ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରାଳାଖେମୁଣ୍ଡି ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟଶାଖା ପରିସରରେ ବ୍ୟାଙ୍କର ଚଳନ୍ତି ମୁଦ୍ରା ବିଭାଗ ଆନୁକୂଲ୍ୟରେ ରିଜର୍ଭ ବ୍ୟାଙ୍କର ଅଧିକାରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଏକ କଏନ ମୁଦ୍ରା ମେଳା ଓ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ଜେନେରାଲ ମ୍ୟାନେଜର ଶ୍ରୀ କେଶବ କର୍କରା ମୁଖ୍ୟତିଥି ଭାବେ ଯୋଗଦେଇ ଆରବିଆଇ ଦ୍ୱାରା ପ୍ରଚଳିତ ମୁଦ୍ରାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ।
ଶ୍ରୀ କର୍କରା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ମୁଖ୍ୟତଃ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ୫୦ ପଇସା ଠାରୁ ଆରମ୍ଭ କରି ୧ ଟଙ୍କିଆ , ୨ ଟଙ୍କିଆ , ୫ ଟଙ୍କିଆ , ୧୦ଟଙ୍କିଆ ଓ ୨୦ ଟଙ୍କିଆ କଏନ ଯେଉଁ ରହିଛି ଏବଂ ତାହା ଲୋକଙ୍କ ଦୈନନ୍ଦିନ କାରବାରର ଆବଶ୍ୟକତା ପୂରଣ ଦିଗରେ ରହିଛି , ସେ ସବୁର ସରକାରୀ ବୈଧତା ରହିଛି । କିନ୍ତୁ ଏସବୁ କଏନ ମୁଦ୍ରା ମଧ୍ୟରୁ ୧୦ ଟଙ୍କିଆ ଓ ଟଙ୍କାକିଆ କଏନ ମୁଦ୍ରା ଗୁଡିକ ଦିଗରେ ଲୋକମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭ୍ରମ ଓ ସନ୍ଦେହ ଜାତ ହେବା ସହ ମିଥ୍ୟା ଗୁଜବର ଅପପ୍ରଚାର ହୋଇଛି ଯେ , ଏହି ଦୁଇ ପ୍ରକାର କଏନ ମୁଦ୍ରା ଯଥା :- ୧ ଟଙ୍କିଆ ଓ ୧୦ ଟଙ୍କିଆ କଏନ ଆଉ ଚଳୁନି କି ବ୍ୟବସାୟୀ ଓ ଦୋକାନୀ କି ଲୋକେ କେହି ନେଉନାହାନ୍ତି।
ତେଣୁ ଏ ଦିଗରେ ମୁଁ ଆରବିଆଇ ପକ୍ଷରୁ କହି ରଖୁଛି ଯେ , ସମସ୍ତ କଏନ ମୁଦ୍ରାର ବୈଧତା ଅଛି କୌଣସି ଗୁଜବର ବଶବର୍ତ୍ତୀ ନ ହୋଇ ବିନା ଦ୍ଵିଧାରେ ଲୋକେ ଓ ବ୍ୟବସାୟୀ ମାନେ ସେହି କଏନ ମୁଦ୍ରାକୁ ଗ୍ରହଣ କରନ୍ତୁ ଅନ୍ୟପକ୍ଷରେ ସମସ୍ତ ବ୍ୟାଙ୍କ ମାନଙ୍କୁ ମଧ୍ୟ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ , ଏସବୁ କଏନ ମୁଦ୍ରା ବ୍ୟାଙ୍କକୁ ଆସିଲେ ତାହା ଗ୍ରହଣ କରିବା ପାଇଁ। ଏହି କଏନ ମୁଦ୍ରାର ପ୍ରଚଳନ ଓ ସରକାରୀ ବୈଧତା ଉପରେ ଲୋକମାନଙ୍କୁ ଅବଗତ ଓ ସଚେତନ କରାଇବା ପାଇଁ ଆଜି ଏହି ମେଳା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହାୟକ ମହାପ୍ରବନ୍ଧକ ଶ୍ରୀ ଆଲୋକ ରଞ୍ଜନ ରଣରାହୁ , ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କ୍ଷେତ୍ରୀୟ ପ୍ରରିଚାଳକ ଶ୍ରୀ ଶଶାଙ୍କ ଶେଖର ନାୟକ , ପାରାଳାଖେମୁଣ୍ଡି ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ଅଶୋକ କୁମାର ପଲ ଏବଂ ରାୟଗଡା ସ୍ଥିତ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ କଏନ ମୁଦ୍ରା ପ୍ରଚଳନ ଓ ତାର ବୈଧତାର ବିଭିନ୍ନ ଦିଗ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ।
ରାଜ୍ୟ
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ମୁଦ୍ରା ମେଳା ଓ ଜନ ସଚେତନତା କାର୍ଯ୍ୟକ୍ରମ
- Hits: 676