ହେଡଲାଇନସ୍:

ପୃଥିବୀର ବଡ଼ ବଡ଼ ବିପ୍ଳବ ଲେଖାଦ୍ୱାରା ପ୍ରଭାବିତ: ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋଙ୍କ ଜୟନ୍ତୀରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ

ଜ୍ଞାନମଣ୍ଡଳ ଓଡ଼ିଆ ଜାତିର ଅମୂଲ୍ୟ ସଂପଦ: ମନ୍ତ୍ରୀ ଶ୍ରୀ ପାତ୍ର

ଭୁବନେଶ୍ୱର, (ଶାସକ ପ୍ରଶାସକ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜ୍ଞାନମଣ୍ଡଳର ପ୍ରଣେତା ଗାନ୍ଧୀବାଦୀ ସ୍ୱର୍ଗତ ବିନୋଦ କାନୁନଗୋଙ୍କ ୧୧୦ତମ ଜୟନ୍ତୀ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ଅସରନ୍ତି ଜ୍ଞାନର ଭଣ୍ଡାର ହେଉଛି ଜ୍ଞାନମଣ୍ଡଳ । ଏହା ଆମ ଜାତିର ଏକ ଅମୂଲ୍ୟ ସଂପଦ । ଯେଉଁ ଜାତିର ଭାଷା ଯେତେ ଶୁଦ୍ଧ ତାହାର ସଂସ୍କୃତି ସେତେ ସମୃଦ୍ଧ । ସାମାଜିକ ପରିବର୍ତ୍ତନ ପାଇଁ ସଂଗଠିତ ହୋଇଥିବା ଯେତେସବୁ ବଡ଼ ବଡ଼ ବିପ୍ଳବ ତାହା ଲେଖା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି । ଆମେ ପ୍ରତ୍ୟେକ ଦିନ ପଢ଼ିବା ପାଇଁ କିଛି ସମୟ ବାହାର କରିବା ଉଚିତ । ତେବେ ଯାଇ ବୌଦ୍ଧିକ ଚେତନାର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ଏହା ସହ ବିଭାଗର ଉନ୍ନତି ପାଇଁ ସୁଚିନ୍ତିତ ମତାମତ ଆଗ୍ରହ କରିଛନ୍ତି ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଛନ୍ତି ଯେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସ୍ୱର୍ଗତ କାନୁନଗୋ ଜ୍ଞାନମଣ୍ଡଳ ରଚନା କରିଛନ୍ତି । ଏହି ପୁସ୍ତକଗୁଡ଼ିକୁ ସମସ୍ତେ ପଢ଼ିବା ଉଚିତ । ଧରାପୃଷ୍ଠରେ ଜନ୍ମଗ୍ରହଣ କରିଛନ୍ତି ଅର୍ଥ ଆମେ ଆଜି ନହେଲେ କାଲି ଧରାପୃଷ୍ଠ ଛାଡ଼ିବା, କିନ୍ତୁ ଲେଖା ସବୁବେଳେ ଅମର । ତେଣୁ ଆପଣମାନେ ପ୍ରତିଦିନ କିଛି ନା କିଛି ଲେଖନ୍ତୁ । ପ୍ରତିଦିନ ଲେଖିବା ଦ୍ୱାରା ଆପଣଙ୍କର ଭାଷାଗତ ଶୁଦ୍ଧତା ଆସିବ । ଆମେମାନେ ଅନୁବାଦ ସାହିତ୍ୟକୁ ଯେତିକି ଗୁରୁତ୍ୱ ଦେବା କଥା ସେତିକି ଦେଇନାହାନ୍ତି । ତେଣୁ ଆମ ସାହିତ୍ୟ ବିଶ୍ୱଦରବାରରେ ଆଶାତୀତ ପ୍ରତିଷ୍ଠା ଲାଭ କରିପାରିନାହିଁ । ଅନୁବାଦ ସାହିତ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ ସେ ଲେଖକମାନଙ୍କୁ ପରାମର୍ଶ ଦେଇଛନ୍ତି ।
ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ କଳେବର, କର୍ମଚାରୀ ସଂଖ୍ୟା ଦୃଷ୍ଟିକୋଣରୁ ବିଭାଗକୁ କେହି କେହି ଛୋଟ କହୁଛନ୍ତି, କିନ୍ତୁ ବିଭାଗ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମସମୂହର ପ୍ରଭାବ ଦିଗନ୍ତ-ବିସ୍ତାରୀ । ବିଭାଗ ୧୭୬ଟି ଦିବସ ପାଳନ କରୁଛି ଏବଂ ଆଗାମୀ ଦିନରେ ଅଧିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଚେଷ୍ଟା ଜାରି ରଖିଛି ।
ଚିନ୍ତା ଓ ଚେତନା ଅନୁଷ୍ଠାନର ରାଷ୍ଟ୍ରୀୟ ମୁଖ୍ୟ ସଚିବ ଶ୍ରୀ ସୁରେନ୍ଦ୍ର ଦାସ ସ୍ୱର୍ଗତ ବିନୋଦ କାନୁନଗୋ ଜ୍ଞାନମଣ୍ଡଳଗୁଡ଼ିକୁ ଏକୁଟିଆ ଲେଖିଛନ୍ତି । ଲେଖିଲାବେଳେ କାହାର ସାହାଯ୍ୟ ନେଇନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ଲେଖିବା ପାଇଁ ଇଚ୍ଛାଶକ୍ତି ପ୍ରବଳ ହେବା ଦରକାର ବୋଲି ସେ କହିଛନ୍ତି ।
ଅନୁଶାସନ ସଚିବ ଶ୍ରୀ ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ବିବିଧ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ପାଠ୍ୟପୁସ୍ତକ ଯୋଗାଇବା ସହିତ କର୍ମଚାରୀମାନେ ସାଧ୍ୟମତେ ସେମାନଙ୍କୁ ଅନ୍ୟାନ୍ୟ ସାହାଯ୍ୟ କରୁଛନ୍ତି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
ଏହି ଅବସରରେ ସ୍ୱର୍ଗତ କାନୁନଗୋଙ୍କ ସମେତ ରାଜ୍ୟ ଗ୍ରନ୍ଥାଗାରର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କୁ ଅତିଥିମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ପୁସ୍ତକପ୍ରେମୀ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

 

0
0
0
s2sdefault