ଭଦ୍ରକ(ସୀତାକାନ୍ତ ପାଢ଼ୀ)-;ଗତକାଲି ଭଦ୍ରକ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ଆଭାସୀ ବୈଠକରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ ଜି ଆର, ଭୂ ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ,ଏନ ଆଇ ସି ର ବରିଷ୍ଠ ଅଧିକାରୀ,ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ,ଉପ-ଜିଲ୍ଲାପାଳ, ଜମି ଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଗ୍ରହଣ ଅଧିକାରୀ, ତହସିଲଦାର ତଥା ଅନ୍ୟାନ୍ୟ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ|
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଖାରି ପାଣିରେ ମାଛ ଚାଷ ସମ୍ବଧୀୟ ଲିଜ ଉପରେ ଗୁରୁତ୍ଵାରୋପ କରିଥିଲେ | ଅତିରିକ୍ତ ମୁଖ୍ୟ ଶାସନ ସଚିବ ତହସିଲଦାରଙ୍କ ନିକଟରେ ଜିଲ୍ଲା କମିଟି ଦ୍ୱାରା ଅନୁମୋଦିତ ହୋଇଥିବା କିନ୍ତୁ କାର୍ଯ୍ୟକାରୀ ହୋଇନଥିବା ଲିଜକୁ ଅଗ୍ରାଧିକାର ଭିତିରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତହସିଲ ଓ ନିବନ୍ଧନ କାଯ୍ୟଳୟକୁ ଆସୁଥିବା ପ୍ରତ୍ୟେକ ଜନସାଧାରଣଙ୍କୁ ସମ୍ମାନ ସହିତ ସେମାନଙ୍କର ଅଭିଯୋଗ ଶୁଣାଣି ଓ ଅଭିଯୋଗ ଉପରେ ତୁରନ୍ତ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ | ଏହି ସମୀକ୍ଷା ବୈଠକରେ ସମସ୍ତ ଅଧିକାରୀମାନଙ୍କୁ ନିଜ ଓ ନିଜ ଅଧିନସ୍ଥ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ଆଣିବାପାଇଁ ନିର୍ଦ୍ଦେଶ ଦିଆଗଲା | ଜନ ସାଧାରଣଙ୍କୁ ଆଇନ ଅନୁଯାୟୀ ଦାଖଲ ଖାରଜ ଓ ଘରବାଡ଼ି ପଟ୍ଟା ସେବା ତ୍ୱରିତ ଯୋଗାଇଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା | ଅତିରିକ୍ତ ମୁଖ୍ୟ ଶାସନ ସଚିବ ବାସୁଦେବପୁର ଓ ଚାନ୍ଦବାଲି ତହସିଲଦାରଙ୍କୁ ଆସନ୍ତା ସାତ ଦିନ ମଧ୍ୟରେ ସମସ୍ତ ଦାଖଲ ଖାରଜ ମାମଲା ସମ୍ପୂର୍ଣ କରି ଜନସାଧାରଣଙ୍କୁ ଠିକ ସମୟରେ ପଟ୍ଟା ଦେବାକୁ ନିର୍ଦ୍ଦେଶ ଦେଲେ| ସେହିପରି ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ତହସିଲଦାରଙ୍କୁ ଆସନ୍ତା ଜୁନ 30 ତାରିଖ ମଧ୍ୟରେ ସମସ୍ତ ଵେବନ୍ଦୋବସ୍ତ କେଶର ଫଇସଲା କରିବାକୁ ନିର୍ଦ୍ଦେଶ ଦେଲେ |
ଭଦ୍ରକ ଜିଲ୍ଲାରେ 30 ଲଘୁ ଖଣିଜ ଉତ୍ସରୁ ମାତ୍ର 16 ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇଛି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବଶିଷ୍ଟ ଲଘୁ ଖଣିଜ ଉତ୍ସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ | ସମସ୍ତ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କିମ୍ବା ଲଘୁ ଖଣିଜ ଉତ୍ସରୁ ସମସ୍ତ ଲଘୁ ଖଣିଜ ସମ୍ପଦ ସମାପ୍ତ ହୋଇଥିଲେ ତାକୁ ଆଇନ ଅନୁଯାୟୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭଣ୍ଡାରିପୋଖରୀ ଓ ଧାମନଗର ତହସିଲଦାରଙ୍କୁ ସେମାନଙ୍କ ତହସିଲର ଅଧିକ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ | ସେହିପରି ବନ୍ତ ତହସିଲଦାରଙ୍କୁ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଏବଂ ବେଆଇନ ଲଘୁ ଖଣିଜ ସମ୍ପଦ ଉଠାଣ ଉପରେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଗଲା | ସମସ୍ତ କ୍ଷେତ୍ରାଧିକାରୀଙ୍କୁ ଲଘୁ ଖଣିଜ ସଂପଦରୁ ରାଜସ୍ବ ଆଦାୟ ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ଦିଆଗଲା | ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତହସିଲଦାରମାନଙ୍କୁ ଲଘୁ ଖଣିଜ ଚୋରା ଚାଲାଣ ସମୟରେ ଚଢ଼ାଉ ବେଳେ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଗଲା | ତହସିଲଦାରମାନଙ୍କୁ ପୋଲିସ ସହ ଭଲ ସମନ୍ୱୟ ରକ୍ଷା କରି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା |
ଅତିରିକ୍ତ ମୁଖ୍ୟ ଶାସନ ସଚିବ କୌଣସି ସରକାରୀ ପ୍ରକଳ୍ପ ଯଥା ରେଳବାଇ, ଜାତୀୟ ରାଜପଥ ଓ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବନ କରିବାକୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ | ଜିଲ୍ଲା ମଧ୍ୟରେ କାର୍ଯ୍ୟକ୍ଷମ ଭଦ୍ରକ ନିର୍ଗୁଣ୍ଡି ତୃତୀୟ ଲାଇନ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ସେହିପରି ଜାତୀୟ ରାଜପଥ 16ରେ ଗୋପାଳପୁର ଧାମରା ଓ ସୁବର୍ଣ୍ଣରେଖା ବନ୍ଦରର ସଂଯୋଗୀକରଣ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା | ବହୁ ଦିନରୁ ରହିଥିବା ଗମେଇ ସଂସ୍କାର ପ୍ରକଳ୍ପ ଓ ରେବୋ କପାଳୀ ଜଳ ନିଷ୍କାସନ ଚ୍ୟାନେଲ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା | ସମସ୍ତ ସରକାରୀ ପ୍ରକଳ୍ପରେ ଜମି ଅଧିଗ୍ରହଣ କରି ଦାଖଲ ଖାରଜ ମାମଲାରେ ପଟ୍ଟା ସଂଶୋଧନ କରି ଜମି ହସ୍ତାନ୍ତରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା |
ସମସ୍ତ 5ଟି ଉଚ୍ଚ ବିଦ୍ୟାଳୟକୁ ଏପ୍ରିଲ 30 ସୁଦ୍ଧା ସଂଶୋଧିତ ଜମି ପଟ୍ଟା ଦେବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | ଏତଦ ବ୍ୟତୀତ ସମସ୍ତ ସରକାରୀ ଶିକ୍ଷ୍ୟନୁଷ୍ଠାନମାନଙ୍କୁ ଏପ୍ରିଲ 30 ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ତତ୍ୱାବଧାନରେ ଜମି ପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା |
ନୂତନ ରାଜସ୍ବ ନିରୀକ୍ଷକ ମାନଙ୍କ ପାଇଁ ବାସଭବନ ତଥା କାର୍ଯ୍ୟାଳୟ ନିର୍ମାଣ ଦିଗରେ ଏପ୍ରିଲ 15 ସୁଦ୍ଧା ଜାଗା ଚିହ୍ନଟ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ | ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଓ ସଂରକ୍ଷଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ | ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହିପରି ନିୟମିତ ସମୀକ୍ଷା ବୈଠକ କରାଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ |
ରାଜ୍ୟ
ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ
- Hits: 447