ଶିଳ୍ପ ଓ ଏମ୍ଏସ୍ଏମ୍ଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଶିଳ୍ପ ବିଭାଗ ପରିଦର୍ଶନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ଶିଳ୍ପ ଓ ଏମ୍ଏସ୍ଏମ୍ଇ, ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ପରିଦର୍ଶନରେ ଆସି ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପରିଚୟ ହୋଇଛନ୍ତି । ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ତାଙ୍କୁ ବିଭାଗ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ପରେ ବିଭାଗର ସମ୍ମିଳନୀ କକ୍ଷଠାରେ ସେ ବିଭାଗର ଅଧିକାରୀମାନଙ୍କ ସହ ପରିଚିତ କରାଇଥିଲେ । ଏହି ଅବସରରେ ଅନୌପଚାରିକ ଭାବେ ସେ ଶିଳ୍ପ ବିଭାଗ ଅନ୍ୟ ବିଭାଗଗୁଡ଼ିକ ଉପରେ ନିର୍ଭରଶୀଳତା ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରି ବିଭାଗର କାର୍ଯ୍ୟଧାରାକୁ ଅଧିକ ଶାଣିତ ଓ ଆଖିଦୃଶିଆ କରିବାକୁ ସେ ପରାମର୍ଶ ଦେଇଥିଲେ । ଏଥି ସହିତ ସେ ନିଜକୁ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ସାମିଲ କରି ମୁଖ୍ୟମନ୍ତ୍ରୀଙ୍କ ୬-‘ଟି’ କାର୍ଯ୍ୟଧାରା ଅନୁସାରେ ଏଣିକି କ୍ଷେତ୍ର ପରିଦର୍ଶନ ଉପରେ ଅଧିକ ଜୋର ଦେବେ ବୋଲି କହିଥିଲେ ।
ପ୍ରମୁଖ ସଚିବ ଶ୍ରୀ ଶର୍ମା ବିଭାଗ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରକାଶ କରିଥିଲେ । ନିକଟରେ ବିଭାଗ ତରଫରୁ କୋଏମ୍ବାଟୁରର ପୋଷାକ ଶିଳ୍ପ ଏବଂ ଲାଇଟିଂ ଇଂଜିନିୟରିଂ ଶିଳ୍ପ ଓ କୋଲକାତାର ପ୍ରେଟ୍ରୋକେମିକାଲ ଶିଳ୍ପକୁ ଓଡ଼ିଶାରେ ତାଙ୍କର ଶିଳ୍ପ ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ ନିମନ୍ତେ ଉଦ୍ୟମ କରୁଥିବା ଦର୍ଶାଇଥିଲେ । ଏଥି ସହିତ ପ୍ରତିମାସ ଜିଲ୍ଲା ସ୍ତରରେ ‘ଇଣ୍ଡଷ୍ଟି୍ରଜ୍ କେୟାର’ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରାଯାଉଥିବା ସେ ମନ୍ତ୍ରୀଙ୍କୁ ଅବଗତ କରାଇଥିେଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ, ଇଡ୍କୋର ସିଜିଏମ୍ (ଲ୍ୟାଣ୍ଡ) ଶ୍ରୀ ବିଜୟ କୁମାର ଦାସ, ସିଜିଏମ୍ (ଅର୍ଥ) ଶ୍ରୀ ଅଶ୍ୱିନୀ କୁମାର ବିଶ୍ୱାଳ, ସିଜିଏମ୍ ଶ୍ରୀ ସରୋଜ କୁମାର ମହାନ୍ତି, ଶ୍ରୀ ଅଶୋକ କୁମାର ମିଶ୍ରଙ୍କ ସମେତ ସମସ୍ତ ମୁଖ୍ୟ ସାଧାରଣ ପରିଚାଳକମାନେ ଯୋଗଦେଇଥିଲେ ।