ହେଡଲାଇନସ୍:

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଓଡିଶା ଆସି ମୁହଁ ଖୋଲିଲେ ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିୟମକାନୁନ ପରିଧିରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ-ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ/କଣିହାଁ(ଶାସକ ପ୍ରଶାସକ) – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ଖବର ଆସୁଥିବା ବେଳେ ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରା ଦୃଷ୍ଟିକୋଣରୁ ବିଶେଷ ମହତ୍ୱ ରହିଛି । ଏ ସବୁର ସୁରକ୍ଷା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥିତ ନିୟମ ରହିଛି । ରାଜ୍ୟ ସରକାରମାନେ ଏହାକୁ ପାଳନ କରିବା ଉଚିତ୍ । ଶ୍ରୀମନ୍ଦିରର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟୀକରଣ ନେଇ କାହାର ଆପତି ନାହିଁ । ମାତ୍ର ବିଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆସୁଥିବା ଖବର ଚିନ୍ତାଜନକ ।
ଶ୍ରୀମନ୍ଦିର ପାର୍ଶ୍ୱବର୍ତୀ ଅଂଚଳରୁ ଯେଉଁଭଳି ହଜାର ହଜାର ବର୍ଷ ତଳର ପୁରାତନ ମୂର୍ତି ଓ ଅନ୍ୟାନ୍ୟ କୀର୍ତିରାଜି ମିଳୁଛି, ସେ ସବୁ ଅଣଦେଖା କରି ପରିକ୍ରମା ଯୋଜନାରେ ଆଧୁନିକୀକରଣ କହିବା ଉଚିତ୍ ନୁହେଁ । ଜଣେ ଜଗନ୍ନାଥ ଭକ୍ତ ଓ ଓଡ଼ିଆ ସଂସ୍କୃତିର ଅନୁଯାୟୀ ଭାବେ ପ୍ରବନ୍ଧକ ମାନଙ୍କ ଠାରୁ ନିୟମକାନୁନ ପରିଧିରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟୀକରଣ ହେବା ମୋର ଅପେକ୍ଷା ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି କଣିହାଁ ଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ସାକ୍ଷାତ୍ କରି ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବ ସହ କଣିହାଁ ବାଇପାସ୍ ଛକ ସ୍ଥିତ ତାଳଚେର ପ୍ରଜାମଣ୍ଡଳ ଶହୀଦ୍ ସ୍ମୃତି ସ୍ତମ୍ଭକୁ ଯାଇ ପ୍ରଜାମଣ୍ଡଳ ଆନ୍ଦୋଳନରେ ଶହୀଦ ହୋଇଥିବା ବୀର ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସେହିପରି ଉତ୍କଳମଣି ଗୋପବନ୍ଧୁ ଭବନ, କଣିହାଁ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପ୍ରଜାମଣ୍ଡଳ ଭବନ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ | ଶ୍ରୀ ଶ୍ରୀ ନୃସିଂହ ଦେବଙ୍କ ପବିତ୍ର ଜନ୍ମୋତ୍ସବ ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଗ୍ରାମ ନାଲମ ଠାରେ ଆୟୋଜିତ ଯଜ୍ଞ ପୂର୍ଣ୍ଣାହୁତି ପୂଜାରେ ସପରିବାର ସାମିଲ ହୋଇଥିଲେ |

0
0
0
s2sdefault