ଉପସଭାପତି ହରିଶ ଚନ୍ଦ୍ର ଧଳ, ଦଶରଥପୁର ଉପସଭାପତି ମହେଶ୍ୱର ପରିଡା, ବରୀ ଉପସଭାପତି ଗୁନ ଚରଣ ନାୟକ, କୋରାଇ ଉପସଭାପତି ପ୍ରଫୁଲ୍ଲ ଆଚାର୍ଯ୍ୟ, ବଡଚଣା ଉପସଭାପତି ପ୍ରମୋଦ ଦାସ ଓ ସୁକିନ୍ଦା ଉପସଭାପତି ପ୍ରଫୁଲ୍ଲ ଦାସସାମନ୍ତ ପ୍ରମୁଖ ସ୍ୱାଗତ କରିବା ସହ ଜିଲ୍ଲାପାଳଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି । ଅପରପକ୍ଷରେ ଅଣକଳାକାରମାନେ ଏହି ଅଡିସନ ଘଟଣା ଜାଣିବା ପରେ ହତୋତ୍ସାହିତ ହୋଇପଡିଛନ୍ତି ବୋଲି କହିବା ସହ ଯଦି କୌଣସି ଅଣକଳାକାର ଏହି ଅଡିସନରେ ଯୋଗ ଦିଅନ୍ତି ସେମାନଙ୍କୁ କଳାକାରମାନେ ବିରୋଧ କରିବେ ବୋଲି ସେମାନେ ସୂଚନା ଦେଇଛନ୍ତି । 

 

 

0
0
0
s2sdefault