ହେଡଲାଇନସ୍:

ଓଥକା-ରାମକୃଷ୍ଣପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା କାର୍ଯ୍ୟରେ ଅନିୟମିତତା ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଭିଜିଲାନସ ବିଭାଗ ଦ୍ୱାରା ତଦନ୍ତ ପାଇଁ ଜନସାଧାରଙ୍କ ଦାବି

ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି:-ସରକାର ଜନସାଧାରଣ, ଯାନବାହନ ଗମନାଗମନ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଥିଲେ ମଧ୍ୟ ତାହା ସଫଳ ଭାବେ ରୂପାୟନ ହୋଇପାରୁନାହିଁ । ବିଭିନ୍ନ ଜାଗାରେ ରାସ୍ତା କାର୍ଯ୍ୟ ହେଉଥିଲେ ମଧ୍ୟ ରାସ୍ତା ଗୁଡ଼ିକ ନିର୍ମାଣ ପ୍ରଣାଳୀ ଅତ୍ୟନ୍ତ ନିମ୍ନମାନର କରାଯାଉଥିବାରୁ ରାସ୍ତାର ସ୍ଥାୟିତ୍ୱ ମାତ୍ର କିଛିଦିନ ପରେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି । ବହୁ ରାସ୍ତା କାର୍ଯ୍ୟ ହେଉଛି କିନ୍ତୁ ଲୋକମାନଙ୍କ ଜାଣିବା ପାଇଁ କୌଣସି ଫଳକ ମରାଯାଉନାହିଁ । ଫଳରେ ଜନସାଧାରଣ ସନ୍ଦେହଘେରରେ ରହୁଥିବାର ଅଭିଯୋଗ ହୋଇଛି । ଏହାର ଏକ ନଗ୍ନ ଉଦାହରଣ ଓଥକା-ରାମକୃଷ୍ଣପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାରେ ଦେଖିବାକୁ ମିଳିଛି । ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ମାତ୍ର କିଛି ଦୂରରେ ଓଥକା-ରାମକୃଷ୍ଣପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ରହିଛି । ଏହି ରାସ୍ତା କାର୍ଯ୍ୟ ଗତ କିଛିଦିନ ହେବ ଶେଷ ହୋଇଥିଲେ ମଧ୍ୟ ରାସ୍ତାର ବହୁସ୍ଥାନରେ ନିମ୍ନମାନର କାର୍ଯ୍ୟ ହେତୁ ପିଚୁ ଉଠିଯାଇଥିବାର ଅଭିଯୋଗ ହୋଇଛି । ଏପରିକି ଏହି ରାସ୍ତା ପାର୍ଶ୍ୱରେ ଏକ ନୂତନ ଗାର୍ଡ଼ୱାଲ ନିର୍ମାଣ କରାଯାଇଥିଲେ ମଧ୍ୟ ତାହାର ସ୍ଥାୟିତ୍ୱ ନେଇ ସାଧାରଣରେ ଗଭୀର ସନ୍ଦେହ ପ୍ରକାଶ ପାଇଛି । ଏହି ରାସ୍ତାକୁ ଲାଗି ହୋଇଥିବା ଗାର୍ଡ଼ୱାଲ ପାଶ୍ୱର୍ରେ ବାଲି ବଦଳରେ ମାଟି ଫିଲିଙ୍ଗ କରାଯାଇଛି । ଯାହାଫଳରେ ଭାରିଯାନ ଗୁଡ଼ିକ ଯାତାୟତ କରିବା ସମୟରେ ଏହି ରାସ୍ତା ପାଶ୍ୱର୍ଟି ଦବିଯାଉଥିବାର ଅଭିଯୋଗ ହୋଇଛି । ଏହି ରାସ୍ତା ଉପରେ ଗମନାଗମନ ନିମନ୍ତେ ଦୈନନ୍ଦିନ ରାମକୃଷ୍ଣପୁର, ନିଶ୍ଚିନ୍ତକୋଇଲି, ନତକାଇ, ଜୟରାମପୁର, ଜିଗ୍ନୀପୁର,ଫଗୋଳ, ବରାଦୋ, ବଡ଼କ୍ଷୀର ପ୍ରଭୃତି ବହୁ ପଂଚାୟତର ଶହ ଶହ ଲୋକ ନିର୍ଭର କରିଥାନ୍ତି । ପ୍ରତିବର୍ଷ ଏହିରାସ୍ତା ନିର୍ମାଣ ନିମନ୍ତେ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ମାତ୍ର କାମ ହେବାର ୨/୩ ମାସ ମଧ୍ୟରେ ରାସ୍ତାର ଅବସ୍ଥା ବେହାଲ ହୋଉପଡ଼ୁଛି । ଏପରିକି ସମ୍ପୃକ୍ତ ଠିକାଦାର ଅଟକଳ ଅନୁଯାୟୀ ଏହି ରାସ୍ତା ନିର୍ମାଣ କରୁନଥିଲା ବେଳେ ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରୁଥିବାରୁ ଏହାର ସ୍ଥାୟିତ୍ୱ ନେଇ ସାଧାରଣରେ ଗଭୀର ସନ୍ଦେହ ପ୍ରକାଶ ପାଇଛି । ଯାହାଦ୍ୱାରାକି ନିର୍ମାଣର ମାତ୍ର ଅଳ୍ପଦିନ ପରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଠିକାଦାର ମନମୁଖୀ ଭାବେ ଏହି କାର୍ଯ୍ୟକୁ ତରବରିଆ ଭାବେ ଦିନରୁ ରାତି ପର୍ଯ୍ୟନ୍ତ ୪ ରୁ ୫ଦିନ ମଧ୍ୟରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରି ଶେଷ କରିଥିଲେ ମଧ୍ୟ ରାସ୍ତାର ସ୍ଥାୟିତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକଟ ହୋଇଛି । ଏପରିକି ଏହି ରାସ୍ତା କାର୍ଯ୍ୟ କରାଯାଉଥିବା ସମୟରେ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ତଦାରଖ ନଥିବାରୁ ଠିକାଦାର ନିଜ ମନ ମୁତାବକ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରିଥିବାର ସାଧାରଣରେ ଅଭିଯୋଗ ହୋଇଛି । ଅପରପକ୍ଷରେ ମନ୍ତ୍ରୀ -ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେ ରେ ଏହି ରାସ୍ତା ନାମକୁମାତ୍ର ମରାମତି କରାଯାଇ ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ କରାଯିବାର ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ମସୁଧା ହୋଇଛି ବୋଲି ଅଭିଯୋଗ ହୋଇଛି । ଫଳରେ କେନ୍ଦ୍ରୀୟ ଯୋଜନାର ବାଟମାରଣା ହେଉଥିବାର ଦେଖିବାକୁ ମିଳିଛି । ତେବେ ଏହି ରାସ୍ତାଟି ମନ୍ତ୍ରୀ-ଯନ୍ତ୍ରୀ ଓ ଠିକାଦାରଙ୍କ ଲେଉଟିଆ କିଆରୀରେ ପରିଣତ ହୋଇଥିବାର ସାଧାରଣରେ ଚର୍ଚ୍ଚା ହେଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଭିଜିଲାନସ ଦ୍ୱାରା ଏହି ରାସ୍ତା ନିର୍ମାଣରେ ହୋଇଥିବା ଅନିୟମିତତାର ଦୃଢ ତଦନ୍ତ କରାଗଲେ ବହୁ ଲୁକାୟିତ ଦୁର୍ନୀତି ଲୋକଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

0
0
0
s2sdefault