ହେଡଲାଇନସ୍:

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରକୃତ ହିତାଧିକାରୀ ଚୟନରେ ଅନିୟମିତତା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ - ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର,(ଜୟଶଙ୍କର ଦାଶ ) : ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀଠାରୁ ରାଜ୍ୟରେ ଆରମ୍ଭ ହେଉଛି ଓଡିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ଏହାର ହିତାଧିକାରୀ ଚିହ୍ନଟ ପାଇଁ ସରକାର ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ତେଣୁ ସେହି ଆଧାରରେ ପ୍ରକୃତ ହିତାଧିକାରୀ ଚୟନ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ  ଦେଇଛନ୍ତି । କୌଣସି କ୍ଷେତ୍ରରେ କୌଣସି ମାନଦଣ୍ଡକୁ ଅଣଦେଖା କରି ଯଦି କୌଣସି ଅଧିକାରୀ ବା କର୍ମଚାରୀ ହିତାଧିକାରୀ ଚୟନ କ୍ଷେତ୍ରରେ ଅନିୟମିତତା କରିବେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା – ୨୦୧୮ ସଂପର୍କରେ ଏକ ବୈଠକ ଅନୁଷ୍ଠିତ  ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ପ୍ରତ୍ୟେକ ଯୋଜନା ଜନସାଧାରଣଙ୍କ ହିତ ପାଇଁ ଉଦ୍ଧିଷ୍ଟ । ତେବେ କେତେକ ଅସାଧୁ କର୍ମଚାରୀ ଏହାର ମାନଦଣ୍ଡକୁ ଅଣଦେଖା କରି ହିତାଧିକାରୀ ଚୟନ କରୁଥିବାରୁ ସମସ୍ୟା ଦେଖାଦେଇଥାଏ । ତେଣୁ ଜିଲ୍ଲାରେ ବର୍ତ୍ତମାନ ପ୍ରଣୟନ ହେବାକୁଥିବା ଏହି ଯୋଜନାକୁ ଯେପରି ସଠିକ୍ ଓ ସଫଳ ଭାବେ ପରିଚାଳନା କରାଯିବ ସେଥିପାଇଁ ପ୍ରତ୍ୟେକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଯୋଜନା ଓ ଏହାର ନିୟମ ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତଃଭୁକ୍ତ କରାଯିବ । ନିୟମାବଳୀ ସଂପର୍କରେ ହୋଡିଂ, ପୋଷ୍ଟର, ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ପ୍ରସାର କରାଯାଇ ହିତାଧିକାରୀଙ୍କୁ ସଚେତନ କରାଯିବ । ଚଳିତମାସ ୧୩ ତାରିଖଠାରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଆବେଦନ ପତ୍ର ଗ୍ରହଣ କରାଯିବ । ଏହି ଆବେଦନ ପତ୍ର ଗୁଡିକୁ ତତ୍କ୍ଷଣାତ୍ ଯାଂଚ କରାଯିବ । ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ସମସ୍ତ ଆବେଦନ ପତ୍ର ଗୁଡିକୁ ଡିଜିଟାଇ ଜେସନ କରାଯିବ । ସେପ୍ଟେମ୍ବର ୧୩ ରୁ ୨୦ ମଧ୍ୟରେ ନମୁନା ତାଲିକାକୁ ସାର୍ବଜନୀନ କରାଯିବା ସହ ଆପତ୍ତି ଅଭିଯୋଗ ଆହ୍ୱାନ କରାଯିବ । ସେପ୍ଟେମ୍ବର ୨୧ ତାରିଖଠାରୁ ୨୪ ତାରିଖ ମଧ୍ୟରେ ପ୍ରିଣ୍ର୍ଟିଂ ଲାମିନେସନ, ବାରକୋଡ ଇତ୍ୟାଦି ମାଧ୍ୟମରେ ରାସନକାର୍ଡ ପ୍ରସ୍ତୁତ ହେବ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ଏହି ନୂତନ ରାସନକାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି । ସରକାର ବିଭିନ୍ନ ବ୍ଲକ ଓ ପୌରାଂଚଳ ପାଇଁ ହିତାଧିକାରୀ ଚୟନର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ବଡଚଣା ବ୍ଲକର ୧୫୩୩୦, ବରୀ ୧୦୦୪୧, ବିଂଝାରପୁର ୧୦୫୨୦, ଦାନଗଦୀ ୭୮୭୦, ଦଶରଥପୁର ୧୨୮୧୬, ଧର୍ମଶାଳା ୧୩୯୦୫, ଯାଜପୁର ୧୧୦୮୪, କୋରେଇ ୧୦୩୪୩, ରସୁଲପୁର ୧୦୭୦୯, ସୁକିନ୍ଦା ୮୮୫୩, ଯାଜପୁର ପୌରାପାଳିକା ୧୩୮୧, ବ୍ୟାସନଗର ପୌରାପାଳିକା ୧୯୪୭ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ଏହି ବୈଠକରେ ପ୍ରକଳ୍ପ ନିଦେ୍ର୍ଧଶକ, ବ୍ରଜ ଗୋପାଳ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତା, ସମସ୍ତ ଗୋଷ୍ଠୀ  ଉନ୍ନୟନ ଅଧିକାରୀ ଏ.ସି.ଏସ୍. ଓ ଯୋଗାଣ ନିରୀକ୍ଷକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

0
0
0
s2sdefault