ନୃସିଂହନାଥ ଓ ବୈଶାଖ ମେଳା କୁ ଜିଲ୍ଲା ପ୍ରଶାସନର ଚରମ ଅବହେଳା ଅଭିଯୋଗ
ବରଗଡ :- ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ଭୋଗ ମଣ୍ଡପ ଠାରେ ମହାପ୍ରଭୁ ନୃସିଂହନାଥ ଙ୍କର ଜନ୍ମୋତ୍ସବ ତଥା ପ୍ରସିଦ୍ଧ ବୈଶାଖ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ପଦ୍ମପୁର ଉପଜିଲ୍ଲାପାଳ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ସ୍ଥାନୀୟ ପ୍ରଶାସନ ,ଅଂଚଳର ଅନେକ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଏହି ମହୋତ୍ସବ କିପରି ସୁରୁଖୁରୁରେ ଆୟୋଜନ ହେବ ତା ଉପରେ ଆଲୋଚନା ହୋଇଥଲା । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ମେଳା ସମୟରେ ଟ୍ରାଫିକ ବ୍ୟବସ୍ଥା ସହିତ ଲୋକ ଙ୍କର ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ର ଭୂମିକା ଉପରେ କହିଥିବା ବେଳେ , ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ , ମେଳାରେ ଲୋକଙ୍କୁ କ୍ରମାଗତ ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବିଭାଗ ତରଫରୁ ସମସ୍ତ ପ୍ରୟାସ କରାଯିବ ବୋଲି କହିଥିଲେ । ସେହିଭଳି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ତରଫରୁ ମଧ୍ୟ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଇ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯିବା ପାଇଁ ଅନୁଷ୍ଠାନ ତରଫରୁ କୁହାଯାଇଛି । ପାନୀୟ ଜଳ , କ୍ରମାଗତ ବିଦ୍ୟୁତ ସରବରାହ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି ବୋଲି ବିଭାଗୀୟ ଅଧିକାରୀ ମାନେ ଜଣେଇ ଛନ୍ତି । ସେହିଭଳି ଅଗ୍ନିଶମ ବିଭାଗ ତରଫରୁ ମେଳା ପରିସରରେ ସୁରକ୍ଷା ଦୃଷ୍ଟିରୁ ଏକ ଦମକଳ ଗାଡି ମୁତୟନ ରହିବାର ନିଷ୍ପତ୍ତି ମଧ୍ୟ ହୋଇଛି ।
ପୁରୁଣା ଲୋକଙ୍କ ମତ ଅନୁସାରେ ମହାପ୍ରଭୁଙ୍କ ବୈଶାଖ ମେଳା ମନ୍ଦିର ନିର୍ମାଣ ପରଠାରୁ କ୍ରମାଗତ ଭାବରେ ହୋଇ ଆସୁଛି । ସେହି ଅନୁସାରେ ଅଂଚଳର ସର୍ବ ପୁରାତନ ମେଳା ହେଉଛି ଏହି ବୈଶାଖ ମେଳା । ସର୍ବପୁରାତନ ମେଳା ଭାବରେ ଏହି ମେଳା ଜିଲ୍ଲା ପ୍ରଶାସନ କିମ୍ବା ସରକାର ଙ୍କର ଦ୍ୱାରା ଯେଉଁ ପ୍ରୋତ୍ସାହନ ପାଇବା କଥା ତାହା ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ । ଏମିତି କି ଆଜିର ପ୍ରସ୍ତୁତି ବୈଠକରେ ଜିଲ୍ଲା ପ୍ରଶାସନ ତରଫରୁ କୋଣସି ଜିଲ୍ଲା ସ୍ଥରୀୟ ଅଧିକାରୀ ଏହି ବୈଠକ ରେ ଉପସ୍ଥିତ ନ ଥିଲେ । ଏଣୁ ବୈଶାଖ ମେଳା ପ୍ରତି ଜିଲ୍ଲା ପ୍ରଶାସନ ର ଉଦାସୀନତା ସ୍ପଷ୍ଟ ବାରି ହୋଇ ପଡୁଛି । ଏନେଇ ବରିଷ୍ଠ ଅଧିବକ୍ତା ଶ୍ରୀ ଅଜିତ କୁମାର ସଥପଥୀ ଙ୍କର ସମସ୍ତ ପ୍ରଶ୍ନ କୁ ଉପଜିଲ୍ଲାପାଳ ଏଡାଇ ଯାଇଥିଲେ ।
ଆଜିକାର ବୈଠକରେ , ପାଇକମାଲ ବିଡ଼ିଓ ତଥା ମନ୍ଦିର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ଉପାଞ୍ଜଳି ମାଝୀ , ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀମତି ଭାବନା ସିଂ , ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ତହସିଲ ସାହୁ , ଟାଟା ପାୱାର ଏସ ଡ଼ି ଓ ଶ୍ରୀ ପୁରନ୍ଦର ସାହୁ , ଅବକାରୀ ଅଧିକାରୀ , ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି , ସାମ୍ବାଦିକ ବନ୍ଧୁ , ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ ।