ହେଡଲାଇନସ୍:

ସୂଚନା ଓ ଲୋକ ସଂପର୍କ ବିଭାଗ କେନ୍ଦ୍ରାଂଚଳ ଉପ ନିର୍ଦ୍ଦେଶକଙ୍କ ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଠାଗାରର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ

ଭୁବନେଶ୍ୱର(ଶାସକ ପ୍ରଶାସକ): ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶକ(କେନ୍ଦ୍ରାଂଚଳ) ଶ୍ରୀ ହେମନ୍ତ କୁମାର ନାୟକ ଆଜି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ତଦାରଖ ପରିପ୍ରେକ୍ଷୀରେ ପୂର୍ବାହ୍ଣରେ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ତଥା ଏହି କାର୍ଯ୍ୟାଳୟ ତତ୍ୱାବଧାନରେ ପରିଚାଳିତ ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲେ । ପାଠାଗାର ପରିଦର୍ଶନ କରି ଶ୍ରୀ ନାୟକ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ । ବିଦ୍ୟୁତ ସରବରାହ ବ୍ୟାଘାତ ହେଲେ ପାଠାଗାରରେ ନିରବିଚ୍ଛିନ୍ନ ବିଦ୍ୟୁତ ପାଇଁ ଏଠାରେ ଇନଭର୍ଟର ବ୍ୟବସ୍ଥା, ପାଠାଗାରରେ ଟିଭି ସେଟ୍‌ର ବ୍ୟବସ୍ଥା ସହ ପୁସ୍ତକଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଉପ ନିର୍ଦ୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ ଓ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଶ୍ରୀ ଗୌରଚନ୍ଦ୍ର ମହାପାତ୍ରଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ପାଠାଗାରରେ ପାଠକପାଠିକା ସଂଖ୍ୟା ବୃଦ୍ଧି ପାଇଁ ଏଠାରେ ବିଭିନ୍ନ ମହାପୁରୁଷଙ୍କ ଜୟନ୍ତୀ ବା ଶ୍ରାଦ୍ଧୋତ୍ସବରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କରିବା ସହ ପାଠାଗାରର ଉପଯୋଗିତା ସମ୍ପର୍କରେ ସେମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରାଇବା ନେଇ ଆଲୋଚନା କରାଯାଇଥିଲା । ପାଠାଗାରଟି ବର୍ତମାନ ଭଡାଘରେ ଚାଲୁଥିବାରୁ ଏଥିପାଇଁ ସ୍ଥାୟୀ ଘର ନିମନ୍ତେ ସରକାରୀ ଜାଗା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ ।
ଅପରାହ୍ଣରେ ଉପ ନିର୍ଦ୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଭୁବନେଶ୍ୱରଙ୍କ କାର୍ଯ୍ୟାଳୟ ତଦାରଖ କରିଥିଲେ । କାର୍ଯ୍ୟାଳୟ ତରଫରୁ ତାଙ୍କୁ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ ନାୟକ ଏହି ପରିପ୍ରେକ୍ଷୀରେ କାର୍ଯ୍ୟାଳୟର ଆବଶ୍ୟକ ନଥି ଓ ରେଜିଷ୍ଟର ଯାଂଚ କରିଥିଲେ । ପ୍ରତ୍ୟେକ ସରକାରୀ କାର୍ଯ୍ୟର ସଠିକ୍ ଭାବେ ନିର୍ବାହ କରିବା, ସାଂବାଦିକଙ୍କ କଲ୍ୟାଣ, ହକର ପରିଚୟ ପତ୍ର ପ୍ରଦାନ, ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପରିଚୟ ପ୍ରଦାନ , କାର୍ଯ୍ୟାଳୟ ଦ୍ଲାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଫଳ ପ୍ରସାର ପ୍ରସାର ସଂପର୍କରେ ଉପନିର୍ଦ୍ଦେଶକ ଶ୍ରୀ ନାୟକ ପଚାରି ବୂଝିବା ସହ କାର୍ଯ୍ୟାଳୟକୁ ଅଧିକ କ୍ରିୟାଶୀଳ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

0
0
0
s2sdefault