ବାଲେଶ୍ୱର: ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ବିଜ୍ଞପ୍ତି ଆଧାରରେ ରବିବାର ଓଡ଼ିଶାର ସମସ୍ତ ଜିଲା ପରିଷଦ ସଭାପତି ନିର୍ବାଚିତ ହୋଇଥିବା ବେଳେ ବାଲେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ନାରାୟଣ ଚନ୍ଦ୍ର ପ୍ରଧାନଙ୍କୁ ଜିଲା ପରିଷଦ ସଭାପତି ଭାବେ ନିର୍ବାଚିତ କରାଯାଇଛି । ସ୍ଥାନୀୟ ଜିଲା ପରିଷଦ ସଭାଗୃହରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜିଲା ପରିଷଦ ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଷଷ୍ଠ ଜିଲା ପରିଷଦର ପ୍ରଥମ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ବୈଠକ ପ୍ରାରମ୍ଭରେ ନିର୍ବାଚିତ ଜିଲା ପରିଷଦ ସଦସ୍ୟ / ସଦସ୍ୟାଙ୍କୁ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସ୍ୱାଗତ ଜଣାଇବା ସହିତ ଶପଥ ପାଠ କରାଇଥିଲେ । ଏହା ପରେ ଜିଲା ପରିଷଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ଦିବା ଘ୧୦.୩୦ମି. ରୁ ଘ୧୧.୩୦ମି ମଧ୍ୟରେ ମନୋନୟନ ପତ୍ର ଦାଖଲ ପାଇଁ ସମୟ ସ୍ଥିରୀକୃତ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କେବଳ ଜଣେ ପ୍ରାର୍ଥୀ ତାହା ଦାଖଲ କରିଥିଲେ । ୨୯ ନମ୍ବର ଜୋନର ଜିଲା ପରିଷଦ ସଦସ୍ୟ ତଥା ବିଜୁ ଜନତା ଦଳ ପ୍ରାର୍ଥୀ ନାରାୟଣ ପ୍ରଧାନ ନିର୍ବାଚନ ଅଧିକାରୀ ତଥା ବାଲେଶ୍ୱର ଉପ-ଜିଲାପାଳଙ୍କ ନିକଟରେ ଦାଖଲ କରିଥିଲେ । ନିୟମ ଅନୁସାରେ ମନୋନୟନ ପତ୍ର ଯାଞ୍ଚ ପରେ ଏହା କାଏମ ରହିଥିଲା । ପ୍ରାର୍ଥିତ୍ୱ ପ୍ରତ୍ୟାହାର ପାଇଁ ଦିବା ୧ଘଟିକା ପର୍ଯ୍ୟନ୍ତ ସମୟ ରହିଥିବା ବେଳେ ଜଣେ ମାତ୍ର ପ୍ରାର୍ଥୀ ରହିଥିବାରୁ ମତଦାନର ଆବଶ୍ୟକ ପଡ଼ି ନ ଥିଲା । ଦିବା ୧ଘଟିକା ସମୟରେ ନିର୍ବାଚନ ଅଧିକାରୀ ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଶ୍ରୀ ପ୍ରଧାନଙ୍କୁ ଜିଲା ପରିଷଦ ସଭାପତି ଭାବେ ଘୋଷଣା କରିଥିଲେ । ଏହା ପରେ ପରିଷଦ ସଭାପତି ଶ୍ରୀ ପ୍ରଧାନ ଆନୁଷ୍ଠାନିକ ଶପଥ ଗ୍ରହଣ କରିଥିଲେ । ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ତାଙ୍କୁ ଶପଥ ପାଠ କରାଇଥିଲେ । ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଜିଲା ପଂଚାୟତ ଅଧିକାରୀ ରବି ଚନ୍ଦ୍ର କହଁରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ ।
ରାଜ୍ୟ
ନାରାୟଣ ଚନ୍ଦ୍ର ପ୍ରଧାନ ବାଲେଶ୍ୱର ଜିଲା ପରିଷଦ ସଭାପତି
- Hits: 736