-
ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ସମୀକ୍ଷା
-
ଅକ୍ଟୋବର ସୁଦ୍ଧା ରାଉରକେଲା ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଶେଷ ହେବ
ରାଉରକେଲା, (ବସନ୍ତ କୁମାର ଜେନା): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ୨୦୨୩ରେ ଖେଳା ଯିବାକୁ ଥିବା ପୁରୁଷ ବିଶ୍ୱକପ ହକି ଲାଗି ସମୀକ୍ଷା ବୈଠକ କରିଛନ୍ତି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ହକି ଷ୍ଟାଡିୟମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବା ପରେ ଗଣାମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ବିଶ୍ଵକପ ହକି ଖେଳାଯିବ। ଏଥିପାଇଁ ରାଉରକେଲାଠାରେ ଦେଶର ସର୍ବ ବୃହତ୍ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଠାରେ ୨୦ ହଜାର ଦର୍ଶକ ଏକାସାଙ୍ଗରେ ବସି ଖେଳ ଉପଭୋଗ କରିପାରିବେ। ଏହି ଷ୍ଟାଡିୟମ ନିର୍ମାଣ କାମର ନିୟମିତ ଅଗ୍ରଗତି ସମୀକ୍ଷା କରାଯାଉଛି। ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯାଉଛି। ଖୁବଶୀଘ୍ର ମୁଖ୍ୟ ଷ୍ଟାଡିୟମର ଗ୍ୟାଲେରୀ ଏବଂ ଖେଳାଳିମାନଙ୍କ ଅଭ୍ୟାସ ପାଇଁ ଥିବା ପଡ଼ିଆ ପ୍ରସ୍ତୁତ ହୋଇଯିବ। ସେଠାରେ ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚଗୁଡ଼ିକ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ବିପିୟୁଟି କ୍ୟାମ୍ପସରେ ଖେଳାଳିମାନଙ୍କ ରହିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି।
ପୁରୁଷ ବିଶ୍ଵକପ ହକିକୁ ଦୃଷ୍ଟିରେ ରଖି ସ୍ମାର୍ଟ ସିଟି ରାଉରକେଲାରେ ଅନେକ ଉନ୍ନୟନମୂଳକ କାମ ଚାଲିଛି। ବିଶେଷକରି ପାର୍କଗୁଡ଼ିକର ବିକାଶ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମ କରାଯାଉଛି। ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ରାଉରକେଲା ବିମାନ ବନ୍ଦରରେ ମଧ୍ୟ ବିଭିନ୍ନ ପ୍ରକାରର ଭିତ୍ତିଭୂମି ନିର୍ମାଣ କାମ ଚାଲିଛି। ଅକ୍ଟୋବର ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଭୁବନେଶ୍ୱରରୁ ରାଉରକେଲାକୁ ସିଧାସଳଖ ବିମାନ ଚଳାଚଳ କରିପାରିବ। ପୁରୁଷ ବିଶ୍ୱକପ ହକି ବେଳେ ଖେଳାଳିମାନେ ବିମାନ ଯୋଗେ ରାଉରକେଲାରେ ପହଞ୍ଚି ପାରିବେ।
ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ବ୍ରାହ୍ମଣୀ ନଦୀରେ ଚାଲିଥିବା ଦ୍ଵିତୀୟ ସେତୁ ନିର୍ମାଣ ଓ ଆପ୍ରୋଚ ରୋଡର ମଧ୍ୟ ସମୀକ୍ଷା କରିଥିଲେ। ଜୁନ୍ ଶେଷ ସୁଦ୍ଧା ଆପ୍ରୋଚ ରୋଡ କାମ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ଵାରା ବ୍ରାହ୍ମଣୀ ପୋଲ ଉପରେ ଯେଉଁ ଟ୍ରାଫିକ ସମସ୍ୟା ଦେଖାଯାଉଥିଲା ତାହା ଦୂର ହୋଇପାରିବ ବୋଲି ସେ କହିଥିଲେ।
ଏହି ସମୀକ୍ଷା ବୈଠକରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏସପି ମୁକେଶ କୁମାର ଭାମୁ, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।