ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାରସ୍ବତ ପରିଷଦ ପକ୍ଷରୁ ଆଜି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, କୁଜଙ୍ଗ ଗାନ୍ଧି ତଥା ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସ୍ବର୍ଗତ ନାରାୟଣ ବୀରବର ସାମନ୍ତଙ୍କ ୨୩ ତମ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ତରଡାପଡା ସ୍ଥିତ ଟାଇମ୍ଵ ଗୁରୁକୁଳ ପରିସରରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଶ୍ଚର୍ଯ୍ୟ ଏହି ସଭାରେ ସଭାପତିତ୍ଵ କରି ଲୋକ ମୁଖରେ “ କୁଜଙ୍ଗ ଗାନ୍ଧି” ଭାବେ ସୁପରିଚିତ ସ୍ବର୍ଗତ ସାମନ୍ତ ଜଣେ ସଚ୍ଚା ସ୍ଵାଧୀନତା ସଂଗ୍ରାମୀ ଓ ଗାନ୍ଧିବାଦୀ ନେତା ଥିଲେ ବୋଲି କହିଥିଲେ । ମୁଖ୍ୟଅତିଥିଭାବେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ପାରାଦ୍ବୀପ ବନ୍ଦର ଗଠନରେ ନାରାୟଣ ବୀରବର ସାମନ୍ତଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା ବୋଲି ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତରଡାପଡା ଆଇ.ଟି.ଆଇ ର ନିର୍ଦ୍ଦେଶକ ରଶ୍ମୀରଞ୍ଜନ ମିଶ୍ର, ଗୁରୁକୁଳର ଅଧ୍ୟକ୍ଷା ସୌଦାମିନୀ ସାହୁ, ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁ, ସୌମ୍ୟଶୁଭଦର୍ଶିନୀ , ସୁଶ୍ରୀ ଅଞ୍ଜୁଷା ଓ ଶିକ୍ଷକ ପ୍ରିତିକ୍ ଜେନା ପ୍ରମୁଖ ଯୋଗଦେଇ ସାମନ୍ତଙ୍କର ତ୍ୟାଗପୂତ ଓ ସଂଗ୍ରାମୀ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାର ଆରମ୍ଭରେ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
କୁଜଙ୍ଗ ଗାନ୍ଧି ନାରାୟଣ ବୀରବର ସାମନ୍ତଙ୍କ ଶ୍ରାଦ୍ଧୋତ୍ସବ
- Hits: 346