ହେଡଲାଇନସ୍:

ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ମଧ୍ୟାହ୍ନରେ ଜଗତସିଂହପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀଙ୍କ ଅଧ୍ୟକ୍ଷତାରେ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଯୋଗଦେଇ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ କହିଲେ ଗ୍ରୀଷ୍ମ ପ୍ରବାହ ସମୟରେ କଟକ-ପାରାଦୀପ ରାସ୍ତାର ବିଭିନ୍ନ ସ୍ଥାନରେ ଜଳଛତ୍ର ବ୍ୟବସ୍ଥାର ଆବଶ୍ୟକତା ରହିଛି । ଜିଲ୍ଲାର ଜଳକ୍ଳିଷ୍ଟ ଅଂଚଳରେ ଟ୍ୟାଙ୍କର ଯୋଗେ ଜଳଯୋଗାଣ ଓ ପ୍ରତ୍ୟେକ ମେଡିକାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଥିଲେ । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀମାନେ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଗ୍ରାମୀଣ ଜଳ ଓ ପରିମଳ ଡିଭିଜନ୍, ପ୍ରାଣୀ ସଂପଦ ବିଭାଗରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା ସହିତ ବ୍ଲକ ସ୍ତରରେ ୨୪ଘଣ୍ଟିଆ, ନିୟନ୍ତ୍ରଣ କକ୍ଷ ଖୋଲା ରହିବ । ପ୍ରତ୍ୟେକ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ନିମନ୍ତେ ଅଭିଯୋଗ ରେଜିଷ୍ଟର ରହିବ । ପୌର ପରିଷଦ ନିର୍ବାହୀ ଅଧିକାରୀ ଓ ବି.ଡି.ଓ ମାନେ ସରପଂଚ ଓ ପଂଚାୟତ ପ୍ରତିନିଧି ମାନଙ୍କୁ ସାମିଲ କରି ସଚେତନତା କାର୍ଯ୍ୟକ୍ରମ କରିବେ । ଗ୍ରାମୀଣ ପରିମଳ ଓ କଳ ଯୋଗାଣ ଅଧକ୍ଷଣ ଯନ୍ତ୍ରୀ କହିଲେ ଜିଲ୍ଲାର ବାଲିକୁଦା ବ୍ଲକର ୨୪ଟି ଗ୍ରାମ, କୁଜଙ୍ଗ ବ୍ଳକର ୧୮ଟି ଗ୍ରାମ ଓ ଏରସମା ବ୍ଳକର ୧୮ଟି ଜଳକ୍ଳିଷ୍ଟ ଗ୍ରାମରେ ୱାଟର ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣ କରାଯିବ । ସମସ୍ତ ଅଚଳ ନଳକୂପର ତୁରନ୍ତ ମରାମତି ସହିତ ନୂତନ ପାଇପ୍ ୱାଟର ସପ୍ଲାଏ ପ୍ରକଳ୍ପ ଏପ୍ରିଲ ସୁଦ୍ଧା ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେପରି ଲୋକମାନେ ଘରେ ଘରେ ପାନୀୟ ଜଳ ପାଇ ପାରିବେ । ଟିପିଡିଓସିଏଲ୍ (ବିଦ୍ୟୁତ୍‌) ନିର୍ବାହୀ ଯନ୍ତ୍ରୀମାନେ ପାଇପ୍ ଓ୍ବାଟର ସପ୍ଲାଏ ପ୍ରୋଜେକ୍ଟ ଓ ସି.ଏଚ୍.ସି/ ପି.ଏଚ୍.ସି ମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରାଇବେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମୁଖ୍ୟ ଚିକିତ୍ସାଳୟ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅଂଶୁଘାତ ରୋଗୀ ମାନଙ୍କ ପାଇଁ ସ୍ଵତନ୍ତ୍ର କୋଠରୀରେ ଏ.ସି,ଏୟାରକୁଲର ବ୍ୟବସ୍ଥା କରିବେ । ପ୍ରଚୁର ପରିମାଣର ବରଫ, ଓ.ଆର୍.ଏସ୍, ସାଲାଇନ୍ ଔଷଧ ମହଜୁଦ୍ ରଖୁବେ । ପୂର୍ତ, ଗ୍ରାମ୍ୟ ଉନ୍ନୟନ, ଜଳ ସଂପଦ, ଡ୍ରେନେଜ୍ ବିଭାଗର ଅଧ୍ୟକ୍ଷଣ ଯନ୍ତ୍ରୀମାନେ କାର୍ଯ୍ୟ ସ୍ଥଳରେ ପାନୀୟ ଜଳ ବ୍ୟବସ୍ଥା ଏବଂ ଶ୍ରମିକ ମାନେ ଯେପରି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ ନକରନ୍ତି ସେ ସଂପର୍କରେ ସୁନିଶ୍ଚିତ କରାଇବେ । ବି.ଡି.ଓ ମାନେ ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟସ୍ଥଳରେ ଉପରୋକ୍ତ ବ୍ୟବସ୍ଥା କରାଇବେ । ଜିଲ୍ଲା ଶ୍ରମ ଅଧିକାରୀ ଏହାର ତଦାରଖ କରିବେ । ପ୍ରାଣୀ ସଂପଦ ବିଭାଗର ୮ଟି ବ୍ଲକରେ ୮ଟି ମୋବାଇଲ୍ ଟିମ୍ ମାଧ୍ୟମରେ ପ୍ରାଣୀମାନଙ୍କ ଚିକିତ୍ସା ସୁବିଧା କରାଇବେ । ୧୧୭ଟି ଏଲ୍‌.ଆଇ ସେଣ୍ଟରରେ ପ୍ରାଣୀମାନଙ୍କ ନିମନ୍ତେ ଜଳ ବ୍ୟବସ୍ଥା ଗୋରୁହାଟ ମାନଙ୍କରେ ଆର୍.ଏମ୍.ସି ତରଫରୁ ୱାଟର ଟ୍ୟାଙ୍କ ବ୍ୟବସ୍ଥା କରିବେ । ପ୍ରତ୍ୟେକ ନଳକୂପ ନିକଟରେ ସିମେଣ୍ଟ ଟ୍ୟାଙ୍କ ନିର୍ମାଣ କରାଇ ପାଣି ବ୍ୟବସ୍ଥା କରାଯିବ । ଅଂଶୁଘାତ ଜନିତ ମୃତ୍ୟୁ ହେଲେ ତହସିଲଦାର ଓ ମେଡିକାଲ ଅଫିସରଙ୍କ ଦ୍ଵାରା ୨୪ଘଣ୍ଟା ମଧ୍ୟରେ ଯୁଗ୍ମ ତଦନ୍ତ କରାଯିବ । ସାଧାରଣ ବସ୍ ମାନଙ୍କରେ ପାନୀୟ ଜଳ,ଫାଷ୍ଟଏଡ୍ ବ୍ୟବସ୍ଥାକୁ ଆଂଚଳିକ ପରିବହନ ଅଧିକାରୀ ସୁନିଶ୍ଚିତ କରାଇବେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖୁ ବସଷ୍ଟାଣ୍ଡ, ରେଲ ଷ୍ଟେସନ, ହାଟ ବଜାର, ସର୍ବସାଧାରଣ ସମାଗମ ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ବି.ଡି.ଓ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଙ୍ଗନବାଡୀ କର୍ମୀ , ଆଶାକର୍ମୀ ମାନଙ୍କ ମାଧ୍ୟମରେ ଗ୍ରୀଷ୍ମ ପ୍ରବାହ ସମୟରେ କଣ କରାଯିବ ଏବଂ କଣ କରାଯିବ ନାହିଁ ସେ ସଂପର୍କରେ ଲିଫ୍‌ଲେଟ୍ ପ୍ରସ୍ତୁତ କରାଯାଇ ସର୍ବସାଧାରଣରେ ବଣ୍ଟନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମାନେ ପ୍ରତ୍ୟେକ ବିଦ୍ୟାଳୟ,ଏସ୍.ସି.ଏସ୍.ଟି ହଷ୍ଟେଲ , ଅଙ୍ଗନବାଡୀ କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ସହ ଆବଶ୍ୟକ ସ୍ଥଳେ ଆନ୍ଧାଗାର୍ଡ ବ୍ୟବସ୍ଥା କରାଇବେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ବାଳ,ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପ ଶ୍ରୀ କାହ୍ନୁ ଚରଣ ଧୀର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଡେପୁଟୀ କଲେକ୍ଟର,ଜରୁରୀ,ସିଡି.ଏମ୍. ଓ ସି.ଡି.ଭି.ଓ, ସମସ୍ତ ଅଧ୍ୟକ୍ଷଣ ଯନ୍ତ୍ରୀ, ଜିଲ୍ଲା ସ୍ତରୀୟ ଅଧିକାରୀ,ବି.ଡି.ଓ, ତହସିଲଦାର ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault