ହେଡଲାଇନସ୍:

ବେଟି ବଚାଓ, ବେଟି ପଢ଼ାଓ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ) - ବେଟି ବଚାଓ, ବେଟି ପଢ଼ାଓ (ଶିଶୁ ପାଇଁ ଦିନଟିଏ) କାର୍ଯ୍ୟକ୍ରମ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଡା. ଟୁଡୁ ଉପସ୍ଥିତ ସମସ୍ତ ପଦାଧିକାରୀଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକର ସୂଚୀ ଅନୁଯାୟୀ ଆଲୋଚ୍ୟ ବିଷୟ ଉପସ୍ଥାପନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବାଲ୍ୟ ବିବାହ ବନ୍ଦ ଓ ତାହାର ସଫଳ ରୂପାୟନ ନିମନ୍ତେ ସଂପୃକ୍ତ ସମସ୍ତ ବିଭାଗର ମିଳିତ ସହଯୋଗରେ ଏକ ଯୋଜନା ପ୍ରସ୍ତୁତି ନିମନ୍ତେ ନିଷ୍ପତି ହୋଇଥିଲା । ବିଦ୍ୟାଳୟସ୍ତରରେ ପାଠ ଛାଡ଼ୁଥିବା କିଶୋରୀମାନଙ୍କ(୧୦ ରୁ ୧୮ବର୍ଷ) ଉପରେ ସ୍ୱତନ୍ତ୍ର ନଜର ରଖିବା ପାଇଁ ଅଂଚଳର ଅଙ୍ଗନବାଡ଼ି କର୍ମୀମାନଙ୍କୁ ସଜାଗ ରହିବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାର ମନ୍ଦିରମାନଙ୍କରେ ହେଉଥିବା ବିବାହ କାର୍ଯ୍ୟର ପଂଜିକରଣ କରାଯିବ । ଏହି ପଂଜିକରଣରେ ଆଧାର ଜନ୍ମ ତାରିଖକୁ ଗ୍ରହଣ କରା ନ ଯାଇ ସଂପୃକ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଅଲିଭା ରେଜିଷ୍ଟରର ଜନ୍ମ ତାରିଖକୁ ଗ୍ରହଣ କରିବା ନିମନ୍ତେ ନିଷ୍ପତି ହୋଇଥିଲା । ବାଲ୍ୟ ବିବାହ ବନ୍ଦ କରିବା ଅଭିଯୋଗଗୁଡ଼ିକର ଶୁଣାଣି ସଂପୃକ୍ତ କିଶୋରୀର ପିତାମାତା, ଅଙ୍ଗନବାଡ଼ି କର୍ମୀ,ଆଶାକର୍ମୀ, ଶିଶୁ ମଙ୍ଗଳ ସମିତି ସଭ୍ୟ/ସଭ୍ୟା, ବାଲ୍ୟ ବିବାହ ନିଷେଧ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ସମସ୍ତ ଜନଶୁଣାଣି ଶିବିରରେ ଉପସ୍ଥିତ ରହି ସମସ୍ୟାର ସମାଧାନ କରାଯିବା ଉପରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବାଲ୍ୟ ବିବାହ ନିରାକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ମାଆମାନଙ୍କୁ ଗ୍ରାମ୍ୟସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଚେତନ କରିବା ପାଇଁ ଜିଲ୍ଲା ସଂଯୋଜିକା, ମିଶନଶକ୍ତିକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୁଅଙ୍କ ତୁଳନାରେ ଝିଅଙ୍କ(୦ ରୁ ୬ବର୍ଷ) ସଂଖ୍ୟା ସର୍ବାଧିକ ମାତ୍ରାରେ ହ୍ରାସ ପାଉଥିବା ପଂଚାୟତଗୁଡ଼ିକୁ ପୋଷ୍ୟ ପଂଚାୟତ ଭାବରେ ଗ୍ରହଣ କରିବା ସହ ବାଲ୍ୟବିବାହରେ ସଂପୃକ୍ତ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ବିଭାଗକୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ପହି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ,ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ମଂଚାସୀନ ଥିଲାବେଳେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥାଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଶ୍ରୀ ସତ୍ୟରଂଜନ ଦାଶ (ଆନୁଷ୍ଠାନିକ ଅଧିକାରୀ), ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault